ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଆରଏମଏସି କାର୍ଯ୍ୟାଳୟ ପରିସରରେ ‘ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ’ (ଲାଇଫ ଇନ୍ସୁରାନ୍ସ ଏଜେଣ୍ଟ ଫେଡେରେସନ ଅଫ ଇଣ୍ଡିଆ) ଭବାନୀପାଟଣା ଶାଖା ୟୁନିଟର ୨୦୨୨/୨୩ ଆର୍ଥିକ ବର୍ଷର ପ୍ରଥମ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା ଶାଖା ସଂଘର ସଭାପତି ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଡିଭିଜନାଲ ସେକ୍ରେଟାରୀ ବ୍ରହ୍ମପୁର ଡିଭିଜନ ଶ୍ରୀଯୁକ୍ତ ଜିତେନ୍ଦ୍ର କର ଯୋଗଦେଇଥିଲେ । ଏଥିରେ ଉପସଭାପତି ଯଦୁମଣି ସାହୁ, ବିଶମ୍ବର ପଧାନ ଓ ରମାକାନ୍ତ ପାତ୍ର, ସାଧାରଣ ସମ୍ପାଦକ ତୁଲସିରାଜ ପଟ୍ଟନାୟକ, ସହ ସମ୍ପାଦକ କୁମୁଦ ରଣା ଓ ଅଭିକର୍ତ୍ତା ବନ୍ଧୁମାନେ ଉପସ୍ଥିତ ରହି ସଂଘର ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ଏଲଆଇସି ଚ୍ୟାରମେନ୍ସ କ୍ଲବ ମେମ୍ବର ତଥା ନବ ନିର୍ବାଚିତ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କୁ ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଭବାନୀପାଟଣା ଶାଖା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ପ୍ରକାଶଯୋଗ୍ୟ ଯେ, ଏଲଆଇସି ଏଜେଣ୍ଟ ଥିବା ପଦ୍ମଲୋଚନ ଜାଲ ଦୀର୍ଘ ବର୍ଷଧରି ନର୍ଲା ବ୍ଲକ ତଥା କଳାହାଣ୍ଡିର ବିଭିନ୍ନ ସଂଗଠନ ସହ ଜଡ଼ିତ ହୋଇ ସମାଜସେବା କରି ଆସୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ମାଣ୍ଡେଲ ପଞ୍ଚାୟତବାସୀ ତାଙ୍କୁ ବହୁ ଭୋଟରେ ସରପଞ୍ଚ ଭାବେ ଜୟଯୁକ୍ତ କରାଇଥିଲେ । ତେଣୁ ନିଜର ଜଣେ ଅଭିକର୍ତ୍ତା ବନ୍ଧୁ ପ୍ରତକ୍ଷ୍ୟ ରାଜନୀତିକୁ ଅବତୀର୍ଣ୍ଣ ହୋଇଥିବାରୁ ଲାଇଫ ଇନ୍ସୁରାନ୍ସ ଏଜେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଶ୍ରୀଯୁକ୍ତ ଜାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।