ବାଟବଣା ସରକାରୀ ଯୋଜନା : ମାଲାମାଲ ଛତୁଆ ଯୋଗାଣକାରୀ ସଂସ୍ଥା, ପ୍ରକୃତ ଲାଭ ପାଇପାରୁ ନାହାନ୍ତି ହିତାଧିକାରୀ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): ରାଜ୍ୟ ସରକାର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିସାର ଖାଦ୍ୟ ଏବଂ ଶିଶୁ ମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କ ଜରିଆରେ ହିତାଧିକାରୀ ମାନଙ୍କୁ ଛତୁଆ ବଣ୍ଟନ କରୁଛନ୍ତି । ହେଲେ ଛତୁଆର ମାନ ଯେଉଁ ଭଳି ରହିବା କଥା ତାହା ରହୁନାହିଁ ବୋଲି ଅଭିଯୋଗ ହେଉଛି । ତାହାର ଜ୍ଵଳନ୍ତ ଉଦାହରଣ କେସିଙ୍ଗା ବ୍ଲକରେ ହେଉଥିବା ବେଳେ ହିତାଧିକାରୀ ମାନଙ୍କୁ ନିମ୍ନମାନର ଛତୁଆ ଓ ଲଡୁ ଯୋଗାଣ ହେଉଥିବା ନେଇ ସାଧାରଣରେ ଅଭିଯୋଗ ଶୁଣିବାକୁ ମିଳୁଛି । ବିଭାଗୀୟ ଅଧିକାରୀଙ୍କୁ ହାତ ବାରିସୀ କରି ଛତୁଆ ଯୋଗାଣ କାରୀ ସଂସ୍ଥା ମାଲାମାଲ ହେଉଥିବା ଚର୍ଚ୍ଚା ଆଲୋଚନା ଯୋର ଧରିଥିବା ବେଳେ ସରକାର ଯେଉଁ ଉଦ୍ଦେଶ୍ୟରେ ଛତୁଆ ବଣ୍ଟନ କରୁଛନ୍ତି ତାହା ବାଟବଣା ହେଉଛି ବୋଲି ମତ ପ୍ରକାଶ ପାଇଛି । ଖବର ନେବାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ସିର୍ଜାପାଲି ଓ ମହାଳୟା ଏସ୍ଏଚଜି ମହଗାଁ ଛତୁଆ ବଣ୍ଟନ ଦାୟିତ୍ଵରେ ରହିଛନ୍ତି । ଯାହାକି ଦିବ୍ୟଜ୍ୟୋତି ମହିଳା ମଣ୍ଡଳକୁ ୫ ଗୋଟି ସେକ୍ଟର ଓ ମହାଳୟା ଏସଏସଜି ମହଗାଁକୁ ୩ ଗୋଟି ସେକ୍ଟର ପାଇଁ ଛତୁଆ ଓ ରାଶି ଲଡୁ ବଣ୍ଟନ ଦାୟିତ୍ଵ ଦିଆଯାଇଛି । କେସିଙ୍ଗା ଏନଏସି ଗୋଟିଏ ସେକ୍ଟରକୁ ଦୁଇ ଛତୁଆ ଯୋଗାଣ ସଂସ୍ଥା ଛତୁଆ ଓ ବାଦାମ ଲଡୁ ଯୋଗାଣ କରୁଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତି ମାସରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ୪ କି.ଗ୍ରା ୪୦୦ ଗ୍ରାମ ଓ ଗୋଟିଏ ପକେଟ ବାଦାମ ଲଡୁ ଦିଆଯାଉଥିବା ବେଳେ ଶିଶୁ ମାନଙ୍କୁ ୨ କି.ଗ୍ରା ଛତୁଆ ଓ ୧ କେଜି ୫୦୦ଗ୍ରାମ ସୁଜି ଓ ବେସନ ଦିଆଯିବାର ବ୍ୟବସ୍ଥା ରହିଛି । ନିୟମ ମୁତାବକ ଛତୁଆ ପାଇଁ ୧ କୁଇଣ୍ଟାଲ ଗହମରେ ଚିନି ୨୫ କେଜି, ବୁଟ ଡାଲି ୨୦ କେଜି ଓ ବାଦାମ ୧୫ କେଜି ମିଶ୍ରଣ ହେବା କଥା । ହେଲେ ସେହି ହିସାବରେ ମିଶ୍ରଣ ହେଉଛି କି ନାହିଁ ତାହା ସନ୍ଦେହ । ତେବେ କେସିଙ୍ଗା ବ୍ଲକରେ ଛତୁଆ ଓ ଲଡୁ ବାବଦକୁ ମାସକୁ ୧୦ ଲକ୍ଷରୁ ଅଧିକ ଟଙ୍କା ବିଲ୍ କରାଯାଉଥିବା ବିଶ୍ବସ୍ତ ଖବରରୁ ଜଣାପଡିଛି । ଯାହାକି ଧର୍ମକୁ ଆଖି ଠାର ଭଳି ବିଭାଗୀୟ ଅଧିକାରୀ ମାନଙ୍କୁ ହାତବାରିସୀ କରି ଗୋଟିଏ ମାସ ଦେଲେ ଗୋଟିଏ ମାସ ବହୁ ଅଙ୍ଗନବାଡି କେନ୍ଦ୍ରରେ ଦେଉନଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ହିତାଧିକାରୀଙ୍କୁ ନିୟମିତ ଭାବେ ଛତୁଆ ନଦେଇ ଠକୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ ଅତି ନିମ୍ନମାନର ଛତୁଆ ମଧ୍ୟ ଯୋଗାଣ ହେଉଥିବା ଅଭିଯୋଗ ହେଉଛି । ଏପରିକି ଡ଼ାଏରି ଫାର୍ମ କରିଥିବା ଦୁଧ ବିକାଳୀମାନେ ଅଧା ଦାମରେ କିଣି ଗାଇଦାନା ଭାବେ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ଶୁଣିବାକୁ ମିଳୁଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ନିମ୍ନ ମାନର ଛତୁଆ ଓ ବାଦାମ ଲଡୁ ହିତାଧିକାରୀଙ୍କୁ ଦିଆଯାଉଥିବା ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ତଦନ୍ତର ଆଦେଶ ଦେଇ ଫାଇଲକୁ ଚପେଇ ଦିଆଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ କ’ଣ ହେଉଛି ତାହା ଜଣାପଡୁ ନାହିଁ । ଏନେଇ ଭବାନୀପାଟଣା ଉପ ଜିଲ୍ଲାପାଳ ବିଶ୍ୱଜିତ ଦାସଙ୍କୁ ନିମ୍ନ ମାନର ଛତୁଆ ଓ ବାଦାମ ଲଡୁ ଯୋଗାଣ ହେଉଥିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯାହାକି ଉପ ଜିଲ୍ଲାପାଳ ଡିଏସଡବ୍ଲୁଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଡିଏସଡବ୍ଲୁ ମହାଶୟାଙ୍କ ତଦନ୍ତକୁ ନେଇ ସନ୍ଦେହ ଘେରକୁ ଆସିଥିଲା । ଅପରପକ୍ଷରେ ଛତୁଆର ମାନ ପରୀକ୍ଷା ପାଇଁ ପ୍ରତି ମାସରେ ଭୁବନେଶ୍ୱର ସ୍ଥିତ ଲେବକୁ ପଠେଇବା କଥା ସତ କିନ୍ତୁ ହିତାଧିକାରୀ ମାନଙ୍କୁ ଯେଉଁ ଛତୁଆ ବଣ୍ଟନ କରାଯାଉଛି ସେଥିରୁ ଲ୍ୟାବକୁ ନପଠାଇ ଅନ୍ୟ ଛତୁଆ ପରୀକ୍ଷା ପାଇଁ ପଠାଯାଉଥିବା ଅଭିଯୋଗ ହେଉଛି । ଅନ୍ୟପଟେ କେସିଙ୍ଗା ସିଡିପିଓ ନିମ୍ନ ମାନର ଛତୁଆ ଯୋଗାଣକୁ ଅସ୍ବୀକାର କରୁଥିବା ବେଳେ ପ୍ରତି ମାସରେ ଅନ ଲାଇନରେ ଛତୁଆ ପ୍ରସ୍ତୁତ ଚିତ୍ର ପଠାଉଛୁ ଦର ଦାମ ବଢିଥିଲେ ମଧ୍ୟ ସେମାନେ ପୁରୁଣା ଦାମ ରେ ଛତୁଆ ଯୋଗାଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ । ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି କ୍ଷତିରେ ବ୍ୟବସାୟ ଚାଲିଛି ସେମାନେ ଛତୁଆ ଯୋଗାଣ ପାଇଁ ସମସ୍ତ କଳ ବଳ କୌଶଳ ଲଗେଇ ବାରମ୍ବାର ଛତୁଆ ଯୋଗାଇବା କାହିଁକି ହାତୋଉଛନ୍ତି ? ଯଦି ଉତ୍ତମ ମାନର ଛତୁଆ ଯୋଗାଣ ହେଉଛି ତାହେଲେ ହିତାଧିକାରୀ ମାନେ ଖାଉ ନାହାନ୍ତି କାହିଁକି ? ଦୁଧ ବିକାଳୀ ମାନେ କିପରି ଲୋକଙ୍କ ଠାରୁ ଛତୁଆ କମ ମୂଲ୍ୟରେ କିଣି ଗାଇ ଦାନା ଭାବେ ବ୍ୟବହାର କରୁଛନ୍ତି ? ସେଥିପାଇଁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।