ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ ପକ୍ଷରୁ ମାଗଣା ଚଷମା ପ୍ରଦାନ କରାଯାଇଛି । ଆଜି ଏନେଇ ରାକ୍ସି ହାଇସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ କୁମାର ଧଙ୍ଗଡାମାଝୀ ଯୋଗଦେଇ ଚକ୍ଷୁର ଜତ୍ନ ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏସସିଡି ଚକ୍ଷୁ ଚିକିତ୍ସାଳୟର ଭିଜନ ମୋଟିଭେଟର ହିରାମଣି ସାହୁ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୯ ତାରିଖ ଦିନ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦର ଓ ଏସସିଡି ଚକ୍ଷୁ ଚିକିତ୍ସାଳୟ ଟିଟିଲାଗଡ଼ର ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଆବଶ୍ୟକତା ଅନୁଭବ କରୁଥିବା ଶିକ୍ଷାର୍ଥୀମାନଙ୍କ ଚକ୍ଷୁ ପରିକ୍ଷା ରିପୋର୍ଟ ଚକ୍ଷୁ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ଚଷମା ପ୍ରସ୍ତୁତ ହେବା ପରେ ଆଜି ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଛି ।