● ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ନିରବ ବ୍ଳକ ପ୍ରଶାସନ
● ଅବ୍ୟବସ୍ଥା ଯୋଗୁଁ ପାଇପରେ ଆସୁଛି ମଲା ସାପ
ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକର ନିୟମଗିରି ପାହାଡ ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତର ତାଡିଝୁଲାରେ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ନିମ୍ନ ମାନର କାମ ଅର୍ଥର ବାଟ ମାରଣା ଯୋଗୁଁ ଛଅ ମାସ ମଧ୍ୟରେ ପାଣି ପାଇପ ଫାଟିବା ସହିତ ସ୍ଟକ ଟାଙ୍କିର ଅବ୍ୟବସ୍ଥା ଯୋଗୁଁ ବାରମ୍ବାର ପାଇପରେ ମଧ୍ୟରେ ସାପ ଆସି ଗାଁ ପାଣିଟାଙ୍କିରୁ ମଲା ସାପ ବାହାରୁଛି।ଏନେଇ ଗଣମାଧ୍ୟମ ସମ୍ମୁଖରେ ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଗତ ଜୁଲାଇ ୨୨ ତାରିଖ ଦିନ ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶ ହୋଇଥିଲେ ମଧ୍ୟ ଦାଇତ୍ୱରେ ଥିବା ଯନ୍ତ୍ରୀ ଓ ବ୍ଳକ ପ୍ରଶାସନ ନିରବ ସାଜିଛନ୍ତି। ସୂଚନା ମୁତାବକ ଏହି ଗ୍ରାମରେ ନଳକୂପ ନାହିଁ କି ଆଖ ପାଖରେ ନାଳ କି ଝରଣା ବି ନାହିଁ।ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ୨୦୧୯-୨୦ ବର୍ଷରେ ବ୍ଳକ ପ୍ରଶାସନ ପକ୍ଷରୁ ୪ କିଲୋମିଟର ଦୂର କୁନାକାଡୁ ଗାଁ ଝରଣାରୁ ପ୍ରାୟ ୨୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ପାଇପ ଯୋଗେ ଗାଁକୁ ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି ।ମାତ୍ର ନିର୍ମାଣର ୬ ମାସ ଠିକ ଭାବେ ଗାଁକୁ ଜଳ ଯୋଗାଣ ହେବା ପରେ ବାରମ୍ବାର ପାଇପ ଫାଟିଯିବା ଯୋଗୁଁ ଗତ ୪ ମାସ ହେଲା ପାଇପରେ ପାଣି ଆସୁନାହିଁ। ନିମ୍ନ ମାନର ପାଇପ ବିଭିନ୍ନ ସ୍ଥାନରେ ଫାଟିବା ଓ କୁନାକାଡୁରେ ତିଆରି ହୋଇଥିବା ସ୍ଟକ ପାଣି ଟାଙ୍କି ଉପରେ ଢ଼ାଙ୍କୁଣୀ ଦିଆଯାଇ ନାହିଁ। ଫଳରେ ସେହି ପାଇପରେ ଆବର୍ଜନା ପାଣି ସହିତ ଦୁଇ ଦୁଇ ଥର ସାପ ଆସି ଗାଁରେ ଲାଗିଥିବା ସିଣ୍ଟେସ୍କ ପାଣି ଟାଙ୍କିରୁ ବାହାରି ନ ପାରି ମରି ଦୁର୍ଗନ୍ଧ ହୋଇ ଟାଙ୍କିରେ ପଡି ରହିଥିବା ଯୋଗୁଁ ପାଣିଟାଙ୍କି ସଫାକରି ବାକୁ ପଡୁଥିବା ଲୋକେ ପ୍ରକାଶ କରିଛନ୍ତି।
ଗତ ନଭେମ୍ବର ୨୦୨୦ ଓ ଚଳିତ ବର୍ଷ ଜାନୁଆରୀ ମାସରେ ଦୁଇ ଦୁଇ ଥର ମଲା ସାପ ପାଇପରେ ଆସି ପାଣିଟାଙ୍କିରେ ବାହାରିବାରୁ ପ୍ରାୟ ୧ ମାସ ସେହି ପାଣି ବ୍ୟବହାର କରିନଥିଲେ। ଗାଁରେ ପାଣିଟାଙ୍କି ସହିତ ଫିଲଟର ମେସିନ ମଧ୍ୟ ଲଗାଯାଇଛି। କିନ୍ତୁ ପାଇପଟି ଫାଟି ଯାଇଥିବା ଯୋଗୁଁ ଗାଁ ପର୍ଯ୍ୟନ୍ତ ପାଣି ପହଞ୍ଚି ପାରୁନାହିଁ। ଏନେଇ ଦାଇତ୍ୱରେ ଥିବା ଯନ୍ତ୍ରୀ ପିତାମ୍ବର ହେମରମ ଓ ବ୍ଳକ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବା ଗାଁ ଲୋକେ କହିଛନ୍ତି ଏବେ ପୁଣି ଗାଁରେ ଜଳସଙ୍କଟ ଦେଖା ଦେଇଛି। ଏହି ଗାଁ ସମସ୍ୟା ପ୍ରତି ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in