ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ, ବିଶେଷଜ୍ଞ ଓ କର୍ମଚାରୀ ଅଭାବ ନେଇ ଜନ ଅସନ୍ତୋଷ

କଳାହାଣ୍ଡି, (ପ୍ୟାରୀ ଲାଲ ଦୁର୍ଗା): ସାଧାରଣ ଜନତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଅନେକ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ରହୁଥିବାରୁ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଧର୍ମଗଡ ଉପଖଣ୍ତ ଚିକିତ୍ସାଳୟରେ। ଏହି ଡାକ୍ତରଖାନରେ ଆବଶ୍ୟକୀୟ ଡାକ୍ତର, ବିଶେଷଜ୍ଞ, ସ୍ବାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହୁଛି। ଏହାସହ ଡାକ୍ତରଖାନା ପରିବେଶ ମଧ୍ୟ ଉତ୍ତମ ରହୁନଥିବା ଅଭିଯୋଗ ହେଉଛି। ଧର୍ମଗଡ ଉପଖଣ୍ଡ ସରକାରୀ ଡାକ୍ତରଖାନରେ ରୋଗୀ ସେବା ପାଇଁ ବହୁ ସମସ୍ୟା ଲାଗି ରହୁଥିବାରୁ ଏହି ଅଞ୍ଚଳର ରୋଗୀମାନେ ବାଧ୍ୟ ହୋଇ ଅନେକ ସମୟରେ ପଡୋଶୀ ଜିଲ୍ଲା ନୂଆପଡା, ନବରଙ୍ଗପୁର ଓ ସୀମାନ୍ତ ଛତିଶଗଡ ରାଜ୍ୟର ଡାକ୍ତରଖାନାମାନଙ୍କ ଉପରେ ନିର୍ଭର କରୁଛନ୍ତି। ଏହି ଡାକ୍ତରଖାନରେ ସାଧାରଣ ରୋଗୀଙ୍କ ଠାରୁ ଆରମ୍ଭ କରି ଦୁର୍ଘଟଣା ଜନିତ ଆହତଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବାରେ ବିଫଳତାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁରୋଗ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ଅନେକ ଗର୍ବବତୀ ମହିଳା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଔଷଧ ବଣ୍ଟନ କେନ୍ଦ୍ର ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ ନିର୍ଦ୍ଧିଷ୍ଟ ଔଷଧ ନାହିଁ ବୋଲି କହି ଅନେକ ରୋଗୀଙ୍କ ଚିଠା ଫେରାଇବା, ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ଯୋଗାଇବାରେ ବିଫଳତା ପରି ଅଭିଯୋଗ ହେଉଛି। ଏପରିକି ଜରୁରୀକାଳୀନ ଅସ୍ତ୍ରୋପଚାର ପାଇଁ ଆନୋଷ୍ଟେସିଆ ବିଶେଷଜ୍ଞ ଅଭାବ ଯୋଗୁଁ ଏଭଳି ରୋଗୀଙ୍କୁ ଦେଖିବା ମାତ୍ରେ ଦାୟିତ୍ୱରେ ଥିବା ଡାକ୍ତର ତୁରନ୍ତ ଅନ୍ୟତ୍ର ପଠାଇ ଦେଉଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱଦେଇ ଏକାଧିକ ଯୋଜନା କରିବା ସହ ଆମ୍ବୁଲାନ୍ସ ସେବା ଚଳାଇଛନ୍ତି। ତେବେ ବଣ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରୁ ଡାକ୍ତରଖାନାକୁ ଆସିବା ପାଇଁ ରାସ୍ତା ନ ଥିବା ଯୋଗୁଁ ଅନେକ ରୋଗୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ହିନ୍ଦୋଲାରେ ଟେକା ହୋଇ ଆସିବା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳୁଛି। କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ତଥା ଉପଖଣ୍ତ ହୋଇସୁଦ୍ଧା ଏହି ଚିକିତ୍ସାଳୟକୁ ଅବହେଳିତ କରି ରଖା ଯାଇଥିବା ଚର୍ଚ୍ଚା ଚାଲିଛି। ତେଣୁ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ସହ ଧର୍ମଗଡ ଉପଖଣ୍ତ ଚିକିତ୍ସାଳୟର ସୁଧାର ଆଣିବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.