ଅଙ୍ଗନୱାଡି କେନ୍ଦ୍ରର ବାସ୍ତବ ଠିକଣା କାହାକୁ କଣାନାହିଁ, ବିଏଲଓ ଙ୍କୁ ଖୋଜିବାରେ ଧନ୍ଦି ହେଉଛନ୍ତି ଭୋଟର

ପାରାଦୀପ,୧୦/୩ : ନିର୍ବାଚନ ମୁଣ୍ଡ ଉପରେ। ନୂତନ ଭୋଟରମାନେ ଭୋଟର ଲିଷ୍ଟରେ ସେମାନଙ୍କ ନାମ ଅଛି କି ନାହିଁ ଜାଣିବା ପାଇଁ ବ୍ୟାକୁଳ। ସମସ୍ତେ ଦୌଡୁଛନ୍ତି ପୌର ପ୍ରଶାସନିକ କାର୍ଯ୍ୟାଳୟ କିମ୍ବା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟକୁ। ସେଠାରେ ଉତ୍ତର ମିଳୁଛି  ଭୋଟର ଲିଷ୍ଟ ବିଏଲଓ (ବୁଥ୍‌ ଲେବୁଲ ଅଫିସର)ଙ୍କ ପାଖରେ ଅଛି, ଯାଅ ସେଠାରେ ଦେଖିବ। ବିଏଲଓ କିଏ ବୋଲି ପଚାରିଲେ କୁହାଯାଉଛି ଅଙ୍ଗନଓ୍ବାଡି କର୍ମୀ। ଅଙ୍ଗନଓ୍ବାଡି କର୍ମୀଙ୍କୁ କେଉଁଠୁ ପାଇବୁ ପଚାରିଲେ, ଉତ୍ତର ମିଳେ ଫୋନ୍‌ କରି ନଚେତ୍‌ ସମ୍ପୃକ୍ତ ଅଞ୍ଚଳକୁ ଯାଇ ନିଜେ ଖୋଜ। ଏପରି କହିବାର କାରଣ ହେଲା ପାରାଦୀପରେ ଅଙ୍ଗନଓ୍ବାଡି କାଗଜକଲମରେ ଚାଳିଛି। ଏସବୁର ବାସ୍ତବ ଠିକଣା କାହାକୁ ଜଣାନାହିଁ। ପ୍ରାପ୍ତ ସୂଚନା ଅନୁଯାୟୀ, ପାରାଦୀପ ପୌରାଞ୍ଚଳରେ ୯୨ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅଛି। ସେହି କେନ୍ଦ୍ର ପାଇଁ କର୍ମୀ ଓ ସହାୟିକା ନିଯୁକ୍ତି ପାଇଛନ୍ତି। ଗର୍ଭବତୀଙ୍କଠାରୁ ଆରମ୍ଭ କରି ଶିଶୁ ଓ ପାଠପଢ଼ୁଥିବା ପିଲାଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଖାଦ୍ୟ, ପୋଷାକ, ବହି ଆଦି ଆସୁଛି। କିନ୍ତୁ ବିଡମ୍ବନା ହେଲା ପୌରାଞ୍ଚଳରେ ଗୋଟିଏ ବି ସ୍ଥାନରେ ଅଙ୍ଗନଓ୍ବାଡି କେନ୍ଦ୍ର ଗୃହ ନାହିଁ। ଏଥିପାଇଁ ଭୋଟର ଏବେ ଦ୍ୱିଧାରେ ପଡ଼ୁଛନ୍ତି। ସୂଚନାଯୋଗ୍ୟ, ଦ୍ୱୈତ ଶାସନ ବ୍ୟବସ୍ଥା ଚାଲୁଥିବା ସ୍ଥାନ ହେଲା ପାରାଦୀପ। ୧୯୭୯ରେ ବିଜ୍ଞପିତ ଅଞ୍ଚଳ ଓ ୨୦୦୨ରେ ପୌରପାଳିକା ହେଲା। ବନ୍ଦର ସହର ପୌର ପାଳିକା ହେବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଆସିଲା। ଏହି କ୍ରମରେ ୨୦୦୭ରେ ବସ୍ତି ଅଞ୍ଚଳର ଲୋକଙ୍କ ପାଇଁ ହେଲା ବାଲଓ୍ବାଡି। ସେଥିରେ ୧୭ଜଣ ନିଯୁକ୍ତି ପାଇଥିଲେ। ୨୦୧୦ରେ ସରକାର ବାଲଓ୍ବାଡି ଉଚ୍ଛେଦ କରି ଅଙ୍ଗନଓ୍ବାଡି କେନ୍ଦ୍ର ଘୋଷଣା କଲେ। ପୌରାଞ୍ଚଳର ୧୯ଟି ଓ୍ବାର୍ଡ ଓ ୨୫ ବସ୍ତି ପାଇଁ ୯୨ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି। ୨୦୧୦ରୁ ଏବେସୁଦ୍ଧା ପ୍ରାୟ ୮୨ କେନ୍ଦ୍ର ପାଇଁ କର୍ମୀ ଓ ସହାୟିକା ନିଯୁକ୍ତି ପାଇଲେଣି। ଏହା ମଧ୍ୟରେ ୯ବର୍ଷ ହେଲାଣି। ଅଥଚ ଗୋଟିଏ ବି ଅଙ୍ଗନଓ୍ବାଡ଼ି ଘର ନିର୍ମାଣ କରିବାରେ ସରକାର ସଫଳ ହୋଇନାହାନ୍ତି। ଯେଉଁମାନେ କର୍ମୀ ଭାବେ ନିଯୁକ୍ତି ପାଇଛନ୍ତି ସେମାନେ ନିଜ ଘରକୁ ସେଣ୍ଟର ବୋଲି ଦର୍ଶାଉଛନ୍ତି। ସ୍ଥଳ ବିଶେଷରେ ସେମାନେ ସେହି ଘର ବଦଳାଇଲେ କେନ୍ଦ୍ରର ଠିକଣା ବଦଳିଯାଏ। ଏବେ ସରକାର ଭୋଟର ତାଲିକାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାର କାମ ସେହି କର୍ମୀଙ୍କ ଦ୍ୱାରା କରାଉଛନ୍ତି। ଏବେ ପ୍ରତିଦିନ ଭୋଟରମାନେ ପୌର କାର୍ଯ୍ୟାଳୟକୁ ଯାଇ ତାଲିକା ଦେଖିବାକୁ ଭିଡ଼ ଲଗାଉଛନ୍ତି। ଗୁରୁବାର ସେହିଭଳି ତାଲିକା ଖୋଜିବାକୁ ଯାଇଥିବା ରବୀନ୍ଦ୍ର ପ୍ରଧାନ, ଟିକିନା ପ୍ରଧାନ, ନରେନ୍ଦ୍ର ସ୍ବାଇଁ, ସଂଯୁକ୍ତା ସ୍ବାଇଁ ପ୍ରମୁଖ କହିଛନ୍ତି ଯେ, ଅଙ୍ଗନଓ୍ବାଡି କର୍ମୀ କିଏ ବୋଲି ଜାଣିନାହାନ୍ତି। ତାଙ୍କୁ ଯାଇ ଏବେ ନେହେରୁ ବଙ୍ଗଳାରେ ଖୋଜିବାକୁ ପଡିବ ବୋଲି କହିଥିଲେ। ବହୁ ଚେଷ୍ଟା ପରେ ସମ୍ପୃକ୍ତ କର୍ମୀଙ୍କ ଫୋନ୍‌ ନମ୍ବର ପାଇବାରେ ସଫଳ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନ ପାଇଁ  ପୌର ପାଳିକାର ଭୋଟର ସଂଖ୍ୟା ହେଲା ୩୯୫୮୭। ସେଥିରେ ମହିଳା ୧୬୭୧୭, ପୁରୁଷ ୨୨୯୪୫ ଓ ଅନ୍ୟ ୩ ଜଣ ଅଛନ୍ତି। ସମୁଦାୟ ୪୩ଟି ବୁଥ୍‌ ପାଇଁ ୪୩ଜଣ କର୍ମୀଙ୍କୁ ବିଏଲଓ, ୭ଜଣଙ୍କୁ ସେକ୍ଟର ଅଫିସର କରାଯାଇଛି। ଅଙ୍ଗନଓ୍ବାଡି କର୍ମୀ ଓ କେନ୍ଦ୍ରର ଠିକଣା ସମ୍ପର୍କରେ ସିଡିପିଓ ତନୁପ୍ରଭା ବେହେରାଙ୍କୁ ପଚାରିବାରେ କହିଲେ ଯେ, ଜାଗା ସମସ୍ୟା ପାଇଁ ଗୃହ ନିର୍ମାଣ ହୋଇପାରୁନି। କିନ୍ତୁ କେନ୍ଦ୍ର ଠିକ୍‌ରେ ଚାଲିଛି। ଅଙ୍ଗନଓ୍ବାଡି କର୍ମୀଙ୍କୁ ବିଏଲଓ କରିବା ଓ ସେମାନଙ୍କୁ ଭୋଟର କିପରି ଖୋଜିବେ ପ୍ରସଙ୍ଗରେ କହିଲେ ଯେ ଲୋକେ ନିଜର ଅଧିକାର ଜାଣିବା ପାଇଁ ଖୋଜିବା ଦରକାର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.