● ସିପିଆଇଏମ ରାଜ୍ୟସଂପାଦକ ଅଳି ପଟ୍ଟନାୟକ ଓ ରାଜ୍ୟ ଉପଦେଷ୍ଠା ଜଗନ୍ନାଥ ମିଶ୍ର ମିଶାଇଲେ ସ୍ୱର: କହିଲେ ଦାବି ପୂରଣ ନହେବା ଯାଏଁ ଆମେ ସାଥ୍ ଦେବୁ
କଳାହାଣ୍ଡି, (ହେମନ୍ତ ସାହୁ): ଦୀର୍ଘ ଛବିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋଟିଏ ନାର୍ଯ୍ୟ ଦାବିକୁ ନେଇ ଅଂଚଳବାସୀ ଅଡ଼ି ବସିଥିବାବେଳେ ଗତକାଲିଠାରୁ ସଂଗ୍ରାମ ମଂଚ ତରଫରୁ ମ.ରାମପୁର, କର୍ଲାମୁଣ୍ଡା, ନର୍ଲା ଅଂଚଳବାସୀଙ୍କ ତରଫରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆରମ୍ଭ ହେଇଛି ଗଣଧାରଣା ଓ ବିକ୍ଷୋଭ । କଳାହାଣ୍ଡି ଜିଲ୍ଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି ଆଜି ଦ୍ୱିତୀୟ ଦିନରେ ପହଂଚିଥିବାବେଳେ ଆଜି ମ.ରାମପୁର ବ୍ଲକର ଗଣ୍ଡକାମାଳ ପଂଚାୟତ ବାସୀ ଧାରଣାକୁ ଆଗେଇ ନେଇଥିଲେ । ଏଥିସହିତ ଆଜିର ଗଣଧାରଣରେ ସିପିଆଇଏମ ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏବଂ ରାଜ୍ୟ ଉପଦେଷ୍ଠା ଜଗନ୍ନାଥ ମିଶ୍ର ଯୋଗଦେଇ ଏହା ଏକ ଉପଯୁକ୍ତ ଦାବୀ ଏବଂ ଏହି ଦାବି ପୁରଣ ନହେବା ଯାଏଁ ଏହି ସଂଗ୍ରାମରେ ସିପିଆଇଏମ ସାଥୀରେ ରହିବ ବୋଲି କହିବା ସହିତ ସରକାରୀ ଉଦାସୀନତା ଯୋଗୁଁ ଏଭଳି ଅନେକ ଉପଯୁକ୍ତ ଦାବି ଆଜି ବି ଆମକୁ ମିଳିପାରୁନାହିଁ ବୋଲି କହିଥିଲେ । ଆଜିର ଏହି ଦ୍ୱିତୀୟ ଗଣଧାରଣାଟି ଗତକାଲି ଭଳି ମ.ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ଼ ଗାଇଡ଼ଲାଇନର ପାଳନ ପୂର୍ବକ କରାଯାଇଥିଲା । ଏଥିରେ ପ୍ରକାଶ ଚନ୍ଦ୍ର ମାଝୀ, ବିଭୂତି ଭୂଷଣ ମହାଖୁଡ଼, ବାବୁଲାଲ ସାହୁ, ଉଦ୍ଧବ ପଣ୍ଡା, ହିମାଦ୍ରୀ ସ୍ୱାଇଁ, ଚମରା ବଗର୍ତ୍ତୀ, ପ୍ରଶାନ୍ତ ତ୍ରିପାଠୀ, ରାଜୁ ମାଝୀ, ରୁଦ୍ର ମାଝୀ, ଶ୍ରୀଧର ମାଝୀ, ଇନ୍ଦ୍ର ଭୋଇ, ମକୁନ୍ଦ ମାଝୀ, ମାନସ ପ୍ରହରାଜ, ପୃଥୀରାଜ ଭୋଇ, ଚମାରୁ ମାଝୀ, କୁବେର ବାଗ, ଅଭୟ ସାହୁ, ରାହାସ ସାହୁ, ଲୋଚନ ଧରୁଆ, ଶ୍ରୀକୃଷ୍ଣ ଡ଼ୁଙ୍ଗୁରି, ଶରତ ପାତ୍ର, ଶିବ ମାଝୀ, ସତ୍ୟା ମାଝୀ, ଧୋବା ପନ୍ଦର ପ୍ରମୁଖ ସାମିଲ ହେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମାସବ୍ୟାପୀ ମ.ରାମପୁର, ନର୍ଲା, କର୍ଲାମୁଣ୍ଡାର ସମସ୍ତ ପଂଚାୟତ ଭିନ୍ନ ଭିନ୍ନ ଦିବସରେ ଏହି ଗଣଧାରଣାରେ ସାମିଲ ରହିବେ ଏବଂ ଦାବୀ ପୂରଣ ନହେଲେ ନଭେମ୍ବର ଦୁଇ ତାରିଖରେ ରାସ୍ତାରୋକ, ଦୋକାନବଜାର, ସମସ୍ତ ଘରୋଇ-ସରକାରୀ କାର୍ଯ୍ୟାଳୟ ବନ୍ଦ କରାଯିବ ଏବଂ ତାପରେ ବି ପ୍ରଶାସନ ଯଦି ଅଣଦେଖା କରେ ତେବେ ବିଧାନସଭା ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ସମାବେଶ କରାଯିବ ବୋଲି ସଂଗ୍ରାମ ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି ।