ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ‘ଗୀତାମୃତ ପଠନ ଓ ଶ୍ରବଣ’ କାର୍ଯ୍ୟକ୍ରମ ଅପ୍ରେଲ ୭ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ଅଧ୍ୟକ୍ଷତାରେ ଏବଂ ପରିବାରର ବରିଷ୍ଠ ଉପଦେଷ୍ଟା ବିପିନ ବିହାରୀ ବାରିକଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟିକ କବି ବନ୍ଧୁ ପରିବାରର ଏହି ଅନନ୍ୟ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଶିଷ୍ଟ ପ୍ରବଚକ ପଣ୍ଡିତ ଗୋପାଳକୃଷ୍ଣ ସେନାପତିଙ୍କ ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟ, ସାଂଖ୍ୟଯୋଗର ଏକାବନତମ ଶ୍ଲୋକରୁ ଷାଠିଏତମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ଗୀତା ଆଲୋଚନା ନୁହେଁ, ଅନ୍ଧାରରୁ ଆଲୋକ ଆଡକୁ ଅଗ୍ରସର ହେବାର ସୁଗମ ପଥ। ସମତ୍ଵ ଭାବ ସହିତ ବୁଦ୍ଧି ଯୁକ୍ତ ହୋଇ କାର୍ଯ୍ୟ କରିବା, ଗୀତା ପ୍ରବୃତ୍ତି ଓ ନିବୃତ୍ତି ଭାବର ଶିକ୍ଷା ଦିଏ । ଇନ୍ଦ୍ରିୟ ମାନଙ୍କୁ ବଶକରି ସ୍ଥିତପ୍ରଜ୍ଞ ହେବା ଉଚିତ ବୋଲି ପ୍ରବଚକ ମହାଶୟ ସାଙ୍ଖ୍ୟଯୋଗର ଦଶଟି ଶ୍ଲୋକର ବ୍ୟାଖ୍ୟା କରିଥିଲେ । ସୌମ୍ୟ ରଞ୍ଜନ ଦାଶ, ଡ଼ ପ୍ରିୟମ୍ବଦା ସାମଲ, ଗୀତାଞ୍ଜଳି ପୃଷ୍ଟି , ରଞ୍ଜନ କୁମାର ମହାନ୍ତି, ପ୍ରତିମା ଶତପଥୀ ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇଥିଲେ । ସଂଯୁକ୍ତା ରାଉତ ସାଂଖ୍ୟଯୋଗର ଦଶଟି ଶ୍ଲୋକର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରି କହିଥିଲେ ‘ସାଧକ ମନରେ ଥିବା ସକଳ କାମନା ତ୍ୟାଗ କରି ନିଜ ଆତ୍ମାକୁ ସଞ୍ଜତ୍ କରି ଆତ୍ମଜ୍ଞାନରେ ନିଷ୍ଠା ରଖି ସନ୍ତୋଷ ଲାଭ କଲେ ସ୍ଥିତପ୍ରଜ୍ଞ ହୁଏ’ । ଶେଷରେ ଗୀତାରାଣୀ ପୁରୀଙ୍କ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା ।