ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୀଟନାଶକ ଔଷଧ ପିଇ ଗୋଟିଏ ପରିବାରର ମା ଓ ପୁଅର ଆତ୍ମହତ୍ୟା । ମୃତକ ହେଲେ ୫୫ବର୍ଷିୟା ମା ଗୁଡଲା ରାଜିନି ଏବଂ ୨୨ବର୍ଷର ପୁଅ ଗୁଡଲା ଶ୍ୟାମ ବୋଲି ଜଣାପଡିଛି । ତେବେ କେଉଁ କାରଣରୁ ମା ଓ ପୁଅ ଆତ୍ମହତ୍ୟା କରିଛନ୍ତି ତାହାର ତଦନ୍ତ ଆରମ୍ଭ କରିଛି ଶେଷଖାଲ ଥାନା ପୋଲିସ । ଅପରପକ୍ଷେ ଝିଅର ବାହାଘର ଓ ଅନ୍ୟ ଖର୍ଚ୍ଚ ବାବଦକୁ ବାହାର ଲୋକଙ୍କ ଠାରୁ ୧୫ରୁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର କରଜ କରିଥିବା ବେଳେ ନିର୍ଦ୍ଧାରିତ ସମୟରେ ଶୁଝି ନ ପାରିବାରୁ ଆତ୍ମହତ୍ୟା ଭଳି ନିଷ୍ପତି ନେଇଥିବା ସଂପର୍କୀୟ ଓ ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଗତକାଲି ରାତ୍ରରେ ଉଭୟ ମା ଓ ପୁଅ କୀଟନାଶକ ଔଷଧ ପିଇ ଦେଇଥିଲେ । ଏ ନେଇ ମା ନିଜ ବିବାହିତା ସାନ ଝିଅକୁ ରାତ୍ର ୧୧ଟା ସମୟରେ ଖବର ଦେଇ କୀଟନାଶକ ପିଇ ଦେଇଥିଲେ । ତୁରନ୍ତ ଝିଅ ମା ଓ ଭାଇ ବିଷ ପିଇ ଦେଇଥିବା ନେଇ ଜେମାଦେଇପେଣ୍ଠରେ ଥିବା ନିଜ ସଂପର୍କୀୟଙ୍କୁ ଖବର ଦେବା ପରେ ସଂର୍ପକୀୟମାନେ ଘଟଣାସ୍ଥଳରେ ପଂହଚି ଉଭୟଙ୍କୁ ରାୟଗଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତ୍ର ଗୋଟାଏ ସମୟରେ ଭର୍ତ୍ତି କରାଇଥିଲେ । ମେଡିକଲ କର୍ତୁପକ୍ଷଙ୍କ ପକ୍ଷରୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦିଆଯାଇଥିବା ବେଳେ ଭୋର ୪ଟା ସମୟରେ ପୁଅ ଶ୍ୟାମର ପ୍ରଥମେ ମୃତ୍ୟୁ ହୋଇଥିବା ବେଳେ ସକାଳ ୮ଟା ସମୟରେ ମା ରାଜିନିଙ୍କ ମୃତ୍ୟୁ ହୋଇଥିଲା । ତେବେ ଗତ କିଛି ଦିନ ତଳେ ନେଇଥିବା ଉଧାର ଶୁଝି ନ ଥିବାରୁ ରାଜିନିଙ୍କ ଘରେ ଉଧାର ଦାତାମାନେ ଘରେ ତାଲା ପକାଇ ଦେବା ଭଳି ଘଟଣା ଘଟିଥିବା ଶୁଣିବାକୁ ମିଳିଥିବା ବେଳେ ସ୍ଥାନୀୟ ପୋଲିସର ମଧ୍ୟସ୍ତି ପରେ ତାଲା ଖୋଲାଯାଇଥିଲା ବୋଲି ଜଣାପଡିଛି । ମା ଓ ପୁଅଙ୍କ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଲିଖିତ ଅଭିଯୋଗ ପରେ ଶେଷଖାଲ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଶେଷଖାଲ ଥାନା ଅଧିକାରୀ ନୀଳାମ୍ବର ଜାନୀ ପ୍ରକାଶ କରିଛନ୍ତି ।