ଜଗଦୀଶ ସ୍ମାରକୀ ସାମ୍ବାଦିକତା ସମ୍ମାନ ପାଇଲେ ସୁଶୀଲ ବାଗ

କଳାହାଣ୍ଡି: ଓଡ଼ିଶାର ଅଗ୍ରଣୀ ସାମ୍ବାଦିକ ସଂଗଠନ କର୍ଲାମୁଣ୍ଡା ପ୍ରେସ୍ କ୍ଲବର ୨୪ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରି ଏଇ ଆଦିବାସୀ, ଅନୁସୂଚିତ ଜାତି ବହୁଳ ଅଞ୍ଚଳର ଜନଜୀବନ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବା ଯୁବ ସାମ୍ବାଦିକ ଓ ଲେଖକ ସୁଶୀଲ କୁମାର ବାଗଙ୍କୁ ଜଗଦୀଶ ନାଏକ ସ୍ମାରକୀ ଯୁବ ସାମ୍ବାଦିକତା ସମ୍ମାନରେ ସମ୍ମାନିତ କରାଯାଇଛି। କର୍ଲାମୁଣ୍ଡାସ୍ଥିତ ଦୁର୍ଗାମଣ୍ଡପ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା, ସମ୍ମାନିତ ଅତିଥି ଭାବେ କର୍ଲାମୁଣ୍ଡା ତହସିଲଦାର ବାସନ୍ତୀ ସେଠୀ, ପ୍ରଗତିବାଦୀର ଡିଜିଏମ୍ କମ୍ବୁପାଣି ମିଶ୍ର, ବରିଷ୍ଠ ସାମ୍ବାଦିକ ଶଶୀଭୂଷଣ ପ୍ରହରାଜ, ରାଜକୁମାର ସିଂହଦେଓ ପ୍ରମୁଖ ଯୋଗ ଦେଇଥିଲେ। କର୍ଲାମୁଣ୍ଡା ପ୍ରେସ୍ କ୍ଲବର ସଭାପତି ନରୋତ୍ତମ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରେସ୍ କ୍ଲବର ସଂପାଦକ ପ୍ରଦୀପ କୁମାର ସାହୁ। ଏହି ଅବସରରେ ଯୁବ ସାମ୍ବାଦିକ ତଥା ଲେଖକ ଶ୍ରୀ ବାଗଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, କର୍ଲାମୁଣ୍ଡା ମାଟିର ଗର୍ବ ଓ ଗୌରବ ଭାବେ ପରିଚିତ ଯୁବ ସାମ୍ବାଦିକ ଜଗଦୀଶ ନାଏକଙ୍କ ଏଇ ନିକଟରେ ମ୍ରୁତ୍ୟୁ ଘଟିଥିବାବେଳେ ତାଙ୍କ ସ୍ମୃତି ରକ୍ଷା ପାଇଁ କର୍ଲାମୁଣ୍ଡା ପ୍ରେସ୍ କ୍ଲବ ଆରମ୍ଭ କରିଛି ଜଗଦୀଶ ନାଏକ ସ୍ମାରକୀ ଯୁବ ସାମ୍ବାଦିକତା ସମ୍ମାନ। ଯାହାର ପ୍ରଥମ ସଂସ୍କରଣ ଏ ବର୍ଷ ଶ୍ରୀ ବାଗଙ୍କୁ ପ୍ରଦାନ କରାଯାଇଛି। ଶ୍ରୀ ବାଗ ସମ୍ମାନିତ ହେବା ପରେ ଜିଲ୍ଲା ବ୍ୟାପି ଖୁସିର ଲହରୀ ଖେଳି ଯାଇଥିବାବେଳେ ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁ, କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ ଏମ୍. ଚନ୍ଦ୍ରଶେଖର, କ୍ଷମାନିଧି ମହାକୁଡ଼, ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ, କୋଦଣ୍ଡଧର ପ୍ରଧାନ, ଧର୍ମେନ୍ଦ୍ର ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.