ଲାଞ୍ଜିଗଡ଼, ୨୪|୮: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଆତଙ୍କ ରଚିଛନ୍ତି ଗଜବାହିନୀ। ହାତୀ ଉପଦ୍ରବ ଯୋଗୁଁ ଅନେକ ଜନଜୀବନ ନଷ୍ଟ ହେବାକୁ ବସିଛି। ସିକେରକୁପା ସେକ୍ସନ କଦମଗୁଡା ପଞ୍ଚାୟତ ଆମଝିରି ଗାଁର ରାଜନ ମାଝୀ (୬୧) ନାମକ ଜଣେ ବୃଦ୍ଧ ବ୍ୟକ୍ତି ହାତୀ ଆକ୍ରମଣର ଗୁରୁତର ଆହତ ହୋଇଛନ୍ତି। ସୋମବାର ସକାଳ ୫ଟା ସମୟରେ ସେ ଗାଁ ମୁଣ୍ଡରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶୀକାର ହୋଇଥିଲେ।
ନିକଟସ୍ଥ ନିମି ଜଙ୍ଗଲରୁ ପ୍ରାୟ ୪ରୁ ୫ ହାତୀ ଆସି ଚାଷ ଜମିକୁ ନଷ୍ଟ କରୁଥିଲେ ଏହି ସମୟରେ ବୃଦ୍ଧ ଜଣକ ହାତୀ ହାବୁଡରେ ପଡିଥିଲେ। ତାଙ୍କୁ ବନ ବିଭାଗ କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସରେ ନେଇ ନର୍ଲା ମେଡ଼ିକାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ରେଞ୍ଜର ଲକ୍ଷ୍ୟ ମହାନନ୍ଦ ତାଙ୍କ ଟିମ୍ ସହିତ ପହଞ୍ଚି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି।
ସେହିପରି ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ଥାନା ଓ ସେକ୍ସନ କୁମଖଲ ପଞ୍ଚାୟତ ପିଡେଲବାଜୁ ଗାଁର ହାତୀପଲ ୩ ଗୋଟି ଘର, ଦୁଇଟି ବାଇକ୍ ଓ ୨ ଗୋଟି ନଳକୂପ ଭାଙ୍ଗିବା ସହିତ ଘରେଥିବା ବିଭିନ୍ନ ସାମଗ୍ରୀ ନଷ୍ଟ କରିଥିବା ସୂଚନା ମିଳିଛି। ନିକଟସ୍ଥ ହାତୀଶାଳ ଜଙ୍ଗଲରୁ ୧୦ ରୁ ୧୫ ହାତୀପଲ ଗତ ରାତିରେ ଆସି ଏହି କ୍ଷୟକ୍ଷତି ଘଟାଇଥିବା ଗାଁ ଲୋକେ ସୂଚନା ଦେଇଛନ୍ତି। ବନ ବିଭାଗ ଖବର ପାଇ ଗାଁରେ ପହଞ୍ଚି ଥିବା ଜଣା ପଡ଼ିଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in