ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ସହ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ ପାଳନ କଲା ପ୍ରଶାସନ

ରାୟଗଡା, (ଶିବ ନାରାୟଣ ଗୈାଡ): ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରାୟଗଡା ସଦର ମହକୁମା ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ ପରିବେଷଣ କରାଯାଇ ସଂକୀର୍ତନ ମାଧ୍ୟମରେ ସ୍ଥାନୀୟ ରେଳବାଇ ଷ୍ଟେସନ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗାନ୍ଧୀ ପାର୍କ ଠାରେ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସର୍ବଧର୍ମ ପ୍ରାର୍ଥନା, ପୂଜ୍ୟପୂଜା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଉପସ୍ଥିତ ରହି ଗାନ୍ଧୀ ପାର୍କ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୃତି ଚାରଣ କରିଥିଲେ ।


ଗାନ୍ଧୀଜୀଙ୍କ ନୀତିବାଣୀକୁ ସମେସ୍ତ ଅନୁସରଣ କରି ପାଳନ କରିବା ଆବଶ୍ୟକ । ପରୋପକାର ସହ ଅନ୍ୟଙ୍କୁ ଭଲ ପାଇବା ଓ ସ୍ନେହ କରିବା ହିଁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମୂଳ ଆଦର୍ଶ ରହିଥିଲା ତେଣୁ ସେ ଅହିଂସା ଓ ସତ୍ୟକୁ ସବୁବେଳେ ନିଜର ମୂଳ ଅସ୍ତ୍ର କରି ଦେଶକୁ ସ୍ୱାଧୀନତା ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମରେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟ ଓ ଶିଖ ଧର୍ମର ଧର୍ମଗୁରୁ ମାନେ ଯୋଗଦାନ କରି ଗୀତା, କୋରାନ, ବାଇବେଲ ଓ ଗୁରୁଗ୍ରନ୍ଥ ସାହିବ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପିଡି-ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଗାନ୍ଧୀବାଦୀ ନେତା ଜୟଦେବ ଜେନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସଂଯୋଜନା କରିଥିଲେ । ସେହିପରି ପୂର୍ବାହ୍ନ ୧୦ଘଟିକା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ରାୟଗଡା ଜିଲ୍ଲା ସଦର ବ୍ଳକର ଲୋକକଳା ଗ୍ରାମ ଗେଟିପଡା ଠାରେ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତି ଓ ଲୋକକଳା ଗ୍ରାମର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପାଳନ ହୋଇଥିଲା ।


ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା, ମୁଖ୍ୟ ବକ୍ତା ଭାବେ ଶ୍ରୀ ନରେନ୍ଦ୍ର କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ଲାଲବିହାରୀ ହିମିରିକା, ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ, ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ, ଲୋକକଳା ଗ୍ରାମର ସଭାପତି ସନ୍ତୋଷ ତାଣ୍ଡି ଉପସ୍ଥିତ ରହିଥିଲେ । ସେହିପରି ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପୈାରାହିତ୍ୟ କରିଥଲେ । କଳା, ସାହିତ୍ୟ, ସଂସ୍କୃତି ତଥା କଳାକାର ଗ୍ରାମର ପ୍ରତିଟି ଲୋକଙ୍କ ସାମୁହିକ ଉନ୍ନତି ଓ କଳାକାର ଗ୍ରାମର କଳାକାରମାନଙ୍କୁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ଅତିଥିମାନେ ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନୃସିଂହଚରଣ ପଟ୍ଟନାୟକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ସାଧାରଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗେଟିପଡା ଲୋକକଳା ଗ୍ରାମର କଳାକାରମାନଙ୍କ ଦ୍ୱାରା ସମ୍ବଲପୁରୀ, ଲୋକ ନୃତ୍ୟ, ନିଶା ନିବାରଣ ଉପରେ ପଥପ୍ରାନ୍ତ ନାଟକ, ମେଲୋଡି ସହ ରାୟଗଡା ସହରର ସ୍ୱର ସାଗର, ଗାୟତ୍ରୀ କଳା ଅନୁଷ୍ଠାନ,ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ଗେଟିପଡା ଲୋକକଳା ଗ୍ରାମର ବହୁ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ । ମହୁରୀ ଗୁରୁ କାସ୍ତା ତାଣ୍ଡି ଓ କୀର୍ତନ ଗୁରୁ ଜୟଲାଲ ତାଣ୍ଡିଙ୍କୁ ଲୋକକଳା ସମ୍ମାନରେ ସମ୍ମାନୀତ କରି ଉପଢୈାକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ନୀଳାଚଳ ମିଶ୍ର, ଶିବ ମିଶ୍ର, ଡମ୍ବୁରୁଧର ପଣ୍ଡା, ରାମଚନ୍ଦ୍ର ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, ସମ୍ରାଟ ସାହୁ, ଅନନ୍ତ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.