● ସ୍ଥାନୀୟ ନିଯୁକ୍ତି ଓ କର୍ମଚାରୀଙ୍କ ଶୋଷଣ ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଲେ ଆଇଜାକ୍ କର୍ମଚାରୀ
ଲାଞ୍ଜିଗଡ଼: କଳାହାଣ୍ଡିର ଲାଞ୍ଜିଗଡ଼ଠାରେ ୨୦୦୩ ମସିହାରୁ ସ୍ଥାପିତ ହୋଇଥିବା ବେଦାନ୍ତ କମ୍ପାନୀ ବିଭିନ୍ନ ସମୟରେ ବିବାଦ ମଧ୍ୟରେ ରହି ଆସିଛି। ପାରିପାର୍ଶ୍ବିକ ଉନ୍ନତି, ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ ସମସ୍ୟା, ରେଡ୍ ପଣ୍ଡ, ପ୍ରଦ୍ୟୁଷଣ, ଶ୍ରମିକ ଶୋଷଣ ସହ ଅନେକ ସମସ୍ୟା ନେଇ ଜନ ଅଭିଯୋଗ ହୋଇଛି। ତେବେ କମ୍ପାନୀ ସରକାରୀ କଳ ଓ ଅନେକ ରାଜନେତାଙ୍କ ଛତ୍ରଛାୟା ତଳେ ରହି ସବୁକଥାକୁ ରଫାଦଫା କରିଦେଉଥିବା ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବେଦାନ୍ତ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରୁଥିବାରୁ ଲାଞ୍ଜିଗଡର ଯୁବକ ଦାଦନ ଖଟିଯିବାକୁ ବାଦ୍ଧ୍ୟ ହେଉଛି। ଲାଞ୍ଜିଗଡ଼ ବ୍ଲକ ତଥା କଳାହାଣ୍ଡି ଜିଲ୍ଲାରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବାବେଳେ ବେଦାନ୍ତ ସେମାନଙ୍କୁ ଚାକିରି ଖଣ୍ଡେ ଦେଇପାରୁ ନାହିଁଁ। ଅନ୍ୟ ପକ୍ଷରେ କମ୍ପାନୀରେ ରାଜ୍ୟ ବାହାରର ଅନେକ ଲୋକ ଅବସ୍ଥାପିତ ହୋଇଛନ୍ତି। କଳାହାଣ୍ଡି ମାଟିରେ ରହି ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ବେଦାନ୍ତ କାହିଁକି ଅଣଦେଖା କରୁଛି ସେନେଇ ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ବେଦାନ୍ତ ଲିମିଟେଡର ସହଯୋଗୀ ଆଇଜାକ୍ କମ୍ପାନୀର ୫୦ରୁ ଉର୍ଦ୍ଧ୍ବ କର୍ମଚାରୀ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ନିକଟରେ ଧାରଣା ଧାରଣା ସହିତ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ଦିର୍ଘ ଦିନ ଧରି ନିଯୁକ୍ତ କର୍ମଚାରୀଙ୍କ ପ୍ରାପ୍ତ ଦେବାରେ ଅବହେଳା ଓ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା ଅଭିଯୋଗରେ ଏହି ଆନ୍ଦୋଳନ ହୋଇଥିବା ଜଣାପଡିଛି। ଦୀର୍ଘ ଦିନର ଦାବି ପରେ ଆଇଜାକ୍ କମ୍ପାନୀ ସେମାନଙ୍କ ଦାବି ନ ଶୁଣିବା ପରେ ୫୦ରୁ ଉର୍ଦ୍ଧ୍ବ କର୍ମଚାରୀ ଏଭଳି ଚରମ ପଦକ୍ଷେପ ନେଇଥିବା ବେଳେ ବେଦାନ୍ତ ପାୱାରପ୍ଳାଣ୍ଟର ଦାୟିତ୍ଵରେ ଥିବା ଆଇଜାକ୍ କର୍ମଚାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବେଦାନ୍ତ ଲିମିଟେଡର ଶକ୍ତି ଉତ୍ପାଦନ ରେ ବାଧ ଉପୁଜୁଥିବା ଦେଖାଦେଇଛି। ଆଇଜାକ୍ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦରମା ସହିତ ଦିଆଯାଉଥିବା ସବୁ ସୁବିଧାରେ ବାରମ୍ବାର ଅଣଦେଖା କରୁଥିବାରୁ ଏଭଳି ପରିସ୍ଥିତି ଦେଖାଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଆଇଜାକ୍ କମ୍ପାନୀର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଲେ ବେଦାନ୍ତ ଲିମିଟେଡରର ଶକ୍ତି ଉତ୍ପାଦନ ଗୁରୁତ୍ଵ ଭାବେ ବାଧାପ୍ରାପ୍ତ ହୋଇପାରେ ବୋଲି ଆଲୋଚନା ହେଉଛି। କର୍ମଚାରୀମାନ ଦାବୀ ପୂରଣ ପାଇଁ ଅଡି ବସିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଧାରଣା ଜାରି ରହିଛି।
ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in