ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଗାଁ ଠୁ ସହର ସବୁଠି ଏବେ ପ୍ରବଳ ମୁଣ୍ଡ ଫଟା ଖରା ହେଉଛି । ଥଣ୍ଡାପାଣି ବୁନ୍ଦେ ପାଇଁ ଲୋକେ ଡହକବିକଳ ହେଉଛନ୍ତି । ଏଥି ପାଇଁ ସିନାପାଲିରେ ମାଠିଆର ଚାହିଦା ରହିଛି । ଲୋକେ ବଜାରରେ ମାଠିଆ ଖୋଜୁଛନ୍ତି । ଏବେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ କୁମ୍ଭାର ସମ୍ପ୍ରଦାୟର ଲୋକ ୧ ମାସ ପୂର୍ବରୁ ମାଠିଆ ନିର୍ମାଣରେ ବ୍ୟସ୍ତ । ମାର୍ଚ୍ଚ ମାସ ପହିଲା ସପ୍ତାହରୁ ଏମାନଙ୍କ ବ୍ୟବସାୟ ଆରମ୍ଭ ହୋଇଯାଏ । ସିନାପାଲି ସହର ଆଖ ପାଖ ଅଞ୍ଚଳରେ ବିଶେଷ କରି ମଙ୍ଗଳବାର ଓ ଶନିବାର ସାପ୍ତାହିକ ହାଟରେ ମାଠିଆ ବିକିବାକୁ କୁମ୍ଭାରମାନେ ସକାଳୁ ସକାଳୁ ହାଟକୁ ପହଞ୍ଚି ଯାଆନ୍ତି । ଗୋଟିଏ ମାଠିଆ ମୂଲ୍ୟ ୫୦ ଟଙ୍କାରୁ ୮୦ ଟଙ୍କା ପର୍ଯ୍ୟନ୍ତ ଅଛି । ସେ ଯାହା ହେଉ ଖରା ମାସରେ ଗରିବ ଲୋକଙ୍କ ଫ୍ରିଜ ଭାବେ ପରିଚିତ ମାଠିଆକୁ ଲୋକେ ଖୋଜୁଛନ୍ତି । କିନ୍ତୁ ଆଗଭଳି ଆଉ ସବୁବେଳେ କୁମ୍ଭାରଙ୍କ ବୃତ୍ତି ଚାଲୁନାହିଁ । ଗ୍ରୀଷ୍ମ ୨ ମାସ ଛାଡ଼ିଦେଲେ ବାକି ସମୟରେ ସେମାନେ ନିଜ ତିଆରି ଜିନିଷ ବିକ୍ରି ବଟା କରି ନପାରି ହାତବାନ୍ଧି ବସିଥିବା ଦେଖିବାକୁ ମିଳୁଛି । ବର୍ଷର ଅନ୍ୟ ସମୟରେ ଯାହାବି ବିକ୍ରି ହୁଏ ସେଥିରେ ପରିବାର ପ୍ରତିପୋଷଣ କରିବା ସମ୍ଭବ ହୋଇନଥାଏ । କୁମ୍ଭାରମାନଙ୍କ କୌଳିକ ବୃତ୍ତି ଦୟନୀୟ ହୋଇପଡ଼ିଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣରେ ସମସ୍ୟା ସୃଷ୍ଟି ହୋଇଛି । ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି, କାପସି, ଫୁରୁସୁଣ୍ଡ ଓ ଖଳନା ଆଦି ଅଞ୍ଚଳରେ କୁମ୍ଭାର ଅଧିକ ସଂଖ୍ୟାରେ ବସବାସ କରନ୍ତି । ଏବେ ବି କୌଳିକ ବୃଦ୍ଧି ଉପରେ ନିର୍ଭର କରୁଛନ୍ତି । କିନ୍ତୁ ମାଟି ସାମଗ୍ରୀ ବ୍ୟବହାର କମ ହେଉଥିବାରୁ ଉଚିତ ମୂଲ୍ୟ ମଧ୍ୟ ମିଳୁ ନ ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି । ତେଣୁ ପ୍ରଶାସନ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କୁମ୍ଭାର ବ୍ୟବସାୟୀ ମାନେ ନିବେଦନ କରିଛନ୍ତି ।