କଳାହାଣ୍ଡି, ୩୦|୮ (ନବୀନ କିଶୋର ସାହୁ): ଜୁଲାଇ ଯାଇ ଅଗଷ୍ଟ ମାସ ଶେଷ ପାହାଚରେ ପହଞ୍ଚିଲା କିନ୍ତୁ ବର୍ଷାର ଦେଖା ନାହିଁ । ନିଖୋଜ ହୋଇଯାଇଛି ମୌସୁମୀ । ବର୍ଷା ନହେବାରୁ ଅଧିକାଂଶ ଜମିରେ ବେଉଷଣ ଏବଂ ତଳି ରୋପଣ ହୋଇ ପାରୁନାହିଁ । କାଁ ମାଁ ଯାହାବି ତଳି ରୋପଣ ହୋଇଛି, ସେହି ବିଲ ଫାଟି ଆଁ କଲାଣି । ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଏହି ସମୟରେ ଜମିରେ ରୁଆ ସରି ବଛା ବଛି ଆରମ୍ଭ ହେବା କଥା ହେଲେ ବର୍ଷା ଅଭାବରୁ କାମ ଆଗକୁ ବଢି ପାରିନି । ଚଳିତ ବର୍ଷ ବର୍ଷା ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ କର୍ଲାମୁଣ୍ଡା ବ୍ଳକର ରିଞ୍ଜା, ରିଷିଡା, ପୌରକେଲା, ସ-ମାଳପଡା, ରାଜପୁର, ଗଜବାହାଲ, ତେରେସିଙ୍ଗା ଆଦି ବିଭିନ୍ନ ସ୍ଥାନର ଧାନ ଚାଷ ଜମିରେ କିଛି ଚାଷ ହୋଇଥିଲେ ମଧ୍ୟ ବର୍ତ୍ତମାନ ମରିବାକୁ ଲାଗିଲାଣି । ଯେଉଁ ସାମାନ୍ୟ ବର୍ଷା ହୋଇଥିଲା ଏଣୁ ତେଣୁ ମୋଟର ସାହାଯ୍ୟରେ ପାଣି ଯୋଗାଡ଼ କରି ତଳିଆ ଜମି ଗୁଡିକରେ କିଛି କିଛି ରୁଆ ହୋଇଥିଲା ତାହା ମଧ୍ୟ ଶୁଖି ଫାଟି ଆଁ କରି ପଡିଛି । କେତକ ସ୍ଥାନରେ ଧାନ ଗଛ ଗୁଡିକ ମରି ଗଲାଣି । ପାଣି ଅଭାବରୁ ଫସଳକୁ ପୋକ ଖାଇଗଲେଣି । ହେକ୍ଟର ହେକ୍ଟର ଚାଷ ଜମି ଗୋରୁ ଗାଈ, ଛେଳି ମେଣ୍ଢାଙ୍କ ଚରା ଭୂମି ପାଲଟିଛି । ସେପଟେ ଚାଷୀମାନେ ଦେଶୀ ଧାନ ଚାଷ ପ୍ରତି ଆକୃଷ୍ଟ ନହୋଇ ହାଇବ୍ରିଡ୍ ଧାନ ପ୍ରତି ମନ ବଳାଇ ଉଚ୍ଚ ଦରରେ ବିହନ କିଣି କିଣି ତଳି ପକାଇଛନ୍ତି । ସେ ତଳି ସୀମିତ ସମୟ ଭିତରେ ରୁଆ ହେବା କଥା କିନ୍ତୁ ଧାର୍ଯ୍ୟ ସମୟ ଠାରୁ ଯଥେଷ୍ଟ ଅଧିକ ସମୟ ହୋଇଯାଇଥିବାରୁ ତଳି ତକ ବୁଢା ହୋଇଗଲାଣି । ବୁଢା ତଳି ଲଗାଇଲେ ଯେତିକି ଧାନ ଅମଳ ହେବା କଥା ହେବକି ନାହିଁ ତାହା ମଧ୍ୟ ଚାଷୀ ଦ୍ଵନ୍ଦ ପଡିଛନ୍ତି । ବର୍ତମାନ ବିହନ କିଣି ତଳି ପକାଇଲେ ତାହା ମଧ୍ୟ ରୁଆ ହେବାର ସମୟ ନାହିଁ ଏମିତି ଦେଖିବାକୁ ଗଲେ ଚାଷୀଙ୍କ ମେରୁଦଣ୍ଡ ବର୍ଷା ଅଭାବରୁ ନଇଁ ପଡିଲାଣି । ଚାଷୀ ହୁଡ଼ାରେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛି । ସେପଟେ ଉଠା ଜଳସେଚନ ସୁବିଧା ନାହିଁ । କେଉଁଠାରେ କେମିତି ଅଛି ତାହା ମେସିନ ଚୋରି ହୋଇଯାଇଛି କିମ୍ବା ଲାଇନ ନାହିଁ ,ଅଚଳ ହୋଇ ପଡିରହିଛି। ବର୍ଷାକୁ ଅନାଇ ବର୍ଷା ଋତୁ ଅଧା ସରିଲାଣି ଚାଷ ଜମି ୮୦% ପଡିଆ ପଡିଛି । ଖର୍ଚ୍ଚ ଅନୁସାରେ ଚାଷରେ ସେତେଟା ଲାଭ ହେଉନି ତଥାପି ଚାଷୀ ଚାଷ ଜାରି ରଖିଛନ୍ତି ବୋଲି କହିଛନ୍ତି । ଆଗାମୀ ସପ୍ତାହକ ମଧ୍ୟରେ ଭଲ ବର୍ଷା ନହେଲେ ଚଳିତ ବର୍ଷ ମରୁଡ଼ି ହେବା ସୁନିଶ୍ଚିତ ବୋଲି ଚାଷୀ ମାନେ ମତ ପ୍ରକାଶ କରିଛନ୍ତି। ଚାଷୀ କାହ୍ନୁଚରଣ ସାହୁ, ଶିଶିର ସାହୁ, ଗୋବିନ୍ଦ ସାହୁ, ଚୈତନ୍ୟ ସାହୁ, ପ୍ରେମାନିଧି ସାହୁ, ବିଦେଶି ସାହୁଙ୍କ କହିବାନୁଯାୟୀ ଚଳିତ ବର୍ଷ ମେ ଏବଂ ଜୁନ ମାସର ବର୍ଷା ଦେଖି ଏବର୍ଷ ଭଲ ଚାଷ ହେବ ବୋଲି ଭାବିଥିଲେ ତେଣୁ ଅଧିକ ଦରରେ ଭଲ ବିହନ ତଳି ପକାଇଥିଲେ। କିନ୍ତୁ ଜୁଲାଇ ମାସର ଶେଷ ହେଲାଣି ବର୍ଷାର ଦେଖା ନାହିଁ ତଳି ତକ ସବୁ ଶୁଖିକି ପଡିଛି । ଶହ ଶହ ଏକର ଚାଷ ଜମିରେ ଗାଈଗୋରୁ ଚରୁଛନ୍ତି । ତେଣୁ ସରକାର ଯଥାଶିଘ୍ର କର୍ଲାମୁଣ୍ଡା ବ୍ଲକକୁ ମରୁଡ଼ି ଘୋଷଣା କରନ୍ତୁ ବୋଲି ଚାଷୀମାନେ ଦାବୀ କରିଛନ୍ତି ।