ନର୍ଲା ବ୍ଲକର ସଙ୍ଗରୋଧ କେନ୍ଦ୍ର ପରିଚାଳନା ପ୍ରସଙ୍ଗ: RTI ମାଧ୍ୟମରେ ମଗାଯାଇଛି ତଥ୍ୟ, ଦେଉନି ପ୍ରଶାସନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ମହାମାରୀ କରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସଙ୍ଗରୋଧ କେନ୍ଦ୍ର (ଟିଏମ୍ସି) ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି । ତେବେ ନର୍ଲା ବ୍ଲକରେ ପରିଚାଳିତ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଗୁଡିକର ପରିଚାଳନା ଖର୍ଚ୍ଚ ତଥ୍ୟ ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ମାଗିବା ସତ୍ତ୍ବେ ମଧ୍ୟ ମିଳିପାରୁନାହିଁ । ଯାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ୨୦୨୦ ମଇ ମାସରୁ କଳାହାଣ୍ଡି ଜିଲ୍ଲାର ପ୍ରତି ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ସ୍କୁଲ ଗୁଡିକରେ ଆରମ୍ଭ କରାଯାଇଥିଲା ପ୍ରବାସୀ କଳାହାଣ୍ଡିଆ ମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର । ସଙ୍ଗରୋଧ କେନ୍ଦ୍ର ଗୁଡିକରେ ବାହ୍ୟ ରାଜ୍ୟରୁ ଫେରିଥିବା କଳାହାଣ୍ଡିଆ ମାନଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଖାଦ୍ୟପେୟ ଦେଇ ସେମାନଙ୍କ ସ୍ୱାସ୍ଥ୍ୟଗତ ଜତ୍ନ ନିଆ ଯାଇ ପ୍ରଥମ ପର୍ଯ୍ୟାୟରେ ୧୪ ଦିନ ଲେଖାଏଁ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା । ତିନିଗୋଟି ପର୍ଯ୍ୟାୟରେ ଏଭଳି ରଖିବା ପରେ ପ୍ରବାସୀଙ୍କ ସଂଖ୍ୟା ଆଶାତୀତ ଭାବରେ ବଢିବା ପରେ ଏହାକୁ ସରକାରୀ ଗାଇଡ ଲାଇନ ଅନୁଯାୟୀ ସପ୍ତାହ ପର୍ଯ୍ୟନ୍ତ ରହିପାରିବେ ଏବଂ ସପ୍ତାହକ ପରେ ଗୃହ ପ୍ରତ୍ୟାବର୍ତ୍ତନ କରି ପାରିବେ ବୋଲି ନିର୍ଦ୍ଦେଶ ରହିଥିଲା ।

ନର୍ଲାର ଆଦର୍ଶ ବିଦ୍ୟାଳୟକୁ ମିଶାଇ ନର୍ଲା ବ୍ଲକ୍ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ୨୬ ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧୮ ଗୋଟି ସଙ୍ଗରୋଧ କେନ୍ଦ୍ର ଏଭଳି ମୋଟ ୪୩ ଗୋଟି ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଚାଲିଥିଲା । ୨୦୨୦ ମଇ ମାସ ଆରମ୍ଭରୁ ଜୁନ ଶେଷ ଭାଗରେ ୨ ମାସ ଚାଲିବା ପରେ ସଙ୍ଗରୋଧ କେନ୍ଦ୍ର ଗୁଡିକ ବନ୍ଦ କରି ଦିଆଯାଇ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ଖୋଲା ଯାଇଥିଲା । ନର୍ଲା ବ୍ଲକର ଶେରଗଡ ଆଦିବାସୀ ବାଳିକା ହଷ୍ଟେଲ, କର୍ମେଗାଁ ଗ୍ରାମ ପଞ୍ଚାୟତର ମୁରସିଂ ସ୍ଥିତ ଆଦିବାସୀ ବାଳିକା ହଷ୍ଟେଲ ଓ ବଡଧାରପୁର ଗ୍ରାମ ପଞ୍ଚାୟତର ଧୁର୍କୁଟି ଉନ୍ନୀତ ହାଇସ୍କୁଲ ଏଭଳି ତିନିଗୋଟି ସ୍ଥାନରେ ୪୦ ଗୋଟି ଶଯ୍ୟା ହିସାବରେ ୧୨୦ ଗୋଟି ଶଯ୍ୟାର ତିନିଗୋଟି ସଙ୍ଗରୋଧ କେନ୍ଦ୍ର ସବୁ ଚାଲିଥିଲା । ଏହା ମଧ୍ୟ ୨୦୨୦ ଜୁଲାଇ ମାସ ପୁରା ଚାଲିଥିବା ଜଣାପଡିଛି ।

ନର୍ଲା ବ୍ଲକ୍ ଅଞ୍ଚଳରେ ଚାଲିଥିବା ଟିଏମ୍ସି ଓ ସଙ୍ଗରୋଧ କେନ୍ଦ୍ର ଗୁଡିକରେ ବିଭିନ୍ନ ପର୍ଯ୍ୟାୟରେ ସର୍ବମୋଟ ୩୯୧୦ ଜଣ ପ୍ରବାସୀ ରହିଥିଲେ । ସେଥି ମଧ୍ୟରୁ ନର୍ଲା ହୋମ ବ୍ଲକ ର ୧୨୯୬ ଜଣ ଓ ଜିଲ୍ଲାର ଅନ୍ୟ ବ୍ଲକ୍ ର ୨୬୧୪ ଜଣ ସଙ୍ଗରୋଧରେ ରହିଥିଲେ । ଉକ୍ତ ସଙ୍ଗରୋଧ କେନ୍ଦ୍ର, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ଲଷ୍ଟର ଟିଏମ୍ସି ଗୁଡିକ ପାଇଁ ତକ୍ରାଳୀନ ନର୍ଲା ବିଡିଓ ଡ.ବ୍ୟାସଦେବ ବେହେରାଙ୍କ ନେତୃତ୍ୱରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ମିଳିତ ପ୍ରୟାସରେ ପ୍ରବାସୀ ମାନଙ୍କ ବ୍ୟବହାର ପାଇଁ ଲୁହା ଖଟ, ଗଦି, ବେଡସିଟ, ତକିଆ, ବାଲ୍ଟି, ମଗ୍, ଗ୍ଲାସ, ଆବର୍ଜନା କୁଣ୍ଡ, ବ୍ଲିଚିଂ ପାଉଡର, ଝାଡୁ ଏଭଳି ଯାବତୀୟ ଜିନିଷ କିଣିଥିଲେ । ଲକ୍ଡାଉନ ଯୋଗୁଁ ଏସବୁ ଜିନିଷ ମାର୍କେଟରେ ଉପଲବ୍ଧ ନଥିବାରୁ ୯୦୦ ଟଙ୍କାର ଲୁହାଖଟ ଗୁଡିକ ୨୨,୦୦ ରୁ ୨୫,୦୦ ପର୍ଯ୍ୟନ୍ତ ଦାମ୍ ପଡିଥିବା, ୩୦୦ ଟଙ୍କାର ଗଦି ଗୁଡିକ ବାହାରୁ ମଗାଇବାରୁ ପ୍ରକୃତ ମୂଲ୍ୟରୁ ଦୁଇଗୁଣା ଅଧିକ ଦର ଅର୍ଥାତ ୭୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ଚଢା ଦରରେ କିଣିବାକୁ ପଡିଥିବା କୁହା ଯାଉଛି ।

ନର୍ଲା ବ୍ଲକ୍ ଅଧିନସ୍ଥ ଗୋଟିଏ ଗୋଟିଏ ଗ୍ରାମ ପଞ୍ଚାୟତ ଗୁଡିକରୁ ୧୫ ଲକ୍ଷ ରୁ ୧୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଥିବା ମଧ୍ୟ ସରକାରଙ୍କୁ ରିପୋର୍ଟ ଦିଆ ଯାଇଥିବା ଜଣାପଡିଛି । ଏହି ହିସାବରେ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ପାଇଁ ୪ କୋଟି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଜଣେ ଜଣେ ପ୍ରବାସୀଙ୍କ ପାଇଁ ୧୪ ଦିନରେ ମୁଣ୍ଡ ପିଛା ୧୦,୬୩୮ ଟଙ୍କା ଖର୍ଚ୍ଚ କରିଛି ଗ୍ରାମ ପଞ୍ଚାୟତ । ସଙ୍ଗରୋଧ କେନ୍ଦ୍ର ଗୁଡିକୁ ସାନିଟାଇଜ କରିବା ପାଇଁ ଦୈନିକ ୩,୦୦୦ ଟଙ୍କା ବ୍ୟୟ ଅଟକଳ ଗାଇଡ ଲାଇନ ରେ ରହିଥିବା ଜଣାପଡିଛି । ହେଲେ ମାସକ ମଧ୍ୟରେ ମାତ୍ର ଥରେ ରୁ ଦୁଇଥର କେନ୍ଦ୍ର ଗୁଡିକୁ ସାନି ଟାଇଜ କରାଯାଉଥିଲା ବୋଲି ଆଲୋଚନା ହେଉଛି । ଏହା ବାଦ ପ୍ରବାସୀ ମାନଙ୍କ ଜଳଖିଆ, ମିଲସ, ସାବୁନ, ପେଷ୍ଟ ପ୍ରଭୃତି ପାଇଁ ମଧ୍ୟ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ବ୍ୟବସ୍ଥା ହୋଇଥିଲା ।

ନର୍ଲା ବ୍ଲକ୍ ଅଧିନସ୍ଥ ଟିଏମସି ଗୁଡିକରେ ହୋଇଥିବା ଖର୍ଚ୍ଚ ଅଟକଳର ତଥ୍ୟ ସୁଚନା ଅଧିକାର ଆଇନ ରେ ଗତ ମାସରେ ନର୍ଲାର ଜନୈକ ସାମ୍ବାଦିକ ମାଗିଥିବା ବେଳେ ମାସେରୁ ଉର୍ଦ୍ଧ୍ବ ସମୟ ହୋଇ ଗଲାଣି ନର୍ଲା ବ୍ଲକ୍ ପ୍ରଶାସନ ତଥ୍ୟ ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏଣୁ ନର୍ଲାରେ ଟିଏମ୍ସି ପରିଚାଳନାରେ ସ୍ୱଚ୍ଛତାକୁ ନେଇ ଜନସାଧାରଣଙ୍କ ସନ୍ଦେହ ଆହୁରି ଘନିଭୁତ ହେବାରେ ଲାଗିଛି ।

ଏବିଷୟରେ ନର୍ଲା ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଓ) କ୍ଷୀତିଶ ଚନ୍ଦ୍ର ନାଏକଙ୍କ ମତାମତ ନେବାରୁ ସେ କହିଲେ, ଟିଏମ୍ସି ପରିଚାଳନା ଖର୍ଚ୍ଚ ଅଟକଳର ଶୀଘ୍ର ତଥ୍ୟ ପ୍ରଦାନ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ମୁଁ ଚିଠି କରି ଦେଇଛି । ସେମାନେ ତଥ୍ୟ ଦେବା ସାଙ୍ଗେ ସାଙ୍ଗେ ଆମେ ତଥ୍ୟ ପ୍ରଦାନ କରିଦେବୁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.