ଇତିହାସ ଓ ଧର୍ମୀୟ ଭାବନାର ଅପୂର୍ବ ସମନ୍ୱୟ ‘ଗୁଡହାଣ୍ଡି ଡୋକରୀଚଞ୍ଚରା’

ଆଜିଠାରୁ ଗୁଡହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

Omkar Vasthu
Omkar Vasthu

✍🏾ରଜତ ବଂଶଲ

ଚାରିଆଡେ ବିସ୍ତୀର୍ଣ୍ଣ ଜଙ୍ଗଲ। ତା’ରି ମଧ୍ଯଭାଗରେ ବିଶାଳ ପଥର ଚଟାଣ। ଚଟାଣ ମଝିରେ ପୂଜା ପାଆନ୍ତି ଆଦିବାସୀ ଅଧ୍ୟୁଷିତ ଖଲିଗଡର ଆରାଧ୍ୟ ଦେବୀ ମା’ ଡୋକରୀ। ମା’ଙ୍କ ନାମାନୁସାରେ ଚଟାଣ (ଚଞ୍ଚରା)ର ନାଁ ସ୍ଥାନୀୟ ଭାଷାରେ ‘ଡୋକରୀଚଞ୍ଚରା’। ଡୋକରୀ ଚଞ୍ଚରାରେ ଡୋକରୀ ଦେବୀଙ୍କ ସହ ପୂଜାପାଆନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଡୋକରୀଚଞ୍ଚରାରେ ପ୍ରତି ବର୍ଷ ରାମନବମୀ ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ଯ ଏପ୍ରିଲ ୯ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ପାଳିତ ହେବ। ଏହାକୁ ଡୋକରୀଚଞ୍ଚରା ମହୋତ୍ସବ ବୋଲି ମଧ୍ଯ କୁହାଯାଏ। ଏଥର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଉଛି ମଧୁମାଧବ କ୍ଷେତ୍ରରେ ଗୁଡହାଣ୍ଡି ଡୋକରୀଚଞ୍ଚରା ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୁଖ୍ୟାଳୟ ଠାରୁ ୨୨କିମି ଅତିକ୍ରମ କଲାପରେ ଆଖି ଆଗରେ ଝଲସି ଉଠେ ସାହାଜଖୋଲ ଜଙ୍ଗଲ ମଧ୍ୟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୁଡ଼ହାଣ୍ଡି ଡୋକରୀଚଞ୍ଚରା। ସେଥିରେ ଦୁଇ ମନୋରମ ଜଳପ୍ରପାତ ଡୋକରୀଦର ଓ ଭୈରବଧାର। ତା’ ସହିତ ଗୁଡହାଣ୍ଡିର ୧୫ହଜାର ବର୍ଷ ତଳର ଗୁମ୍ଫାଚିତ୍ର। ଅତୀତର ଗୈାରବ ଗାଥା ତଥା ପ୍ରାଗ୍ ଐତିହାସିକ ଯୁଗର କଥା ବଖାଣ କରିଥାଏ ଏହି ସ୍ଥାନ। ଡୋକରୀଚଞ୍ଚରାରେ ଥିବା ଅନେକ ପ୍ରାକୃତିକ ବିଭବ, ଝରଣା, ଗୁମ୍ଫା ଏହାର ଗାରିମାକୁ ଅଧିକ ମହିମା ମଣ୍ଡିତ କରୁଛି। ଏଭଳି ଏକ ମନୋରମ ପରିବେଶରେ ପ୍ରତିବର୍ଷ ଚୈତ୍ର ମାସରେ ପାଳିତ ହୁଏ ରାମନବମୀ ଯାତ୍ରା, ଯାହା ପରବର୍ତ୍ତୀ ସମୟରେ ‘ଗୁଡହାଣ୍ଡି ଡୋକରୀଚଞ୍ଚରା ମହୋତ୍ସବ’ର ମାନ୍ଯତା ପାଇଛି। ଏହି ମହୋତ୍ସବରେ ରାଜ୍ୟ ତଥା ପଡୋଶୀ ରାଜ୍ୟରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ। ଶ୍ରୀରାମନବମୀ ସମୟରେ ପ୍ରାୟ ୨୦ହଜାର ଲୋକଙ୍କ ସମାଗମ ହୋଇଥାଏ। ତେବେ ଭିଡ ନିୟନ୍ତ୍ରଣ ପାଇଁ କମିଟି ତରଫରୁ ବ୍ୟବସ୍ଥା ସବୁ କରାଯାଇଛି। କମିଟି ତରଫରୁ ଭକ୍ତ ଓ ଦର୍ଶକଙ୍କ ପାଇଁ ଭୋଗର ବ୍ୟବସ୍ଥା ସହିତ ପାଣି ପାଇଁ ବ୍ୟବସ୍ଥା କରାଯାଇଛି। ଡୋକରୀଚଞ୍ଚରାକୁ ଅନେକ ମଧୁମାଧବ ତୀର୍ଥ ବୋଲି ମଧ୍ଯ କହନ୍ତି। ଏଠାରେ ପୁଣ୍ୟକୁଣ୍ଡ, ରୁଷିକୁଣ୍ଡ, ଯୋଗୀ ପାହାଡ, ରାଣୀ ପାହାଡ, ତପ୍ତ ଗଙ୍ଗା, କବାଟ ଦର, ଝାଡେଶ୍ବର ମହାଦେବ ପୀଠ, ବିଭୁତି କୁଣ୍ଡ ପ୍ରଭୃତି ଅଲୌକିକ ପୁଣ୍ୟସ୍ଥାନ ସବୁ ରହିଅଛି। ଏହାର କୋଣ ଅନୁକୋଣ ଇତିହାସର ଗାଥା କହେ। ଏହା ଆଖପାଖରେ ଅନେକ ଜୀବନ୍ତ କୀର୍ତ୍ତୀମାନ ଅଛି।

ପୁଣ୍ୟକୁଣ୍ଡ ଓ ରୁଷି ଗୁମ୍ଫା:

ଡୋକରୀଚଞ୍ଚରା ଶିଳା ଅଞ୍ଚଳରେ ରହିଛି ପୂଣ୍ୟକୁଣ୍ଡ ଝରଣା। କିମ୍ବଦନ୍ତି ଅଛି ଯେଉଁ ବ୍ଯକ୍ତି ଏହି ପୂଣ୍ୟକୁଣ୍ଡରେ ବୁଡ ପକାଇଲେ ଧଳାଫେଣ ବାହାରେ, ତାକୁ ପୁଣ୍ୟବାନ୍ ଲୋକ ଏବଂ ଯିଏ ବୁଡ ପକାଇଲେ ଫେଣ ବାହାରେ ନାହିଁ, ତାକୁ ପାପୀ ବୋଲି ଧରିନିଆଯାଏ। ଏହାର ଉପରକୁ ଯେଉଁ ପର୍ବତ ଶ୍ରେଣୀ ରହିଛି, ସେଥିରେ ପବିତ୍ର ରୁଷି ଗୁମ୍ଫା ବିଦ୍ୟମାନ। କେଉଁ ସ୍ମରଣାତୀତ କାଳରୁ ଏହି ଗିରି ଗୁହାରେ ତପସ୍ବୀ ମାନେ ତପସ୍ୟା କରୁଥିବାର ଜଣାଯାଏ।

ମଧୁମାଧବ ତୀର୍ଥ:

ଡୋକରୀଚଞ୍ଚରା ପରିସର ମଧ୍ଯରେ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ଅବସ୍ଥିତ । ତ୍ରେତୟା ଯୁଗରେ ସୀତା ଚୋରି ପରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବନଗିରି ମଧ୍ଯରେ ବୁଲୁଥିବା ସମୟରେ ଡୋକରୀଚଞ୍ଚରା ଅତିକ୍ରମ କରି ପ୍ରମାଣ ପୂର୍ବକ ପଦଚିହ୍ନ ଛାଡି ଯାଇଥିଲେ। ପ୍ରଭୁ ଶ୍ରୀରାମଚନ୍ଦ୍ର ହେଲେ ଏହି ସ୍ଥାନର ପ୍ରଧାନ ଠାକୁର। ଏଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସହ ଜାନକୀ, ଅନୁଜ ଲକ୍ଷ୍ମଣ ଓ ପବନ ପୁତ୍ର ହନୁମାନ ପୂଜା ପାଆନ୍ତି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସକୁ ନଅଦିନ ଧରି ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମହାଆଡମ୍ବରରେ ‘ରାମନବମୀ’ ଭାବେ ପାଳନ କରାଯାଏ। ବସନ୍ତର ମଳୟ ହିଲ୍ଲୋଳରେ ବନଭୂମି ମୂଖରିତ ହୋଇଥାଏ। ମଧୁରଭାବ ଓ ମଧୁର ମୂର୍ଚ୍ଛନାରେ ମଣିଷ, ଜୀବଜନ୍ତୁ, ବସନ୍ତ ଋତୁରେ ସତେଯେପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବମୀ ପାଳନ କରନ୍ତି। ୧୯୭୨ ମସିହାରୁ ମଧୁମାଧବ ତୀର୍ଥ ରୂପେ ନାମକରଣ କରି ଏଠାରେ ଶ୍ରୀରାମନବମୀ ପୂଜା, ବିଶ୍ବଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହର ନାମଯଜ୍ଞ ଆଦି ଅନୁଷ୍ଠିତ ହୋଇଥାଏ।

ଡୋକରୀଦର:

ଡୋକରୀଚଞ୍ଚରା ଏକ ବିସ୍ତୀର୍ଣ୍ଣ ପଥରଶଯ୍ୟା। ପଥରଶଯ୍ୟା ଉପରେ ଏକା ଡୋକରୀଦର, ପ୍ରାୟ ୨ଶହ ଫୁଟର ଜଳପ୍ରପାତ। କଥା ଅଛି ଏହି ଦରରେ ଏତେ ଗଭୀର ପାଣି ଅଛି ଯେ, ତାହା ମାପି ହେବ ନାହିଁ। ଏଠାରେ ବଡ ବଡ ମାଛ ଥିବାର ମଧ୍ଯ ଅନେକ କହନ୍ତି।

ଭୈରବଧାର:

ଶ୍ରୀରାମଙ୍କ ମନ୍ଦିରଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୧.୫କିମି ଗଲା ପରେ ଭୈରବଧାର ପଡେ। ଏହା ଏକ ମନୋଜ୍ଞ ଝରଣା। ଭୟଙ୍କର ଦୃଶ୍ୟ ଓ ଭୟଙ୍କର ଶବ୍ଦ ହେତୁ ଲୋକେ ଏହାକୁ ଭୈରବଧାର କହନ୍ତି। ଗ୍ରୀଷ୍ମର ଢୋ ଢୋ ଖରାରେ ମଧ୍ଯ ଏଠାରେ ଦେହ ଶିତେଇ ଉଠେ।


ଐତିହାସିକ ଗୁଡ଼ହାଣ୍ଡି ପର୍ବତ:

କଳାପୂର୍ଣ୍ଣ କଳାହାଣ୍ଡିର ଗୌରବ ହେଉଛି ଗୁଡ଼ହାଣ୍ଡି। ଏଠାରେ ଏମିତି ପଥରର ଆକୃତି ଅଛି, ସତେ ଯେପରି ଏହା ଗୋଟିଏ ହାଣ୍ଡି। ପଥରରୁ ଯେଉଁ ରସ (ଲେସା) ଝରି ଶୁଖିଥାଏ, ତାହା ଗୁଡ଼ ଭଳି ପ୍ରତୀୟମାନ ହୁଏ। ତେଣୁ ଏହାକୁ ଗୁଡହାଣ୍ଡି କୁହାଯାଇଥିବା ଜନଶ୍ରୁତିରୁ ଜଣାପଡେ। ଏହା ସହିତ ଗୁଡହାଣ୍ଡିର ପର୍ବତର ପଥର ଦେହରେ ଲିଖିତ ୧୫ହଜାର ବର୍ଷ ତଳର ଶିଳାଲିପି, ଚିତ୍ର ମାନବତାର ବନ୍ଦନା କରିଛି। କୁହାଯାଏ ଗୁଡହାଣ୍ଡିର ନାମାନୁସାରେ କଳାହାଣ୍ଡିର ନାମକରଣ ହୋଇଛି। ଏସବୁ ବ୍ଯତୀତ ଯୋଗୀ ପାହାଡ, ରାଣୀ ପାହାଡ, ତପ୍ତ ଗଙ୍ଗା, କବାଟ ଦର, ଝାଡେଶ୍ବର ମହାଦେବ ପୀଠ, ବିଭୁତି କୁଣ୍ଡ ପ୍ରଭ୍ରୁତି ଅଲୌକିକ ପୁଣ୍ୟସ୍ଥାନ ସବୁ ରହିଅଛି। ଏହାର କୋଣ ଅନୁକୋଣ ଇତିହାସର ଗାଥା କହେ। ଏହା ଆଖପାଖରେ ଅନେକ ଜୀବନ୍ତ କୀର୍ତ୍ତୀମାନ ଅଛି।

ସ୍ବତନ୍ତ୍ର ପ୍ରତିନିଧି, କଳାହାଣ୍ଡି
OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.