‘ନିରପେକ୍ଷ ଓ ଗଠନମୂଳକ ଖବର ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ’

● କର୍ଲାମୁଣ୍ଡା ପ୍ରେସକ୍ଲବର ୨୪ତମ ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ

କଳାହାଣ୍ଡି, (ନରୋତ୍ତମ ସେଲମା): ନିରପେକ୍ଷ ଓ ଗଠନମୂଳକ ଖବର ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ। ସାମ୍ବାଦିକର ଧର୍ମ ନିରପେକ୍ଷତା। ତେଣୁ ଏକ ପାଖିଆ ଖବର ପ୍ରସାରଣ ନକରି ଉଭୟପକ୍ଷର ମତାମତକୁ ଅଗ୍ରାଧିକାର ଦେଲେ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇପାରିବ ବୋଲି କର୍ଲାମୁଣ୍ଡା ପ୍ରେସକ୍ଲବର ୨୪ତମ ବାର୍ଷିକ ଉତ୍ସବରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ତଥା ନୂଆଖାଇ ଭେଟଘାଟ ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସମାରୋହରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ସେ ସବୁବେଳେ ବିଧାନସଭାରେ ମତରଖିଥାନ୍ତି ବୋଲି ପ୍ରକାଶ କରିବା ସହ ସରକାର ଏଦିଗରେ ସଚେତନ ଅଛନ୍ତି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗଦେଇ ସାମ୍ବାଦିକ ମାନଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ତହସିଲଦାର ବାସନ୍ତୀ ସେଠୀ, ବ୍ଲକଶିକ୍ଷାଧିକାରୀ ହୃଷିକେଶ ଗହୀର, ଓ.ୟୁ.ଜେ. କଳାହାଣ୍ଡି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର, ଓ.ଜେ.ୟୁ ରାଜ୍ୟ ସାଧାରଣ ସଂପାଦକ ଶଶିଭୂଷଣ ପ୍ରହରାଜ, ସାମ୍ବାଦିକ ରାଜକୁମାର ସିଂହଦେଓ, କମ୍ବୁପାଣି ସାହୁ ପ୍ରମୁଖ ଯୋଗଦେଇଥିଲେ।

ସଂପାଦକ ପ୍ରଦୀପ କୁମାର ସାହୁ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୨୦୨୦ବର୍ଷ ପାଇଁ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ଓ ୨୦୨୧ବର୍ଷ ପାଇଁ ବରିଷ୍ଠ ସାମ୍ବାଦିକ ଶଶିଭୂଷଣ ପ୍ରହରାଜଙ୍କୁ ରାଜୀବଲୋଚନ ସ୍ମାରକୀସାମ୍ବାଦିକତା ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଲାଞ୍ଜିଗଡର ଯୁବସାମ୍ବାଦିକ ସୁଶିଲ କୁମାର ବାଗଙ୍କୁ ଜଗଦିଶ ନାଏକ ସ୍ମାରକୀ ଯୁବସାମ୍ବାଦିକତା ସମ୍ମାନ ପ୍ରଦାନ କରାଯାଇଥିଲା।

ଏଥିସହିତ ଜୈବିକକୃଷି ପାଇଁ ଜଗନ୍ନାଥ ଭୋଇ, ସାହିତ୍ୟସେବା ପାଇଁ ସୁଶାନ୍ତ ରଣା, ସଙ୍ଗୀତ ପାଇଁ ହିମାଂଶୁ ଶେଖର କୁମାର, ଚିତ୍ରକଳା ପାଇଁ ପପୁ କୁମାର ଓ ରାଉତ ସୁନା, ସାମ୍ବାଦିକତା ପାଇଁ ଭଜଶ୍ୟାମ ସାହୁ ଓ ସତ୍ୟନାରାୟଣ କୁମାର ତଥା ଗ୍ରାମର ସାମଗ୍ରିକ ବିକାଶ ନିମନ୍ତେ ରିଷିଡା, ଭାଲୁପିଆ ଓ ଟେର୍ଚ୍ଚାପଲା ଗ୍ରାମ ଉନ୍ନୟନ କମିଟିକୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍ୱାସ୍ଥ୍ୟସେବା ପାଇଁ କର୍ଲାମୁଣ୍ଡା ସିଏଚସି ର ସ୍ତ୍ରୀରୋଗ ଓ ପ୍ରସୂତୀବିଶେଷଜ୍ଞ ଡ଼ା ଆଶିଷ କୁମାର ଧରୁଆ, ଫାର୍ମାସିଷ୍ଟ ପବିତ୍ର ରଣାଙ୍କୁ ଏବଂ କ୍ଷୁଦ୍ର ଚଲଚିତ୍ର ନର୍ମାଣ କରି ଜନସଚେତନା ସୃଷ୍ଟିକରୁଥିବାରୁ ନିର୍ମାତା ଆଶୁତୋଷ ଦାସ ଓ କୁଞ୍ଜ ସାହୁଙ୍କୁ ଉପଢୌକନଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


ଏହି ଉତ୍ସବରେ ନର୍ଲା, ଲାଞ୍ଜିଗଡ, ମ.ରାମପୁର ବ୍ଲକର ସାମ୍ବାଦିକ ମାନଙ୍କ ସମେତ ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ପରିଚାଳନା ରେ ସାମ୍ବାଦିକ ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ଯୁବରାଜ ସାହୁ, ସୌମ୍ୟରଞ୍ଜନ ତ୍ରିପାଠୀ, ସତ୍ୟବ୍ରତ ବଗର୍ତ୍ତୀ, ତ୍ରିଶଙ୍କର ରଣା (ସୋନୁ), ସୀମାଞ୍ଚଳ ଭୋଇ,ପ୍ରଦୀପକୁମାର ରଣା, ଜଗଦିଶ ରଣା, ପ୍ରଶନ୍ନ କୁମାର ସାହୁ, ନବୀନ କିଶୋର ସାହୁ, ନେତ୍ର ସାହୁ ସହଯୋଗ କରିଥିଲେ। ସାଇଦଲଙ୍ଗା କ୍ରେଜି ଡ୍ୟାନ୍ସ ଗୃପ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ଚିତ୍ରଶିଳ୍ପୀ ପପୁ କୁମାର ନିଜେ ଆଙ୍କିଥିବା ବିଧାୟକ ଭୂପିନ୍ଦର ସିଂ, ଡି.ଆଇ.ପି.ଆର.ଓ. ମନୋଜ ବେହେରା ଓ ତହସିଲଦାର ବାସନ୍ତୀ ସେଠୀଙ୍କ ପ୍ରୋଟେଟକୁ ସେମାନଙ୍କୁ ଉପହାର ଦେଇଥିଲେ। ଚିତ୍ରଶିଳ୍ପୀ ରାଉତ ସୁମା ମଧ୍ୟ ନିଜେ ଆଙ୍କିଥିବା ବିଧାୟକଙ୍କ ପ୍ରୋଟେଟକୁ ବିଧାୟକଙ୍କୁ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.