● ଜଗତଜନନୀଙ୍କୁ ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାଥନା କରି ୨୦୨୨ ଦୁର୍ଗାପୂଜା ନିମନ୍ତେ ଅପେକ୍ଷା କରିବା ଛଡା ବର୍ତ୍ତମାନ ଆଉ କିଛି ବିକଳ୍ପ ନାହିଁ
କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): ଗତ ଦୁଇ ବର୍ଷ ହେଲା ମହାମାରୀ କରୋନା ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ପୂଜା ପାର୍ବଣ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିକୁ ସମ୍ପୂର୍ଣଭାବେ ବିଗିଡିଦେଇଛି। କରୋନା ପାଇଁ ଫିକା ପଡିଛି ପାର୍ବଣ ଋତୁ। ବିଘ୍ନ ବିନାଶକ ଗଣେଶଙ୍କ ଆବାହନ ପରେ ଆସିଥାଏ ମହାପାର୍ବଣ ନୂଆଖାଇ ଏଇଠୁ ପ୍ରାୟତଃ ଆରମ୍ଭ ହୋଇଯାଏ ପାର୍ବଣ ଋତୁ। ଦଶହରା ଓ ଦୁର୍ଗାପୂଜା ଓଡିଶା ପ୍ରମୁଖ ପର୍ବ ବୋଲି କହିଲେ ଅତୁକ୍ତି ହେବନାହିଁ। ଶାରଦୀୟ ଦୁର୍ଗାପୂଜା ଅବସରରେ ପାଳିତ ହେଉଥିବା ଭାଇ ଜିଉଁନ୍ତିଆ ଓଷା ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରେ। ଏହି ଓଷା ମାଧ୍ଯମରେ ଧାର୍ମିକ, ସାମାଜିକ, ପାରିବାରିକ ଓ ସାଂସ୍କୃତିକ ପୃଷ୍ଠଭୂମି ପରିପୃଷ୍ଟ ହୋଇଥାଏ। ଭାଇ ଜିଉଁନ୍ତିଆ ସମୟରେ ବିବାହିତା ଝିଅମାନେ ନିଜ ବାପଘରକୁ ଆସିଥାନ୍ତି। ଭଉଣୀ ସହ ଭଣଜା, ଭାଣିଜୀଙ୍କ ଆଗମନ ଗାଁର ଦୃଶ୍ୟପଟ୍ଟରୁ ଅପୂର୍ବ କରି ଗଢ଼ି ତୋଳିବାରେ ସହାୟକ ହୋଇଥାଏ। ତେବେ ଏବର୍ଷ ଫିକା ଫିକା ଲାଗୁଛି ପାର୍ବଣ ଋତୁ। ଦୁର୍ଗା ପୂଜାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନିର୍ଦ୍ଧେଶନାମା ଅନୁଯାୟୀ ମୂର୍ଣ୍ଣୟୀ ପ୍ରତିମା ଚାରି ଫୁଟ ମଧ୍ୟରେ ସୀମିତ ରହିବ ଏବଂ ସମ୍ପୂର୍ଣ୍ଣ କଟକଣାରେ ଦଶହରା ପାଳିତ ହେବ। କରୋନାର ପ୍ରଭାବ ଏବେ କମ ରହିଛି ତଥାପି ଅବହେଳା ତୃତୀୟ ଲହରକୁ ଯେ ଡାକି ନ ଆଣିବ ତାହା କିଏ କହିବ।
କଳାହାଣ୍ଡି ଜିଲ୍ଲାର ସବୁ ସ୍ଥାନରେ ଦଶହରା ପର୍ବ ସବୁଠି ପାଳିତ ହୁଏ। କିନ୍ତୁ ଭବାନୀପାଟଣା, ଜୁନାଗଡ଼ ଓ ଧର୍ମଗଡରେ ଏହି ପର୍ବ ପ୍ରମୁଖ ସ୍ଥାନ ଗ୍ରହଣ କରିଥାଏ। ବର୍ତ୍ତମାନର ପରିପେକ୍ଷୀରେ ଧର୍ମଗଡ ଦୁର୍ଗାପୂଜା ବିଶେଷ ସ୍ଥାନ ଅଧିକାର କରିଛି। ଧର୍ମଗଡ ଦୁର୍ଗାପୂଜା ଭାଇଚାରାର ଏକ ଅନ୍ୟାନ ଉଦାହରଣ। ଜାତି, ଧର୍ମ, ବର୍ଣ୍ଣ ଏବଂ ରାଜନୈତିକ ପାର୍ଥକ୍ୟର ଉର୍ଦ୍ଧ୍ବରେ ଧର୍ମଗଡ ଦୁର୍ଗାପୂଜା ଏକ ନୂତନ ବାର୍ତ୍ତା ପ୍ରଦାନ କରିଥାଏ। କିନ୍ତୁ ଚଳିତ ବର୍ଷ ତାହା ମଧ୍ୟ୍ୟ କେବଳ ଔପଚାରିକ ପୂଜା ମଧ୍ୟରେ ସୀମିତ ରଖାଯିବାର ପ୍ରସ୍ତାବ ଗୃହୀତ ହୋଇଛି। ତେଣୁ ଦଶହରା ବା ଦୁର୍ଗାପୂଜା ଯାହା ସାଂସ୍କୃତିକ, ଅର୍ଥନୈତିକ ଓ ସାମାଜିକ ବାର୍ତ୍ତା ବହନ କରେ ତାହା ଫିକା ପଡିବା ପ୍ରାୟ ନିଶ୍ଚିତ। ତେଣୁ ଜଗତଜନନୀଙ୍କୁ ବିଶ୍ୱ କଲ୍ୟାଣ ନିମନ୍ତେ ପ୍ରାଥନା କରି ଆସନ୍ତା ଦୁର୍ଗାପୂଜା ନିମନ୍ତେ ଅପେକ୍ଷା କରିବା ଛଡା ବର୍ତ୍ତମାନ ଆଉ କିଛି ବିକଳ୍ପ ଦୃଶ୍ୟମାନ ହେଉନାହିଁ।