ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ, ଓଡ଼ିଶା ଶାଖା ପକ୍ଷରୁ “ଫକୀରମୋହନ ସେନାପତିଙ୍କ ପ୍ରଶାସନିକ ସମ୍ପୃକ୍ତି” ଉପରେ ଏକ ନଭସଞ୍ଚାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ଫକୀର ମୋହନୀୟ ପୃଥିବୀର ମହା ବ୍ୟାଖ୍ୟାକାର ବିଶିଷ୍ଟ ଗବେଷକ ଦେବେନ୍ଦ୍ର କୁମାର ଦାଶ । ଗବେଷକୀୟ ଦୃଷ୍ଟିଭଙ୍ଗୀ ଓ ପ୍ରତିବଦ୍ଧତାକୁ ନେଇ ଫକୀରମୋହନ ସମ୍ପର୍କୀୟ ବହୁ ତଥ୍ଯକୁ ଆଧାର କରି ଅତି ନିରପେକ୍ଷ ଭାବରେ ଫକୀରମୋହନଙ୍କ ପ୍ରାଶାସନିକ ଦିଗ, ସାହିତ୍ୟିକ ଦିଗ ତଥା ଚାକିରୀ ଜୀବନର ଦିଗଦିଗନ୍ତକୁ ଅତି ଚମତ୍କାର ଭାବରେ ସେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଜାତୀୟ ଅଭିଲେଖାଗାରର ସହ ନିର୍ଦ୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର । ଫକୀରମୋହନଙ୍କ ଦୁଷ୍ପ୍ରାପ୍ୟ ସଂପୃକ୍ତି ସମ୍ପର୍କରେ ସେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମର ସଭା ପରିଚାଳନା କରିଥିଲେ ଡ. ସନ୍ତୋଷ କୁମାର ନାୟକ । ଫକୀରମୋହନ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଯୁବପିଢିଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏଇ ଯେଉଁ ମହାବକ୍ତୃତାମାଳା ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓଡ଼ିଶା ଶାଖା ଦ୍ବାରା ଆୟୋଜନ କରାଯାଉଛି ତାହା କିଭଳି ଓଡ଼ିଆ ଭାଷା ସାହିତ୍ୟ ପାଇଁ ଉପଯୋଗୀ ତାହା ଡ. ମନିକା ଦାସ ଆଲୋଚନା କରିଥିଲେ । ଫାଉଣ୍ଡେସନର ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର କହିଥିଲେ ଯେ, ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ ହେଉଛି ସାହିତ୍ୟକୁ ନେଇ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା । ଓଡ଼ିଶାର ଭିତ୍ତିଭୂମିର ବିକାଶ କରିବା ତଥା କୃଷି, ଅର୍ଥନୀତି, ଶିକ୍ଷାର ବିକାଶ ଦିଗରେ ଫକୀରମୋହନ ସେନାପତିଙ୍କର କିପରି ଅତୁଳନୀୟ ଅବଦାନ ଥିଲା ତାହା ପ୍ରଫେସର ତନ୍ମୟ ପଣ୍ଡା ବକ୍ତବ୍ୟ ରଖିଥିଲେ । ଏହି ନଭସଞ୍ଚାରୀ କାର୍ଯ୍ୟକ୍ରମର ସଂଯୋଜକ ଡ. ରବୀନ୍ଦ୍ର କୁମାର ଦାସ ଫକୀରମୋହନଙ୍କ ପ୍ରଶାସନିକ ଦିଗ ଉପରେ ନିଜର ମତ ରଖିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ଵଭାରତୀର ପି.ଏଚ୍.ଡି ଗବେଷିକା ବେବିନା ଦାସ । ଏହି ସମ୍ପାନରେ ଡ. ସୁନନ୍ଦା ପଣ୍ଡା, ଡ. କ୍ଷୀରୋଦ କୁମାର ବେହେରା, ଡ. ପ୍ରସନ୍ନ ହୋତା, ଡ. ସନ୍ତୋଷ କୁମାର ରଥ, ଅନିନ୍ଦିତା ଦାସ, ଡ. ରୁଦ୍ରାଣୀ ମହାନ୍ତି ଏବଂ ବହୁ ସଂଖ୍ଯକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଡ. ମୋନିକା ଦାସ ସଭା ସମାପ୍ତି ଘୋଷଣା କରିଥିଲେ ।