● ସପ୍ତମ/ଅଷ୍ଟମ ଶତାଦ୍ଦୀରେ ୧୨ହଜାର ବଜନିଆ ବାଦ୍ୟ ସଙ୍ଗୀତ ଶିକ୍ଷା ଦେବାପାଇଁ ପାରସ୍ୟକୁ ଯାଇଥିଲେ
● ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପକ୍ଷରୁ ଭାଲୁଚଞ୍ଚରାଠାରେ ନୂଆଖାଇ ଭେଟଘାଟ
ଲାଞ୍ଜିଗଡ଼: ଗାନ୍ଧର୍ବ କଳାରେ ନିପୁଣ ଡମ୍ ଜାତିର ଏକ ସ୍ବତନ୍ତ୍ର ପରିଚିତି ରହିଛି। ଏହି ଜାତିର ଐତିହ, ପରମ୍ପରା ଓ ସଂସ୍କୃତି ନିଆରା। ବେଦ ପୂର୍ବରୁ ବିଶ୍ବରେ ନିନାଦିତ ହୋଇଛି ପଞ୍ଚ ବାଦ୍ୟ ଆଉ ଏହାର ରୁପକାର ହେଉଛନ୍ତି ଡମ୍ କଳାକାର। ଆଦିମ ସମାଜ ବ୍ୟବସ୍ଥା ଏକ ପ୍ରମୁଖ ଅଙ୍ଗ ଥିବା ନୃତ୍ୟ ସଂଗୀତକୁ ଦେଶ ବିଦେଶରେ ପରିଚିତ କରାଇବାରେ ଡମ୍ ଜାତି (the great DOM CASTE) ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଇତିହାସର ପୃଷ୍ଟା ଅବଳୋକନ କଲେ ଜଣାଯାଏ ଯେ, କୋଶଳ ମହାଜନପଦ ଅନ୍ତର୍ଗତ ବୃହତ୍ତର ତୈତିଳକ ଜନପଦ ସମେତ ଏକଦା ମହିକାନ୍ତାର ବୋଲାଉଥିବା କଳାହାଣ୍ଡି, କୋରାପୁଟ କେତେକାଂଶ ଓ କନ୍ଦମାଳ ସେ ସମୟରେ ଏକ ନିର୍ଦ୍ଦିଷ୍ଟ ବାଦ୍ୟ କଳାକାର ଗୋଷ୍ଠୀ (ଡମ୍) ରହିଥିଲେ। ଏମାନେ ବାଦ୍ୟବାଦନ ଓ ନିର୍ମାଣ କଳାରେ ସମଗ୍ର ଭାରତବର୍ଷରେ ବିଖ୍ୟାତ ଥିଲେ। ଏହି ବାଦ୍ୟ କଳାକାର ବା ବଜନିଆ ଗୋଷ୍ଠୀରୁ ସପ୍ତମ/ଅଷ୍ଟମ ଶତାଦ୍ଦୀରେ ପ୍ରାୟ ୧୨,୦୦୦ (ବାର ହଜାର) ବାଦ୍ୟ ସଙ୍ଗୀତ ଶିକ୍ଷା ଦେବାପାଇଁ ବୈରାମ ଗୈାର ଙ୍କ ଶାସନ କାଳରେ ପାରସ୍ୟକୁ ଯାଇଥିଲେ। ତେବେ ସମୟର ନିଷ୍ଠୁର ପରିବର୍ତ୍ତନ ଯୋଗୁଁ ଏହି ମହାନ ଜାତି ଅସୃଷ୍ୟତାର ଅନ୍ଧ ଅର୍ଗଳିରେ ବନ୍ଧାପଡି କଥାକଥିତ ସବର୍ଣ୍ଣମାନଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇ ନିଜର ପୂର୍ବ ଗୈାରବ ଗାରିମା ଭୁଲିବାକୁ ଲାଗିଛି।
ତେବେ ସକଳ ଶକ୍ତିର ମୂଳାଧାର ସୂର୍ଯ୍ୟ ଯେପରି ତେଜିଆନ ସେପରି ଆଦିମ ସମାଜର ପୃଷ୍ଠଭୂମିରୁ ଉଦ୍ଭବ ହୋଇଥିବା ଏହି ବାଦ୍ୟବୃନ୍ଦ ମଧ୍ୟ ସେହିଭଳି ଦିପ୍ତିମାନ। କାଳ ଯେତେ ନିଷ୍ଠୁର ହେଉ, ଯେତେ ଶକ୍ତିଶାଳୀ ହେଉ ଡମ୍ ଜାତିର ଗୈାରବମୟ ଗାଥାକୁ ସଂପୂର୍ଣ୍ଣ ଭାବରେ ଧଂସ କରିପାରିବନାହିଁ, ଯାହା ପ୍ରମାଣସିଦ୍ଧ ହୋଇଛି। ନାନା ଘାତ ପ୍ରତିଘାତ ମଧ୍ୟରେ ଆଜିବି ଡମ୍ ଜାତି ଏହି ମହାନ କଳାକୁ ବଞ୍ଚେଇ ରଖିଛି। ପ୍ରକୃତ ଅର୍ଥରେ କହିବାକୁ ଗଲେ ବିଶ୍ୱର ସର୍ବ ପୁରାତନ ବାଦ୍ୟକାର ଗୋଷ୍ଠୀ ଡମ୍ ଜାତି ଓ ସମାଜର ଐତିହ୍ୟ ଓ ପରମ୍ପରା ସାରା ବିଶ୍ୱରେ ଅଦ୍ୱିତୀୟ ବୋଲି ଭାଲୁଚଞ୍ଚରାଠାରେ ଆୟୋଜିତ ନୂଆଖାଇ ଭେଟଘାଟରେ ମତ ପ୍ରକାଶ ପାଇଛି।
ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡି ପକ୍ଷରୁ ଲାଞ୍ଜିଗଡ ବ୍ଲକ ଭାଲୁଚଞ୍ଚରାଠାରେ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଶାଖାର ନୂଆଖାଇ ଭେଟଘାଟ ଓ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅଧିବେଶନ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କଳାହାଣ୍ଡିର ସଭାପତି ଧନଞ୍ଜୟ ଦୀପ, ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ଓ ଫେଡେରେସନର କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ମୁଖ୍ୟବକ୍ତା ଭାବେ ମହିଳା ସମାଜ ସଂସ୍କାରକ କମଳିନୀ ଯାଦବ, ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ଗିରିଜା ବେହେରା, ସାହିତ୍ୟ ଅକାଦେମି ପୁରସ୍କାର ପ୍ରାପ୍ତ ଯୁବକବି ଜୟଦ୍ରଥ ସୁନା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଫେଡେରେସନର ଜିଲ୍ଲା ସଂପାଦକ ଶ୍ରୀବତ୍ସ ତାଣ୍ଡି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଫେଡେରେସନର ଲାଞ୍ଜିଗଡ ବ୍ଲକ ଶାଖାର ସଭାପତି ଜଗଦୀଶ ବେନିଆଁ, ବିଶିଷ୍ଟ ସମାଜସେବୀ ପ୍ରକାଶ ସାଗର ପ୍ରମୁଖ ଯୋଗ ଦେଇଥିଲେ ।
ଫେଡେରେସନର ଗୋବର୍ଦ୍ଧନପୁର ପଞ୍ଚାୟତ ସଭାପତି ଘାସିରାମ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭେଟଘାଟ କାର୍ଯ୍ୟକ୍ରମରେ ଯୁବ ଲେଖକ ଓ ସମାଜସେବୀ ସୁଶୀଲ ବାଗ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଫେଡେରେସନର ପଞ୍ଚାୟତ ସଂପାଦକ ଯୁଧିଷ୍ଟିର କରୁଆଁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଯୁବ ସମାଜସେବୀ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା ଓ କ୍ଷୀରସାଗର ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଦ୍ୱିତୀୟ ଅଧିବେଶନ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ନର୍ଲା ଥାନାଧିକାରୀ ରେଣୁକା ସୁନା, ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, ସଦସ୍ୟ ସନ୍ତୋଷ ତୁଳ, ଗୋବର୍ଦ୍ଧନପୁର ସରପଞ୍ଚ ସୁରେନ୍ଦ୍ର ମାଝୀ, ଗୋବର୍ଦ୍ଧନପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ଉଦୟ କୁମାର ପ୍ରମୁଖ ଯୋଗ ଦେଇଥିଲେ।
ଫଟୁଲାଲ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୩୦ ଜଣ ବଜନିଆ (ବାଦ୍ୟ କଳାକାର) ଓ ୨୦ ଜଣ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବିଡିଓ ଶ୍ରୀ ମିଶ୍ର ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତଠାରେ ହେବାକୁ ଥିବା ଗ୍ରାମ୍ୟ ଉଦ୍ୟାନକୁ ଡ଼ଃ. ବିଆର୍ ଆମ୍ବେଦକର ପାର୍କ ଭାବେ ନାମିତ କରିବାକୁ ଘୋଷଣା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନରହରି କରୁଆଁ। କାର୍ଯ୍ୟକ୍ରମକୁ ସଫଳ କରିବାକୁ ମଧୁପୁର, ଗୋପାଳପୁର, ରାମଚନ୍ଦ୍ରପୁର, ପାଣିମୁଣ୍ଡା, ଲକଟାଖମନ, ଭାଲୁଚଞ୍ଚରା, ଗୋବର୍ଦ୍ଧନପୁର ଗାଁରୁ ମହିଳା ଓ ପୁରୁଷ ସାମିଲ ହୋଇଥିବାବେଳେ ନର୍ଲା ଥାନାର ବଂଶୀଧର ସାମଲ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ କୁମାର ଗୁରୁଙ୍କ ନେତୃତ୍ୱରେ ପୁଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷାରେ ନିୟୋଜିତ ହୋଇଥିଲେ।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in