କଟକ, ୩୦|୮ (ଚକ୍ରବର୍ତ୍ତୀ ଓତା): କଟକ ସଦର ଉପକଣ୍ଠସ୍ଥ ବାରଦା ଗ୍ରାମର କବେଇ ସାହିରୁ ପରିଡା ସାହି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଗମନାଗମନ ପାଇଁ ଏହି ପଥ ଅନୁପଯୁକ୍ତ ହୋଇଥିବାରୁ ନୂତନ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବୀ କରି ଆସୁଥିଲେ ମଧ୍ୟ ଏଯାବତ କିଛି ଫଳ ମିଳିପାରିନାହିଁ । ସୂଚନାଯୋଗ୍ୟ ଏହି ରାସ୍ତା କିଶୋରନଗର – ମହାନଦୀ ବନ୍ଧ – ବାରଦା – ଚାଞ୍ଚପଡା ଭାୟା କନ୍ଦରପୁରକୁ ଯୋଡୁଛି। ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଏନେଇ ବିଡ଼ିଓଙ୍କୁ ପତ୍ର ଲେଖି ଅବଗତ କରାଇବା ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ ନହେଲେ ପରିଷଦ କାର୍ଯ୍ୟକର୍ତ୍ତା ବ୍ଲକ୍ ସମ୍ମୁଖରେ ଗଣ ଧାରଣାରେ ବସିବେ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି।





