ସାହିତ୍ୟିକ କବି ବନ୍ଧୁ ପରିବାରର ମୁଖପତ୍ର ‘ଶିଖା’ ଏବଂ ପ୍ରଣତି ମହାପାତ୍ରଙ୍କ ‘ଭକ୍ତି ପୁଷ୍ପାଞ୍ଜଳି’ ପୁସ୍ତକ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ରେମୁଣା ସ୍ଥିତ ଖିରଚୋରା ଗୋପିନାଥ ମନ୍ଦିର ପ୍ରାଙ୍ଗଣରେ ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵରର ମୁଖପତ୍ର “ଶିଖା” ର ତୃତୀୟ ଅର୍ଘ୍ୟ ପର୍ଯ୍ୟାବରଣ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ଦୋଳ ପୂର୍ଣ୍ଣିମାର ଶୁଭ ଅବସରରେ ଆୟୋଜିତ ଉକ୍ତ ସମାରୋହ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଏବଂ ପ୍ରଦୀପ୍ତ କୁମାର ମିଶ୍ରଙ୍କର ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତ୍ରୀ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ପାଦକୀୟ ଅଭିଭାଷଣ ରଖି ପବିତ୍ର ହୋଲି ଉପଲକ୍ଷେ ଅବିର ଦ୍ବାରା ସୁସ୍ଵାଗତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ଷୀରଚୋରା ଗୋପୀନାଥ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ବେହେରା, ମୁଖ୍ୟ ବକ୍ତା ବାଲେଶ୍ଵର ଜିଲ୍ଲା ଟ୍ରେଜେରି ଅଫିସର କାଶୀନାଥ ମାଝୀ, ସମ୍ମାନିତ ଅତିଥି ଭାବେ କେଶୁ ଦାସ, ଶଚୀନ୍ଦ୍ର ଦାସ, ରତ୍ନାକର ସିଂହ, ଶିଖା ପତ୍ରିକାର ସମୀକ୍ଷକ ଭାଗବତ ପ୍ରସାଦ ଦାସ, ଭକ୍ତି ପୁଷ୍ପାଞ୍ଜଳି ପୁସ୍ତକର ସମୀକ୍ଷକ ନିରଞ୍ଜନ ସାହୁଙ୍କ ସମେତ ଅନୁଷ୍ଠାନର ସହ ସମ୍ପାଦକ ବାସୁଦେବ ସାହୁ, ଉପଦେଷ୍ଟା ସ୍ନିଗ୍ଧା ସାମନ୍ତରାୟ, ବିପିନ ବିହାରୀ ବାରିକ, ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ଅନୁଷ୍ଠାନର ମୁଖପତ୍ର “ଶିଖା” ଏବଂ ସୁଲେଖିକା ପ୍ରଣତି ମହାପାତ୍ରଙ୍କର ଚତୁର୍ଥ ପୁସ୍ତକ “ଭକ୍ତି ପୁଷ୍ପାଞ୍ଜଳି” ଲୋକାର୍ପଣ କରିଥିଲେ । “ଶିଖା” ନବଚେତନାର ନବଦିଗନ୍ତ । ତୃତୀୟ ଅର୍ଘ୍ୟ ପର୍ଯ୍ୟାବରଣ ବିଶେଷାଙ୍କର ସମସ୍ତ ଲେଖା ବେଶ୍ ଉଚ୍ଚକୋଟୀର ହୋଇଥିବା ବେଳେ ସାମ୍ପ୍ରତିକ ସମୟକୁ ଆଖି ଆଗରେ ରଖି ଜଙ୍ଗଲ ସୁରକ୍ଷା ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବଳିଷ୍ଠ ପଦକ୍ଷେପ ଏ ବିଶେଷାଙ୍କ ବୋଲି ସମୀକ୍ଷକ ଭାଗବତ ପ୍ରସାଦ ଦାସ ନିଜ ବକ୍ତବ୍ୟରେ କହିଥିଲେ ।

Udyog Nursery
Udyogi Nursery

“ଭକ୍ତି ପୁଷ୍ପାଞ୍ଜଳି” ଏକ ଅନବଦ୍ୟ ସୃଷ୍ଟି ଶ୍ରୀମତୀ ମହାପାତ୍ରଙ୍କର, ଯେଉଁଥିରେ ପ୍ରଭୁଙ୍କୁ ସେ ପତ୍ର, ପୁଷ୍ପ, ତ୍ଵୟ, ଫଳ ଦାନ ଭଳି ନିଜକୁ ସମର୍ପଣ କରି କରିଛନ୍ତି ଅମୂଲ୍ୟ ସୃଷ୍ଟି । ପ୍ରଣତି ମହାପାତ୍ରଙ୍କର ଚାରୋଟି ଯାକ ସୃଷ୍ଟି ପ୍ରଭୁଙ୍କୁ ସମର୍ପିତ, ଯାହା ପ୍ରତ୍ୟେକ ପୁସ୍ତକର ପ୍ରଛଦପଟରେ ସୁସ୍ପଷ୍ଟ ବୋଲି ସମୀକ୍ଷକ ନିରଞ୍ଜନ ସାହୁ ସମୀକ୍ଷା ମାଧ୍ୟମରେ କହିଥିଲେ ।ଲୋକାର୍ପଣ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ବ୍ୟଙ୍ଗକବି ସନ୍ୟାସୀ ପାତ୍ର ଓ କବୟତ୍ରୀ ଝରଣା ମଲ୍ଲିକଙ୍କୁ ମାନପତ୍ର, ଉପଢୌକନ, ମେଡାଲ ଆଦି ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲାର ୪୦ରୁ ଉର୍ଦ୍ଧ୍ବ ସାହିତ୍ୟିକ ସାହିତ୍ୟିକା ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରମୋଦିନୀ ପରିଛା, ସୁବ୍ରତା ମହାନ୍ତି, ନିକୁଞ୍ଜ କୁମାର ଘୋଷ, ରଣଜିତ କୁମାର ବେହେରା, ପ୍ରଭାକର ଦାସ, ଜ୍ୟୋତ୍ସ୍ନା ରାୟ, ବାସନ୍ତୀ ଦେ, ଉଷାରାଣୀ ଦାସ, ବୁବୁ ସିଂହ, ବିଜୟ କୁମାର ଦାସ ଅଧିକାରୀ, ପ୍ରମୋଦିନୀ ପରିଛା, ସୁଧୀର ଶେଖର ଭୁୟାଁ, ଦିବ୍ୟେନ୍ଦୁ ମଲ୍ଲିକଙ୍କ ସହ ଅନେକ କବି ସାହିତ୍ୟିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ଶେଷରେ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.