ନିରାଶା ର ନୂଆଖାଇ

● କରୋନା କଟକଣା କୋହଳ ହୋଇଛି ହେଲେ ଚାରିଆଡେ ମରୁଡି ପରିସ୍ଥିତି

କଳାହାଣ୍ଡି, ୧୦|୯ (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ପ୍ରମୁଖ ଗଣପର୍ବ ନୂଆଖାଇ । ନୂଆଖାଇ ଆସିଲେ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକ ମଧ୍ୟରେ କଳାହାଣ୍ଡି, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର ପ୍ରଭୃତିର ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠେ । ସତେ ଯେମିତି ଲାଗେ ଶୁଷ୍କ ବୃକ୍ଷରାଜି ପୁଣି ପ୍ରସ୍ପୁଟିତ ହୋଇ ଉଠୁଛି । ହାଟ ବଜାର ସବୁଠି ଗହଳି । ଗଣେଶ ପୂଜା ସାଙ୍ଗକୁ ନୂଆଖାଇ ପାଇଁ ମାର୍କେଟିଂ କରିଥାନ୍ତି ଲୋକେ । ନୂଆଖାଇରେ ବର୍ଷର ପ୍ରଥମ ଫସଲ ନୂଆ ଧାନରୁ କ୍ଷୀରି ଓ ନୂଆଚୂଡା ପ୍ରସ୍ତୁତ ହୋଇ ଗ୍ରାମ ଦେବା ଦେବୀ, ଇଷ୍ଟ ଦେବା ଦେବୀଙ୍କ ଠାରେ ଭୋଗଲାଗି ହେବା ପରେ ନବାନ୍ନ ଭକ୍ଷଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଅଞ୍ଚଳର ଲୋକେ ଗ୍ରାମବାସୀଙ୍କୁ ସୁହାଇଲା ଭଳି ଗୈାନ୍ତିଆ, ଜାନୀ, ଝାଙ୍କର, ଗଣା ପ୍ରମୁଖଙ୍କ ଉପସ୍ଥିତିରେ ତିଥି, ବାର, ଦିନ ଧାର୍ଯ୍ୟ କରି ନବାନ୍ନ ଭକ୍ଷଣ କରୁଥିଲେ । ଏସବୁକୁ ଦେଖି ରାଜ୍ୟ ସରକାର ନବାନ୍ନ ପାଇଁ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ତିଥିକୁ ନୂଆଖାଇ ଦିନର ମାନ୍ୟତା ଦେଇ ସରକାରୀ ଭାବରେ ଛୁଟି ଘୋଷଣା କରିବା ପରେ ସେହି ଦିନଠାରୁ ଗଣେଷ ପୂଜାର ପରଦିନ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାବାସୀ ନବାନ୍ନ ପାଳନ କରି ଆସୁଛନ୍ତି ।

Omkar Vasthu
Omkar Vasthu


ତେବେ ରାଜାରାଜୁଡ଼ା ସମୟରୁ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ମ.ରାମପୁର, ଜୟପାଟଣା, ଲାଞ୍ଜିଗଡ଼ ପ୍ରଭୃତି ଅଞ୍ଚଳରେ ଦଶମୀ ତିଥିରେ ନୂଆ ଖାଉଥିବା ଦେଖିବାକୁ ମିଳିଥାଏ । ହେଲେ ଚଳିତ ବର୍ଷ ମରୁଡିର କଷାଘାତରେ ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି । ଚଳିତ ବର୍ଷ ହୀନ ବୃଷ୍ଟି ଯୋଗୁଁ ଆରମ୍ଭରୁ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଛି । ଆଶାଢ, ଶ୍ରାବଣ ସାଙ୍ଗକୁ ଦୁଇ ଦୁଇ ଗୋଟି ଲଘୁଚାପ ସରିଗଲା ହେଲେ ବର୍ଷାର ଦେଖା ନାହିଁ । ନର୍ଲା ଅଞ୍ଚଳରେ ଶହ ଶହ ହେକ୍ଟର ଜମି ଚାଷ ହୋଇ ନପାରି ପଡିଆ ପଡିଥିବା ଜଣାପଡିଛି । ଅଳ୍ପ କେଇ ଜଣ ଚାଷୀ ଋଆ ବେଉଷା କରି ସାରିଥିଲେ ମଧ୍ୟ ପାଣି ଅଭାବରେ ଜମି ଫାଟି ଆଁ କଲାଣି । ଅଞ୍ଚଳର ଚାଷୀ କୂଳ ମାନଙ୍କ ତରଫରୁ ମରୁଡି ଘୋଷଣା ପାଇଁ ବିଡିଓ ଓ ତହସିଲଦାରଙ୍କ ଠାରେ ଦାବୀ ପତ୍ର ସବୁ ଦିଆ ଯାଉଥିବା ଦୃଶ୍ୟମାନ ହେଉଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଗତ ୨୦୨୦ ମସିହାରେ ଚାଷ ଖୁବ ଭଲ ହୋଇଥିଲା । ହେଲେ ନୂଆଖାଇର ଚମକ ନଥିଲା । କରୋନା କଟକଣା ଯୋଗୁଁ ଲୋକେ ଘର ଭିତରେ ଲୁଚି ଲୁଚି ନୂଆଖାଇଲେ । ନୂଆଖାଇ ଭେଟଘାଟର ପ୍ରମୁଖ ସ୍ଥଳି ପ୍ରହରୀ ମଣ୍ଡପ, ଭାଗବତ ଟୁଙ୍ଗୀ, ଗାଁ ଦାଣ୍ଡ, ଗାଁ ଛକ ଗୁଡିକରେ ନୂଆଖାଇ ଜୁହାର ଓ ଭେଟଘାଟର ଆସର ଜମିବା କଥା । ହେଲେ ଲୋକେ ନୂଆ ଖାଇଲେ ସିନା ପୋଲିସ ଭୟରେ ଘରୁ ପଦାକୁ ବାହରି ପାରିଲେ ନାହିଁ । ଚଳିତ ବର୍ଷ କରୋନା କଟକଣା କୋହଳ ହୋଇସାରିଥିବା ବେଳେ ଗହଳି ଚହଳି ମଧ୍ୟ ରାସ୍ତା ଘାଟ, ବଜାର ଛକରେ ଦେଖିବାକୁ ମିଳୁଛି ।


ନୂଆଖାଇ ମୁଖ୍ୟତଃ କୃଷି ଭିତ୍ତିକ ପର୍ବ ତେବେ ନର୍ଲା ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଯୋଗୁଁ ଚାଷୀଙ୍କ ମନରେ ସୁଖ ନାହିଁ । ମୁହଁରେ ହରଷ ନାହିଁ । ଯେଉଁଥି ପାଇଁ ଏଥରକ ନୂଆ ଖାଇ ଆଉ ନୂଆଖାଇ ଭଳି ଲାଗୁନି । ନା ଅଛି ଯୋଶ୍, ନା ରହିଛି ଆନନ୍ଦ । ଚଳିତ ବର୍ଷ ନୂଆଖାଇ ନିରାଶ ମଧ୍ୟରେ ପାଳିତ ହେବ ବୋଲି ସ୍ପଷ୍ଟ ଜଣାପଡୁଛି । ଏଣୁ ଚଳିତ ବର୍ଷର ନୂଆଖାଇକୁ ନର୍ଲାର ଚାଷୀ କୂଳ ଓ ବୁଦ୍ଧିଜୀବୀ ମହଲରେ ନିରାଶାର ନୂଆଖାଇ ବୋଲି କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.