ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଦଇବର ବିଚିତ୍ର ନିୟମ । କିଏ ଦୁଇମୁଠା ଖାଇବାପାଇଁ ଦିନ ରାତି ଏକ କରୁଛି ତ କିଏ ଖାଇବା ପାଇଁ ମଧ୍ୟ ଶାନ୍ତିରେ ନାହିଁ । କେତେ ଯେ ଅସହାୟ ଖାଇବାପାଇଁ ଏଣେତେଣେ ବୁଲୁଛନ୍ତି ଏହାର କଳ୍ପନା ନାହିଁ । ଏମିତି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଥିଲା ଗତ ଦୁଇଦିନ ତଳେ । ସୂଚନା ଅନୁସାରେ ଭବାନୀପାଟଣା ବ୍ଲକ ବୋରଡ଼ା ପଂଚାୟତ ଫାପସି ଗାଁର ନୁଆଦେଇ ରଣା କୌଣସି କାରଣରୁ ଘରୁ ବାହାରି ଭବାନୀପାଟଣା ସହରରେ ଏଣେତେଣେ ବୁଲୁଥିଲେ । ତାଙ୍କର ଦୁଇଟି ପୁଅ । ପାରିବାରିକ ସମସ୍ୟା କିମ୍ଵା ଅନ୍ୟ କାରଣ ଯୋଗୁ ସେ ଘରୁ ପଳେଇ ଆସି ବାହାରେ ବୁଲୁଥିଲେ । ଲୋକେ ଖାଇବାକୁ ଦେଲେ ମଧ୍ୟ ସେ ମନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ସମାଜସେବିକା ଚିନ୍ମୟୀ ବେହେରା ତାଙ୍କ ପାଖକୁ ଯାଇ ବହୁତ ବୁଝାଇ ଭବାନୀପାଟଣାରେ ଥିବା ଆଶ୍ରୟ ରହିବା ପାଇଁ କହିଥିଲେ ଓ କିଛି ଖାଇବାକୁ ଦେଇଥିଲେ, ହେଲେ ବୃଦ୍ଧା ଜଣକ ଖାଇବା ଓ ରହିବାପାଇଁ ସିଧା ମନା କରିଥିଲେ । ତାଙ୍କର ପରିଚୟ ମଧ୍ୟ କହିନଥିଲେ । ପରେ ଏହି ସମସ୍ୟା ବିଷୟରେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ ଚିନ୍ମୟୀ । ଏହାକୁ ଗୁରୁତର ସହ ନେଇ ଯଶୋବନ୍ତ ରଣା ବୁଢ଼ୀ ମାଙ୍କ ପରିଚୟ ବାହାରେ କରିବା ସହ ତାଙ୍କର ପୁଅମାନଙ୍କ ସହ କଥା ହୋଇଥିଲେ । ତାଙ୍କର ପୁଅ ମଧ୍ୟ ମାଙ୍କୁ ଆଣିଜିବି କହି କହି ଦୁଇଦିନ ଭୁଆଁ ବୁଲେଇଥିଲେ । ପରେ ସେ ଆଉ ଫୋନ ନ ଉଠେଇବାରୁ ବୋରଡ଼ା ସରପଞ୍ଚଙ୍କୁ ଯୋଗାଯୋଗ କରି ତାଙ୍କ ସହ କଥା ହୋଇଥିଲେ ଶ୍ରୀ ରଣା । ପରେ ସମସ୍ତଙ୍କ ଚାପ ହେଲାପରେ ତାଙ୍କ ପୁଅ ସୁଦର୍ଶନ ରଣା ବୁଢ଼ୀ ମାଙ୍କୁ ନେବାପାଇଁ ରାଜି ହୋଇ ଆସନ୍ତା କାଲି ନେବି କହି ପ୍ରତିଶୃତି ଦେଇଥିଲେ । ପରେ ଭବାନୀପାଟଣା ପୋଲିସ ପିସିଆର ସହାୟତାରେ ବୁଢ଼ୀ ମାଙ୍କୁ ତାଙ୍କର ପୁଅଙ୍କୁ ହସ୍ତାନ୍ତର କରାଗଲା । ଏହି ଦୁଇଦିନ ଭିତରେ ଭବାନୀପାଟଣାର ସମାଜସେବୀମାନେ ବହୁତ ପରିଶ୍ରମ କରି ତାଙ୍କୁ ଜଗି ରହିଥିଲେ । ଏଥିରେ ସହଯୋଗ କରିଥିଲେ ସମାଜସେବୀ ରାଜେଶ ଗୌଡ଼, ଯଶୋବନ୍ତ ରଣା, ଚିନ୍ମୟୀ ବେହେରା, ବିଜୟ କୁମାର ଦାସ ଓ ସୁଶାନ୍ତ ପଟ୍ଟନାୟକ । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଭବାନୀପାଟଣାବାସୀ ବହୁତ ପ୍ରଶଂସା କରିଛନ୍ତି ।