ରାୟଗଡା ଜିଲ୍ଳାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ ଅନୁଷ୍ଠିତ

‘ସାହାଯ୍ୟର ଇଚ୍ଛାଶକ୍ତି ଶ୍ରମିକଙ୍କ ସାମୁହିକ ବିକାଶର ପରିଚୟ ସୃଷ୍ଟି କରେ’ -ସାଂସଦ ଏନ. ଭାସ୍କର ରାଓ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ନଗର ଭବନ ଠାରେ ଜିଲ୍ଳାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମାରୋହ-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳାପାଳ ତଥା ସଭା କାର୍ଯ୍ୟକ୍ରମର ସଭାପତି ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ସମ୍ମାନୀତ ଅତିଥି ଭାବେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ରାୟଗଡା ନଗରପାଳ ପି. ମହେଶ ପଟ୍ଟନାୟକ, ଜିଲ୍ଳା ଆଇନ ସେବା ପ୍ରାଧିକରଣ ସଂପାଦିକା ନିବେଦିତା ପଣ୍ଡା ପ୍ରମୁଖ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ମେ ଡେ’ ତଥା ଆନ୍ତର୍ଜାତୀୟ ଶ୍ରମ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀରେ ୧୧ଟଙ୍କା ବୃଦ୍ଧି କରିଥିବାରୁ ବର୍ତମାନ ନୂତନ ଭାବେ ଅଣକୁଶଳୀ ଶ୍ରମିକମାନେ ଦୈନିକ ୮ଘଂଟା ଶ୍ରମଦାନ କରି ଦୈନିକ ମଜୁରୀ ୩୨୬ଟଙ୍କା, ଅର୍ଦ୍ଧକୁଶଳୀଙ୍କୁ ୩୬୬, କୁଶଳୀଙ୍କୁ ୪୧୬ ଏବଂ ଅଧିକ କୁଶଳୀ ଶ୍ରମିକଙ୍କୁ ୪୭୬ଟଙ୍କା ପ୍ରଦାନ କରାଯିବା ପାଇଁ ଘୋଷଣା କରିଥିବା ନେଇ ଜିଲ୍ଳା ଶ୍ରମ ଅଧିକାରୀଣୀ ଶ୍ରୀମତି ଜାସ୍ମିନ ଶୁଭଦର୍ଶନୀ ସାହୁ ସୂଚନା ଦେଇଥିଲେ ।


ସେହିପରି ରାୟଗଡା ଜିଲ୍ଳା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ୮୨,୮୬୩ ଜଣ ନିର୍ମାଣ ଶ୍ରମିକ ପଂଜୀକୃତ ହୋଇଛନ୍ତି ଏବଂ ଜିଲ୍ଳାରେ ୨୦୨୧-୨୨ଆର୍ଥିକ ବର୍ଷରେ ମୋଟ ୨କୋଟି ୩୭ଲକ୍ଷ ୪୭ହଜାର ୪୧୮ଟଙ୍କା ଲେବର ସେସ୍ ଆଦାୟ କରାଯାଇଛି । ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ତରଫରୁ ୨୦୨୧-୨୨ ଆର୍ଥିକ ବର୍ଷରେ ଶିକ୍ଷା, ବିବାହ, ପ୍ରସୂତିକାଳିନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦକୁ ମୋଟ ୧୫୪୮ଜଣ ଶ୍ରମିକଙ୍କୁ ୫କୋଟି ୩୨ଲକ୍ଷ ୩୪ହଜାର ୨୦୦ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ସେହିପରି ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅନ୍ତର୍ଗତ ରାୟଗଡା ଜିଲ୍ଳାର ବୁଲା ବିକାଳି, କ୍ଷୁଦ୍ର ବେପାରୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋ ଚାଳକ, ମୋଚି, ଜଙ୍ଗଳ ଶ୍ରମିକ, ଖବରକାଗଜ ବିକାଳି ଓ ସଫେଇ ବାଲା ମୋଟ ୭୦୯୬ଜଣ ଅଣସଂଗଠିତ ଶ୍ରମିକ ପଂଜୀକୃତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ୧୫ଜଣ ଶ୍ରମିକଙ୍କୁ ମୃତ୍ୟୁକାଳୀନ ସହାୟତା ପ୍ରଦାନ ବାବଦକୁ ମୋଟ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ୫୬୫ଜଣ ଶ୍ରମିକଙ୍କୁ ଶିକ୍ଷା ସହାୟତା ବାବଦରେ ୨୪ଲକ୍ଷ ୭୭ହଜାର ୬୦୦ଟଙ୍କା ଏବଂ ମୃତ୍ୟୁକାଳିନ ସହାୟତା ବାବଦକୁ ୧୫ଜଣଙ୍କୁ ୧୫ଲକ୍ଷ ଟଙ୍କାର ରାଶି ପ୍ରଦାନ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।


ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ରାଓ ଶ୍ରମିକମାନଙ୍କ ସାମୁହିକ ବିକାଶ ପାଇଁ ଶ୍ରମିକ ସଂଗଠନମାନଙ୍କ ନେତୃତ୍ୱରେ ସାହାର୍ଯ୍ୟର ଇଚ୍ଛାଶକ୍ତି ଥିଲେ ସାମୁହିକ ବିକାଶର ପରିଚୟ ସୃଷ୍ଟି କରିପାରିବେ ଏଥିରେ ସନ୍ଦେହ ନାହିଁ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହ ନବୀନ ସରକାରଙ୍କ ଯୋଗୁଁ ରାଜ୍ୟରେ ଶ୍ରମିକମାନଙ୍କୁ ଆଜି ଏକ ମର୍ଯ୍ୟଦା ମିଳିପାରିଛି । ସେମାନଙ୍କର ଆର୍ଥିକ ବିକାଶ ସହ ପରିବାର ସଦସ୍ୟଙ୍କୁ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ, ଅନ୍ତ୍ୟେଷ୍ଟିକ୍ରିୟା, କାର୍ଯ୍ୟ ଉପକରଣ କ୍ରୟ ଭଳି ଅନ୍ୟାନ୍ୟ ସହାୟତା ବାବଦକୁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଥିବାରୁ ଏହାର ସୁବିଦା ପାଇବା ପାଇଁ ନିକଟସ୍ଥ ଶ୍ରମ କାର୍ଯ୍ୟାଳୟରେ ନିଜ ନାମ ପଂଜୀକୃତ କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ରାଓ ଆହ୍ୱାନ କରିଥିଲେ ।


ଏଥିସହ ଦଲାଲ ସାଜି ଶ୍ରମିକଙ୍କୁ ଠକାମିର ଶୀକାର କରୁଥିବା ଠକ ପ୍ରକୃତିର ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ସଭାପତି ତଥା ଜିଲ୍ଳାପାଳ ଶ୍ରୀ ମିଶ୍ର ମଧ୍ୟ ସରକାରୀ ସହାୟତା ସୁବିଧାର ଲାଭ ଉଠାଇବା ପାଇଁ ଉପସ୍ଥିତ ଶ୍ରମିକ ଭାଇଭଉଣୀମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏଲଏସଏ ସଂପାଦିକା ନିବେଦିତା ପଣ୍ଡା, ଆଇନଜୀବି, ଅଖିଳ ଭାରତୀୟ କନଷ୍ଟ୍ରକସନ୍ ମଜଦୁର ମହାସଂଘର ଜାତୀୟ ସଂପାଦକ ତଥା ଶ୍ରମିକ ନେତା ଅରୁଣ କୁମାର ଲେଙ୍କା, ନିରଂଜନ ପାତ୍ର, ଚିତରଂଜନ ରାଉତରାଏ ପ୍ରମୁଖ ଶ୍ରମିକଙ୍କ ଅଧିକାର ଓ ସରକାରୀ ସହାୟତା ପାଇବାରେ ଥିବା ସମସ୍ୟାର ନିରାକରଣ ଦିଗରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ରାୟଗଡା ଜିଲ୍ଳା ଶ୍ରମ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ ଛୋଟରାଏ ଟୁଡୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଗୁଣପୁର ସହକାରୀ ଶ୍ରମ ଅଧିକାରିଣୀ ସ୍ୱାତୀଲଗନା ଭାଦ୍ରା, ଗ୍ରାମ୍ୟ ଶ୍ରମ ନିରୀକ୍ଷକ ସଂଜୟ ରଇତଙ୍କ ସମେତ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.