ଇପିଏଫ୍ ପେନସନ୍ ସଂଘ ରାଜ୍ୟ କମିଟି ବୈଠକ

ପ୍ରଧାନମନ୍ତ୍ରୀଙ୍କୁ ୩୦ହଜାର ପୋଷ୍ଟ କାର୍ଡ ପଠାଇବା ଲାଗି ନିଷ୍ପତ୍ତି

ଓଡ଼ିଆ ବାର୍ତ୍ତା/ କଟକ: ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନର ରାଜ୍ୟ କମିଟି ବୈଠକ କଟକ ସ୍ଥିତ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସମେତ ସାରା ଭାରତ ବର୍ଷରେ ଥିବା ୭୦ଲକ୍ଷ ପାଖାପାଖି ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଂକ ନିକଟକୁ ହାତ ଲେଖା ପୋଷ୍ଟ କାର୍ଡ ଚିଠି ମାଧ୍ୟମରେ ଜଣାଇବା ପାଇଁ ଆସୋସିଏସନର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ସର୍ବନିମ୍ନ ମାସିକ ପେନସନ ୯ହଜାର ଟଙ୍କାକୁ ବୃଦ୍ଧି କରିବା ସହ ମହାଙ୍ଗାଭତା ଦେବା, ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଆଧାରରେ ବର୍ଦ୍ଧିତ ପେନସନ ଦେବା ଏବଂ ସମସ୍ତ ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ସ୍ବାସ୍ଥ୍ୟ ସେବା ଯୋଜନାରେ ସାମିଲ କରି ନିଶୁକ୍ଳ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବୀ ହୋଇ ଆସୁଅଛି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟ ଇପିଏଫ ପେନସନ ସଂଘ ତରଫରୁ ଦୀର୍ଘ ବର୍ଷ ହେବ କେନ୍ଦ୍ର ସରକାରଂକ ନିକଟରେ ଏହି ଦାବୀ ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସବୁ ଦାବୀ ପୂରଣ କରିବାରେ କ୍ରମାଗତ ଅବହେଳା କରି ଆସୁଥିବାରୁ ସାରା ଭାରତ ବର୍ଷର ଇପିଏଫ ପେନସନଭୋଗୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଓ ନୈରାସ ସୃଷ୍ଟି ହୋଇଛି। ଏହି ଘନୀଭୂତ ଅସନ୍ତୋଷକୁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ଚିଠି ମାଧ୍ୟମରେ ଜଣାଇବାକୁ ଆସୋସିଏସନ୍ ର ରାଜ୍ୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ୩୦ହଜାର ହାତଲେଖା ପୋଷ୍ଟକାର୍ଡ ଆସନ୍ତା ଜୁନ ମାସରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। କେନ୍ଦ୍ର ସରକାର ଇପିଏଫ୍ ପେନସନ ଭୋଗୀଙ୍କ ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଦେଶବ୍ୟାପି ବ୍ୟାପକ ଆନ୍ଦୋଳନ କରିବା ଲାଗି ବୈଠକରେ ଆହ୍ୱାନ ଦିଆଯାଇଛି। ଏହି ବୈଠକରେ ସର୍ବ ଭାରତୀୟ ଉପ ସଭାପତି ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା ଉଦବୋଧନ ଦେଇ ପୋଷ୍ଟକାର୍ଡ ଅଭିଯାନକୁ ସମସ୍ତ ଜିଲ୍ଲାରେ ଶତ ପ୍ରତିଶତ ସଫଳ କରିବା ଲାଗି ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୌରାଙ୍ଗ ପାଣିଗ୍ରାହି, ପ୍ରଫୁଲ୍ଲ ଦାସ, ବସନ୍ତ ଦାସ, ରମେଶ ଚନ୍ଦ୍ର ଘଡେଇ, ଊର୍ବଶ୍ରୀ ମିଶ୍ର, ସୁଧାଂଶୁବାଳା ମହାପାତ୍ର, ଗୀତାଞ୍ଜଳି ପାତ୍ର, ରାଜକିଶୋର ସ୍ବାଇଁ, କୃଷ୍ଣଚନ୍ଦ୍ର ମହାନ୍ତି, କଣ୍ଡୁରି ଚରଣ ସୁବୁଦ୍ଧି, ବିକ୍ରମ ଛୋଟରାୟ, ରବୀନ୍ଦ୍ର କୁମାର ପରିଡା, ପ୍ରମୋଦ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ସଂଗ୍ରାମ ମହାପାତ୍ର, ମୂରଲୀଧର ବେହେରା, ଅଲେଖ ରାଉତ, ସୁରେଶ ତରାଇ, ସୁକାନ୍ତ କୁମାର ସ୍ବାଇଁ, ଧୀରେନ୍ଦ୍ର ପ୍ରତାପ, ବୁଲେଇ ବେହେରା, ବିଜୟ କେତନ ସ୍ବାଇଁ ଓ ଲଳିତ ସୁନ୍ଦରରାୟ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସରୋଜ କାନ୍ତ ମଲିକ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.