ଲାଞ୍ଜିଗଡ଼, ୧୧|୯: ଭାଦ୍ର ଶୁକ୍ଳ ପଞ୍ଚମୀ ତିଥି ଶନିବାର ଦିନ କଳାହାଣ୍ଡିର ପୁରପଲ୍ଲୀରେ ପାରମ୍ପାରିକ ରିତି ନିତି ଅନୁକ୍ରମେ ନୂଆଖାଇ ସମାପନ ହୋଇଯାଇଛି । ବିଧିମତେ ଗ୍ରାମଦେବାଦେବୀ ଓ ପିଦର (ପିତୃ ଉପାସନା ସ୍ଥଳୀ) ରେ ନିଜ ନିଜର ଇଷ୍ଟ ଦେବୀଙ୍କୁ ପ୍ରଥମ ଅନ୍ନ ସମର୍ପଣ ପୂର୍ବକ ନୂଆଧାନ ଖାଇବାର ପରମ୍ପରାକୁ ସମ୍ମାନ ଦେବାକୁ ଯାଇ, ମରୁଡି ସ୍ଥିତିରେ ବି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଘରେ ଘରେ ପାଳିତ ହେଇଯାଇଛି ନୂଆଖାଇ । ଜନସାଧାରଣ ନୂଆଖାଇ ପରସ୍ପର ମଧ୍ୟରେ ଜୁହାର ଭେଟ ହେଉଛନ୍ତି । ଏହା ନୂୂଆଖାାଇ ବାସୀ ଯାଏଁ ଜାରି ରହିବ ।
ଗତବର୍ଷ କରୋନା କଟକଣା ଯୋଗୁଁ ନୂଆଖାଇ ଫିକା ପଡିଥିଲା । ଏବର୍ଷ ଜିଲ୍ଲାସାରା ଭୟାବହ ମରୁଡ଼ି ସ୍ଥିତି ଦେଖା ଦେଇଥିବାରୁ ନୂଆଖାଇ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଆଦିମ ସମୟରୁ ଅନୁସୃତ ହୋଇ ଆସୁଥିବା କୃଷି ଭିତ୍ତିକ ସମାଜ ବ୍ୟବସ୍ଥାର ଏହି ମହାନ ପର୍ବକୁ ମରୁଡ଼ି ପରିସ୍ଥିତି ମଧ୍ୟ ସେତେ ପ୍ରଭାବିତ କରିପାରିନାହିଁ । ଗାଁ ଗାଁ ଘରେ ଘରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।
ନୂଆଖାଇର କିଛିଦିନ ପୂର୍ବରୁ ଘରଦ୍ବାର ସଫା ସୁତୁରା କରାଯାଏ । ଏହି ସମୟରେ ଗାଁର ଗୌନ୍ତିଆଙ୍କ ନିର୍ଦ୍ଦେଶମତେ ଜାନୀ, ଦିଶାରୀ ଓ ଗଣା ‘ପନା ପାଏନ୍’ ଢାଳିଥାନ୍ତି । ଏହାପରେ ନୂଆଖାଇର ଅବ୍ୟବାହିତ ପୂର୍ବରୁ ‘ରୁଗୀ ବଲା’ କାର୍ଯ୍ୟକ୍ରମ ସମାପନ ହୋଇଥାଏ । ଗାଁର ଗଣା ରୁଗୀବଲା କାର୍ଯ୍ୟ ସଂପାଦନ କରୁଥିବାବେଳେ ଜାନୀ ଓ ଦିଶାରୀ ତାଙ୍କୁ ସହଯୋଗ କରିଥାନ୍ତି ।
ନୂଆଖାଇର ପୂର୍ବଦିନକୁ ‘ଉପାସ ବାର’ ବୋଲି କୁହାଯାଇଥାଏ । ଏହି ଦିନ ସନ୍ଧ୍ୟାରେ ପିଦର ଠାରେ ଦେବାଦେବୀଙ୍କୁ ଆସିବାକୁ ଆବାହନ କରାଯାଇଥାଏ । ଗୃହକର୍ତ୍ତା ଓ ଗୃହିଣୀ ଉପବାସରେ ରହି ପୂର୍ବ ପୂରୁଷ ବିଧିମତେ ଏହି ରିତି ସଂପନ୍ନ କରିଥାନ୍ତି।
ସନ୍ଧ୍ୟା ସମୟରେ ପିଦରରେ ପିତୃ ପୁରୁଷଙ୍କୁ ଆବାହନ କରି ପରଦିନ ଅର୍ଥାତ ପଞ୍ଚମୀ ତିଥିରେ ନୂଆ ଖାଇବାର ସୂଚନା ଦିଆ ଯାଇଥାଏ । ବର୍ଷକୁ ଥରେ ଆସୁଥିବା ଏହି ପର୍ବ ଯେମିତି ସୁରୁଖୁରୁରେ ସଂପନ୍ନ ହେବ ସେଥିପାଇଁ ଇଷ୍ଟ ଦେବାଦେବୀ ଓ ପିତୃ ପୁରୁଷଙ୍କ ଠାରେ ଆଶିର୍ବାଦ ଭିକ୍ଷା କରିଥାନ୍ତି ଗୃହ କର୍ତ୍ତା ।
ଉପାସ ବାର ଦିନ ଗାଁର ଧରଣୀ ପୀଠରେ ଖେଡ୍ ସୁଆ ନୀତି ପାଳିତ ହୋଇଥାଏ । ଗ୍ରାମର ଗୌନ୍ତିଆ ଏହି ନିତି ସଂପାଦନ କରୁଥିବାବେଳେ ଜାନୀ, ଦିଶାରୀ ଓ ଗଣା ସହଯୋଗ କରିଥାନ୍ତି । ଗୌନ୍ତିଆ ଭଟାରେ ପୂଜାର୍ଚ୍ଚନା କରି ଛେଟ୍’କା ଧାନକେଣ୍ଡା ଆଣି ଧରଣୀ ପିଠରେ ରଖିଥାନ୍ତି, ଯାହାକୁ ଖେଡ୍ ସୁଆ ବୋଲି କୁହାଯାଏ । କେତେକ ଗ୍ରାମରେ ଜାନୀ, ଦିଶାରୀ ଓ ଗଣା ଘର ଘର ଯାଇ ନୂଆ ଧାନ କେଣ୍ଡା ଦେଇ ଆସିଥାନ୍ତି । ଅନ୍ୟ କେତେକ ଗ୍ରାମରେ ଗୃହ କର୍ତ୍ତାମାନେ ନୂଆଖାଇ ଦିନହିଁ ଧାନ ସଂଗ୍ରହ କରି ଆଣିଥାନ୍ତି ।
ନୂଆଖାଇ ପୂର୍ବରୁ ଗଜାମୁଙ୍ଗ, ମକର, ମିତ, ମାର୍ସାଦ, ସାଇ ଆଦି ବିଭିନ୍ନ ମାନ୍ୟ କରୁଥିବା ଯୋଡିମାନେ ନିଜ ନିଜ ମଧ୍ୟରେ ‘ଜୁଗାର୍ ଭାର୍’ ଦିଆନିଆ ହୋଇଥାନ୍ତି । ଏହା ନିଜ ନିଜ ମଧ୍ୟରେ ମୈତ୍ରୀ ବନ୍ଦନକୁ ସୁଦୃଢ କରିବାରେ ସହାୟକ ହୋଇଥାଏ । ପୁଅ ପାଇଁ ବୋହୁ ଠିକ୍ ହୋଇଥିଲେ ବୋହୁ ପାଇଁ ମଧ୍ୟ ଜୁଗାର୍ ଭାର ଯାଇଥାଏ । ଏଥିରେ ଶାଢି ସହ ବିଭିନ୍ନ ପ୍ରସାଧନ ସାମଗ୍ରୀ ପଠା ଯାଇଥାଏ ।
ନୂଆଖାଇ ଦିନ ପ୍ରାତ କାଳରୁ ଗୃହକର୍ତ୍ତା ଭଟାକୁ ଯାଇ ଗୋରସ, ଚାଉଳ, ଫୁଳ ଆଦି ଅର୍ପଣକରି ନୂଆ ଧାନକୁ ଘରକୁ ଆଣିଥାନ୍ତି । ଏହି ଧାନକୁ କୁଟି ପ୍ରସାଦ ତିଆରି କରାଯାଏ । ଏପଟେ ଗୃହିଣୀମାନେ ବିବିଧ ବର୍ଣ୍ଣର ପିଠା, ଅନ୍ନ ଆଦି ପ୍ରସ୍ତୁତ କରିଥାନ୍ତି । କୂଳାଚାର ବିଧିରେ ପିଦରରେ ପିତୃ ଉପାସନା କରାଯାଏ । ଗୃହ ଦେବାଦେବୀ ଓ ପିତୃ ପୁରୁଷଙ୍କ ଠାରେ ନବାନ୍ନ ସମର୍ପଣ ପରେ ଘରର ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଥାନ୍ତି । ଏହାପରେ କନିଷ୍ଠମାନେ ଗୁରୁଜମାନଙ୍କୁ ମୁଣ୍ଡିଆ ମାରିଥାନ୍ତି ।
ନୂଆଖାଇ ଓ ଜୁହାର ପର୍ବ ସମାପନ ହେବାପରେ ଘରର ଛୋଟ ଛୋଟ ଶିଶୁ ମାନଙ୍କୁ ଏକାଠି ବସାଇ ସେମାନଙ୍କୁ କ୍ଷୀର ଦ୍ବାରା ସେମାନଙ୍କ ପାଦ ପ୍ରକ୍ଷାଳନ କରାଯାଏ ଓ ଅକ୍ଷତ ଅରୁଆ ଚାଉଳ ଏବଂ ଫୁଳ ଦେଇ ଆଶିର୍ବାଦ କରାଯାଏ । ଛୋଟବେଳୁ ଏମିତି ଏକ ନିଆରା ପରମ୍ପରା ସଂସ୍ପର୍ଶରେ ଆସି ଶିଶୁଟିଏ ସଂସ୍କାରିତ ହୋଇଥାଏ ।
ଘରେ ସମସ୍ତଙ୍କୁ ମୁଣ୍ଡିଆ ମାରିବାପରେ ପ୍ରସ୍ତୁତ ହୋଇଥିବା ବିବିଧ ଅନ୍ନ ବ୍ୟଞ୍ଜନ ଭକ୍ଷଣ କରାଯାଏ । ଏହାପରେ ସମସ୍ତେ ଗାଁ ଦାଣ୍ଡକୁ ବାହାରି ସମସ୍ତଙ୍କ ସହ ଜୁହାର ଭେଟ ହୋଇଥାନ୍ତି । ବର୍ଷ ଜାକର ମନୋମାଲିନ୍ୟ ଜୁହାର ଭେଟ ଦ୍ବାରା ପାଣି ଫୋଟକା ପରି ମିଳାଇ ଯାଇଥାଏ ।
ନୂଆଖାଇର ପରଦିନ ବାସୀପର୍ବ । ଏହି ଦିନ ଘରେ ଘରେ ମାଂସ ଓ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ । ଗାଁରେ ଘୁମୁରା, ବନାବାଡି, ଘୁଡୁକା ଆଦି ବିଭିନ୍ନ ପ୍ରକାରର ସାଂସ୍କୃତିକ ଆସର ଜମେ । ନୂଆଖାଇର ଦୁଇଦିନ କୃଷକ ଓ ଶ୍ରମଜିବୀମାନେ ନିଜ ନିଜ କାର୍ଯ୍ୟ ବନ୍ଦ କରି ମଉଜ ମଜଲିସରେ ସମୟ ଅତିବାହିତ କରନ୍ତି । ପିତୃପୁରୁଷ କ୍ରମରେ ଚଳି ଆସୁଥିବା ନୂଆଖାଇ ପର୍ବ ଆଜିବି ଜିଲ୍ଲାର ଗ୍ରାମାଞ୍ଚଳରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଥାଏ ।
ଜିଲ୍ଲାର ଲାଞ୍ଜିଗଡ, ନର୍ଲା, କର୍ଲାମୁଣ୍ଡା, କେସିଙ୍ଗା, ଲାଞ୍ଜିଗଡ଼, ଥୁଆମୁଲ ରାମପୁର, ଜୟପାଟଣା, କଲମପୁର, ଭବାନୀପାଟଣା, ଜୁନାଗଡ, ଗୋଳାମୁଣ୍ଡା, ଜୟପାଟଣା, ଧର୍ମଗଡ, ଜୟପାଟଣା, ଥୁଆମୁଲ ପାମପୁର ଆଦି ବ୍ଲକର ଗ୍ରାମାଞ୍ଚଳରେ ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହୋଇଛି।
ଏହା ପୂର୍ବରୁ କେସିଙ୍ଗା ବ୍ଲକର ପଥର୍ଲା, କିକିଆ, ଚିଚର୍ଲା ଆଦି ଗ୍ରାମମାନଙ୍କରେ ନୂଆଖାଇ ପାଳିତ ହୋଇଥିଲା । ଆଗକୁ ଦଶମୀ ତିଥିରେ ଜିଲ୍ଲାର ଭବାନୀପାଟଣା ସହର ସମେତ ଦାଦପୁର, ଲାଞ୍ଜିଗଡ଼, ଜୟପାଟଣା, ଥୁଆମୁଲ ରାମପୁର, ମଦନପୁର ରାମପୁର ଆଦି ଗଡଜାତ ଅଞ୍ଚଳରେ ଦଶମୀ ତିଥିରେ ନବାନ୍ନ ଭକ୍ଷଣ କରାଯିବ। ଦଶମୀ ତିଥିରେ ସଂପୃକ୍ତ ଅଞ୍ଚଳର ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେଇଥାଏ । ଏହାପରେ ଜନସାଧାରଣ ନିଜ ନିଜ ଗୃହ ଦେବାଦେବୀ ଓ ପିତୃପୁରୁଷଙ୍କ ପାଖରେ ନବାନ୍ନ ସମର୍ପଣ କରି ନୂଆ ଖାଇଥାନ୍ତି ।
ତେବେ ଏବର୍ଷ ମଧ୍ୟ ଅନ୍ୟବର୍ଷ ପରି ଜିଲ୍ଲାର ଗ୍ରାମାଞ୍ଚଳର ଚାଷଜମିରେ ପୂଜାର୍ଚ୍ଚନା ସହ ଘରେ ଘରେ ନିଜ ଇଷ୍ଟଙ୍କ ପାଖରେ ପୂଜାର୍ଚ୍ଚନା ପରେ ପରେ ପରିବାରର ସଦସ୍ୟମାନେ ଏକତ୍ରୀତ ହେଇ ନୂଆବସ୍ତ୍ର ପରିଧାନ ସହିତ ନବାନ୍ନ ଭକ୍ଷଣ କରିଥିଲେ । ନବାନ୍ନ ପରେ ଛୋଟମାନେ ବଡ଼ମାନଙ୍କୁ ପ୍ରଣାମ କରି ଆଶିର୍ବାଦ ଭିକ୍ଷା କରିଥିବାବେଳେ ଗୁରୁଜନମାନେ ସମସ୍ତଙ୍କୁ ସ୍ନେହ ଦେଇଥିଲେ । ଏହି ପର୍ବ ଅବସରରେ ‘ଜୀଇଁ ଜାଗିଥିଲେ ବଛରେ….’ ବୋଲି କେହି କେହି କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in