ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଓଡ଼ିଶା ଉପକୂଳ ଚାନ୍ଦୀପୁରସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀରୁ ମଧ୍ୟମ ଦୂରତାବିଶିଷ୍ଟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ମାର୍ଚ୍ଚ ୨୭ରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ (ଏମଆରସାମ) କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ଦୁଇଟି ସଫଳ ଫ୍ଲାଇଟ୍ ଟେଷ୍ଟ ସମ୍ପାଦିତ ହୋଇଛି । ଏହା ହେଉଛି ଏମଆରସାମ୍ କ୍ଷେପଣାସ୍ତ୍ରର ଭାରତୀୟ ସେନା ସଂସ୍କରଣ । ଲାଇଭ୍ ଫାୟାରିଂ ପରୀକ୍ଷଣର ଅଂଶବିଶେଷ ସ୍ବରୂପ ଆକାଶ ମାର୍ଗରେ ଦ୍ରୁତବେଗରେ ଗତିଶୀଳ ହେଉଥିବା ଲକ୍ଷ୍ୟକୁ ଭେଦ କରିବା ଲାଗି କ୍ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରେ ଥିବା ଲକ୍ଷ୍ୟକୁ ଠାବ କରିବା ସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଧ୍ବଂସ କରି ଦେଇଥିଲା । ଉଭୟ ଦୂରତାରେ କ୍ଷେପଣାସ୍ତ୍ର ସିଧାସଳଖ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ମଧ୍ୟମ ଉଚ୍ଚତା ଏବଂ ଲମ୍ବା ଦୂରତାରେ ଥିବା ଲକ୍ଷ୍ୟ ଭେଦ କରିବା ଲାଗି ପ୍ରଥମ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଅନ୍ୟପଟେ କମ୍ ଉଚ୍ଚତାରେ ଥିବା କମ୍ ଦୂରତାବିଶିଷ୍ଟ ଲକ୍ଷ୍ୟକୁ ଭେଦ କରିବା ଲାଗି ଦ୍ବିତୀୟ ବାର କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା । ଏହି ଏମଆରସାମ୍ ସଂସ୍କରଣର କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରିବ । ଏହାକୁ ଡିଆରଡିଓ ଏବଂ ଇସ୍ରାଏଲର ‘ଇସ୍ରାଏଲ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍’ (ଆଇଏଆଇ) ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି । ଭାରତୀୟ ସେନାର ବ୍ୟବହାର ପାଇଁ ଏହି କ୍ଷେପଣାସ୍ତ୍ର ନିର୍ମାଣ କରାଯାଇଛି । ଏମଆରସାମ ସେନା ଅସ୍ତ୍ର ପ୍ରଣାଳୀରେ ବହୁମୁଖୀ କାର୍ଯ୍ୟକ୍ଷମତା ବିଶିଷ୍ଟ ରାଡାର, ମୋବାଇଲ୍ ଉତ୍କ୍ଷେପଣ ପ୍ରଣାଳୀ ଏବଂ ଅନ୍ୟାନ୍ୟ ବାହନ ସଂଯୋଗ ହୋଇଛି । ଡେଲିଭରେବଲ କନଫିଗୁରେସନ ବା ନିକ୍ଷେପ ଯୋଗ୍ୟ ଅସ୍ତ୍ର ପ୍ରଣାଳୀ ସହିତ ଏହି ଫ୍ଲାଇଟ୍ ଟେଷ୍ଟ କରାଯାଇଥିଲା। ଚାନ୍ଦୀପୁର ଆଇଟିଆର ପକ୍ଷରୁ ନିୟୋଜିତ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରୀ ଭଳି ଦୂରତା ମାପନ ଉପକରଣ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର ଅସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା । ପରୀକ୍ଷଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ‘ଏମଆରସାମ-ଆର୍ମୀ’ ଅସ୍ତ୍ର ପ୍ରଣାଳୀର ସଫଳ ଫ୍ଲାଇଟ୍ ପରୀକ୍ଷଣ ପାଇଁ ଡିଆରଡିଓ, ଭାରତୀୟ ସେନା ଏବଂ ପ୍ରତିରକ୍ଷା ଉଦ୍ୟୋଗ ଜଗତକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଦୁଇଟି ପରୀକ୍ଷଣ ସଫଳ ହେବା ଦ୍ବାରା ଗୁରୁତ୍ବପୂର୍ଣ୍ଣ ଦୂରତାରେ ଥିବା ଲକ୍ଷ୍ୟକୁ ଭେଦ କରିବାରେ ଅସ୍ତ୍ର ପ୍ରଣାଳୀର କ୍ଷମତା ପ୍ରମାଣିତ ହୋଇଛି । ଏମଆରସାମ ସେନାବାହିନୀ ସଂସ୍କରଣ ଷେପଣାସ୍ତ୍ରର ଫ୍ଲାଇଟ୍ ଟେଷ୍ଟ ସଫଳ ହୋଇଥିବାରୁ ଏଥିରେ ସମ୍ପୃକ୍ତ ରହିଥିବା ବିଶେଷଜ୍ଞମାନଙ୍କୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ହାସଲ ଦିଗରେ ଏସବୁ ପରୀକ୍ଷଣର ସଫଳତା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ।