ରୁପ୍ରାରୋଡ ଷ୍ଟେସନରେ ସମତା, କୋରବା, ଧାନବାଦ, ତିରୁପତି ଏକ୍ସପ୍ରେସ ଟ୍ରେନ ପୁନଃ ରହଣି ପାଇଁ ରେଳ ଯାତ୍ରୀ ସୁରକ୍ଷା ସମିତିର ଦାବୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ବାରମ୍ବାର ଦାବୀ ସତ୍ତ୍ୱେ ରୁପ୍ରାରୋଡ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ଅଟକୁ ନଥିବାରୁ ଆନ୍ଦୋଳନ ଚେତାବନୀ ଦେଇଛି ରେଳ ଯାତ୍ରୀ ସୁରକ୍ଷା ସମିତି । ପୂର୍ବରୁ ରୁପ୍ରାରୋଡ ଷ୍ଟେସନରେ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ, ପୁରୀ- ଅହମଦାବାଦ, ବିଲାସପୁର-ତିରୁପତି ଏକ୍ସପ୍ରେସ ପ୍ରଭୃତି ଟ୍ରେନ ଗୁଡିକ ରୁପ୍ରାରୋଡ ଅଟକୁଥିଲା କିନ୍ତୁ କରୋନା ପରଠାରୁ ଅଦ୍ୟାବଧି ଉକ୍ତ ଟ୍ରେନ ଗୁଡିକ ଆଉ ଏହି ଷ୍ଟେସନରେ ରହଣୀ ହେଉ ନାହିଁ । ଯାହାଫଳରେ ଏହି ଅଞ୍ଚଳର ହଜାର ହଜାର ରେଳ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୁପ୍ରାରୋଡ ଷ୍ଟେସନରେ ଟ୍ରେନ ରହଣୀ ପାଇଁ ବାରମ୍ବାର ରେଳ ଯାତ୍ରୀ ସୁରକ୍ଷା ସମିତି ମାନନୀୟ ପ୍ରଧାନମନ୍ତ୍ରୀ, ମାନନୀୟ ରେଳମନ୍ତ୍ରୀ, ମାନନୀୟ କଳାହାଣ୍ଡି ଲୋକସଭା ସାଂସଦଙ୍କ ସମେତ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏଣୁ ଆସନ୍ତା ଅପ୍ରେଲ ୧୦ରେ ରେଳରୋକ କରାଯିବାର ନିଷ୍ପତ୍ତି ନେଇଛି ରେଳ ଯାତ୍ରୀ ସୁରକ୍ଷା ସମିତି । ଏନେଇ ଇଷ୍ଟକୋଷ୍ଟ ରେଳ ବିଭାଗ ଜିଏମଙ୍କୁ ରୁପାରୋଡ଼ ଷ୍ଟେସନ ଅଧିକ୍ଷକଙ୍କ ଜରିଆରେ ଏକ ପତ୍ର ପ୍ରେରଣ କରିଛି ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ଆଜି (ମାର୍ଚ୍ଚ ୩୦) ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ସଭାପତି ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ, ଉପସଭାପତି ପ୍ରଦୀପ ଅଗ୍ରୱାଲ, ସମ୍ପାଦକ ନୀରଜ ଶର୍ମା, କୋଷାଧ୍ୟକ୍ଷ ଦୀନେଶ ଅଗ୍ରୱାଲ, ବରିଷ୍ଠ ସଦସ୍ୟ ରତନ କୁମାର ଅଗ୍ରୱାଲ, ଶ୍ୟାମ ସୁନ୍ଦର ଶର୍ମା, ରାଜେଶ ଦତ୍ତା, ବିଜୟ କୁମାର ଅଗ୍ରୱାଲ, ମନୋଜ ମହାନ୍ତି, ଅନୀଲ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଓମପ୍ରକାଶ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସୁମିତ ଅଗ୍ରୱାଲ ପ୍ରମୁଖଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ରୁପ୍ରାରୋଡ଼ ଜନସାଧାରଣ ରୁପାରୋଡ଼ ଷ୍ଟେସନ ମାଷ୍ଟରଙ୍କ ଜରିଆରେ ଇଷ୍ଟକୋଷ୍ଟ ଜିଏମଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ରୁପ୍ରାରୋଡ଼ ରେଳ ଯାତ୍ରୀ ସୁରକ୍ଷା ସମିତି ତରଫରୁ ଆସନ୍ତା୧୦ ଅପ୍ରେଲରେ ରେଳରୋକୋ ଆନ୍ଦୋଳନ କରି ଟ୍ରେନ ଲାଇନରେ ରୁପ୍ରାରୋଡ଼ ତଥା ଆଖପାଖ ୧୫ ଗୋଟି ଗ୍ରାମର ଜନସାଧାରଣ ଧାରଣାରେ ବସିବେ ବୋଲି ନିଷ୍ପତି ନିଆଯାଇଥିବା ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି । ପତ୍ର ମାଧ୍ୟମରେ ସଂଘ ଡିଆରଏମଙ୍କୁ ଜଣାଇ ଥିବା ବେଳେ ଏହି ପତ୍ରର ଏକ କିତା ଲେଖାଏଁ କପି କଳାହାଣ୍ଡି ଜିଲ୍ଲାପାଳ, ଡିଆରଏମ ସମ୍ବଲପୁର ପ୍ରମୁଖଙ୍କୁ ପ୍ରଦାନ କରି ଅବଗତ କରାଯାଇଥିବା ସମିତିର ସଭାପତି ଆଇନଜୀବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ସୂଚନା ଦେଇଛନ୍ତି ।