ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ବ୍ଲକ ଉପାଧ୍ୟକ୍ଷାଙ୍କ ପାଇଁ ପ୍ରକୋଷ୍ଠ ଯୋଗାଇଦେବା ଦାବି ନେଇ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସମିତି ସଭ୍ୟ ସଭ୍ୟା । ଖବରରୁ ପ୍ରକାଶ ଯେ, ଦେଓଗାଁ ସମିତି ସଭ୍ୟା ରାଜଲକ୍ଷ୍ମୀ ପଟ୍ଟନାୟକ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କ ପାଇଁ ବ୍ଲକ ପରିସରରେ ସ୍ବତନ୍ତ୍ର ପ୍ରକୋଷ୍ଠ ଦିଆ ଯାଇନାହିଁ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା ବ୍ଲକର ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବୀ ହୋଇଥିବା ବେଳେ ଉପାଧ୍ୟକଙ୍କ ପାଇଁ ପ୍ରକୋଷ୍ଠ ନମିଳିବା ଦୁଃଖ ଓ ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଛି । ଅନ୍ୟ ବ୍ଲକ ମାନଙ୍କରେ ଉପାଧ୍ୟକ୍ଷା ପ୍ରକୋଷ୍ଠ ରହିଥିବା ବେଳେ କେସିଙ୍ଗା ବ୍ଲକର ଉପାଧ୍ୟକ୍ଷାଙ୍କୁ ପ୍ରକୋଷ୍ଠ ନମିଳିବା ନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଏ ସଂପର୍କରେ କେସିଙ୍ଗା ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପଟ୍ଟନାୟକ ନିଜ ସମର୍ଥକ ୧୫ ଜଣ ସମିତି ସଭ୍ୟ/ସଭ୍ୟାଙ୍କୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଡ଼ଃ. ଗାଭାଲି ପରାଗ ହର୍ଷଦ ଅଭିଯୋଗକୁ ଗ୍ରହଣ କରି ଉପାଧ୍ୟକ୍ଷାଙ୍କ ପାଇଁ ବ୍ଲକ ପରିସରରେ ସ୍ବତନ୍ତ୍ର ପ୍ରକୋଷ୍ଠ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଅଭିଯୋଗକୁ ନେଇ ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ଓ ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନାହିଁ ।