ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାସେ ତଳେ ୫ ଟଙ୍କା ଥିବା ଟମାଟୋ ଏବେ ୮୦ ଟଙ୍କାରେ ପହଞ୍ଚିଛି। ବିଭିନ୍ନ ସାମଗ୍ରୀର ଆଶାତୀତ ଦରବୃଦ୍ଧି ଯୋଗୁଁ ଅତିଷ୍ଠ ହୋଇ ଉଠିଥିବା ସାଧାରଣ ଜନତା ଏବେ ଟମାଟୋ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ହଠାତ ଦର ବୃଦ୍ଧିକୁ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି। ତେବେ ନ କିଣିବି କୈାଣସି ଚାରା ନାହିଁ ତେଣୁ ପରିବା ବ୍ୟାଗରେ କେଜି ଜେଜି ଜାଗାରେ ଅଧକିଲୋ, ପାଏ ହୋଇ ଆସୁଛି ଟମାଟୋ। କଳାହାଣ୍ଡିର ଚାଷୀ ଉତ୍ପାଦନ କରୁଥିବା ସମୟରେ ଏହା ଅତି କମ ଦରରେ ବିକ୍ରୀ ହେଉଥିଲା। ଶୀତଳ ଭଣ୍ଡାର ନଥିବାରୁ ଅଭାବି ବିକ୍ରୀର ଶୀକାର ହେଉଥିଲେ ଚାଷୀ। ଅଧିକ ଦରରେ ମଞ୍ଜି, ପିଡ଼ିଆ କିଣି ହାଡ଼ଭଙ୍ଗା ପରିଶ୍ରମ କରି ଟମାଟୋ ଉତ୍ପାଦନ କରିଥିଲା ଚାଷୀ, ହେଲେ ବିକ୍ରି ବେଳକୁ କିଲୋ ୩ରୁ ୫ଟଙ୍କା। ବର୍ତ୍ତମାନ କଳାହାଣ୍ଡିଆ ଚାଷୀର ବାଡ଼ିରେ ଟମାଟୋ ନଥିବା ସମୟରେ ସେ ବଜାରରୁ ୬୦ ରୁ ୮୦ ଟଙ୍କାରେ କିଲେ ଟମାଟୋ ଆଣୁଛି। ଗ୍ୟାସ, ରନ୍ଧନ ତେଲ, ଆଳୁ, ଡାଲି ସହ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଦିନକୁ ଦିନ ହୁ ହୁ ହୋଇ ବଢୁଛି। ସ୍ଥାନୀୟ ବ୍ୟବସାୟୀମାନେ ଗ୍ରାମାଞ୍ଚଳ ଲୋକଙ୍କ ସରଳତାର ସୁଯୋଗ ନେଇ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦରରେ ସାମଗ୍ରୀର ଦର ବଢାଇ ଚାଲିଥିବା ଦେଖିବାକୁ ମିଳିଛି। ଏପଟେ ଗ୍ରୀଷ୍ମର ପ୍ରକୋପ ସହ ମନଇଚ୍ଛା ବଢୁଛି ପରିବା ଦର। ଅନେକ ସାପ୍ତାହିକ ବଜାରରେ ବ୍ୟବସାୟୀମାନେ ନିଜ ନିଜ ଭିତରେ କଥା ହୋଇ ମନ ଇଚ୍ଛା ଦର ନିର୍ଦ୍ଧାରଣ କରି ଚଢା ଦରରେ ପରିବା ବିକ୍ରି କରୁଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉ ନଥିବାରୁ ଚାଷୀ ପରିବା ବିକ୍ରି ପାଇଁ ଆଉ ବଜାରକୁ ଆସୁ ନାହାନ୍ତି। ଯଦିବା କାଁ, ଭାଁ ଚାଷୀଙ୍କ ପରିବା ଆସେ ତେବେ ତାହା ବଜାରକୁ ଆସିବା ପୂର୍ବରୁ ଦଲାଲ ଓ ବ୍ୟବସାୟୀଙ୍କ ହାତକୁ ଚାଲି ଯାଉଛି। ଏମିତି ଭିତରେ ଗୋଟାଏ ଜିଲ୍ଲା ଭିତରେ ହୋଇଥିଲେ ମଧ୍ୟ ପରିବା ଦରରେ ବୈଷମ୍ୟ ରହୁଥିବା ଦେଖାଯାଉଛି। ସରକାର ଯଦି ପ୍ରତ୍ୟକ ବ୍ଲକରେ ଶୀତଳ ଭଣ୍ଡାରର ପ୍ରାବିଧାନ କରନ୍ତେ ତେବେ ଚାଷୀ ଓ ଖାଉଟି ଉଭୟେ ଲାଭାନ୍ବିତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।