ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅନ୍ତର୍ଗତ ଚିଆଁପଦର ଓ ଦେଣ୍ଡୋଗୁଡା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ସରିଆଁର ନବ ନିର୍ବାଚିତ ସରପଞ୍ଚ ଓମପ୍ରକାଶ ଛତ୍ରିଆ । ସେ ଚିଆଁପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକମାନଙ୍କ ସହ ଓ ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ୩ ଜଣ ଶିକ୍ଷକ ନିୟୋଜିତ ହୋଇଥିବା ଜଣାପଡିଛି । ତେବେ ଏହି ବିଦ୍ୟାଳୟ ପାଇଁ ଆଉ ଜଣେ ଶିକ୍ଷକଙ୍କ ଜରୁରୀ ଥିବା ଜାଣିବାକୁ ପାଇଥିଲେ ସରପଞ୍ଚ ଶ୍ରୀ ଛତ୍ରିଆ । ବିଦ୍ୟାଳୟର ଏହି ସମସ୍ୟା ସଂପର୍କରେ ସେ ବିଭାଗୀୟ କତୃପକ୍ଷଙ୍କୁ ଅବଗତ କରାଇ ଜଣେ ଶିକ୍ଷକ ନିଯୁକ୍ତି କରାଇବା ପାଇଁ ପ୍ରଯତ୍ନ କରିବେ ବୋଲି ‘ଓଡ଼ିଆ ବାର୍ତ୍ତା’କୁ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ଚିଆଁପଦର ଗାଁ କଳାହାଣ୍ଡି-ବଲାଙ୍ଗୀର ଲୋକସଭା ଆସନର ପ୍ରଥମ ସାଂସଦ ସ୍ଵର୍ଗତ ଗିରିଧାରୀ ଭୋଇଙ୍କ ଜନ୍ମମାଟି । ତେବେ ଏହା ବିକାଶ ପଥରେ ସେତେ ଆଗେଇ ପାରିନାହିଁ ତେଣୁ ଏହି ଗାଁର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ଧ୍ୟାନ ଦେବି ବୋଲି ଶ୍ରୀ ଛତ୍ରିଆ ମତ ପ୍ରକାଶ କରିଛନ୍ତି । ଏହାସହ ସେ ଦେଣ୍ଡୋଗୁଡା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରାଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ଏବଂ ଶିକ୍ଷା ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେଠାରେ ମଧ୍ୟ ସେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ବିଦ୍ୟାଳୟର ସୁବିଧା ଅସୁବିଧା ବିଷୟରେ ଶିକ୍ଷକ ଓ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।