ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୈଶାଖୀ ସୃଜନୀ ସାରସ୍ଵତ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ବୈଶାଖୀ ସୃଜନୀ ସାରସ୍ଵତ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଶୀର୍ଷକ ଆଲୋଚନା ଚକ୍ରରେ ଔପନ୍ୟାସିକ ରାହସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳ ସଚିବ ଡ଼ଃ ନୃପରାଜ ସାହୁ, ଓଡିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ସାହିତ୍ୟ ଏକାଡେମୀ ସଦସ୍ୟା ଡ଼ଃ ସୁନୀତି ମୁଣ୍ଡ, ସଦସ୍ୟା ଡା ଜ୍ୟୋତିର୍ମୟୀ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ରିଷିଡା ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ଦାଶରଥି ଆଚାର୍ଯ୍ୟ ଓ ଜୟପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଆଲୋଚକ ଭାବରେ ଯୋଗଦେଇ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। କଳାହାଣ୍ଡି ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ଔପନ୍ୟାସିକ ସୋମେଶ୍ୱର, ବେହେରା, ପର୍ଶୁରାମ ମୁଣ୍ଡ, ଭୁବନେଶ୍ୱର ବେହେରା, କୃଷ୍ଣ ଚନ୍ଦ୍ର ମହାପାତ୍ର, ରାହସ ବିହାରୀ ବେହେରା, ଯଶୋଧରା ମିଶ୍ର, ଅଖିଳ ନାଏକ, ବିଜୟ ପ୍ରଧାନ, ଡ଼ ସୁନୀତି ମୁଣ୍ଡଙ୍କ ଦ୍ଵାରା ରଚିତ ଉପନ୍ୟାସ ଗୁଡିକ ବେଶ ପାଠକୀୟ ଆଦୃତି ଲାଭ କରିବା ସହ ଓଡ଼ିଆ ଉପନ୍ୟାସ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ଏବେ କଳାହାଣ୍ଡିରେ ଅନେକ ଯୁବ ଲେଖକ ସାହିତ୍ୟ ସାଧନା ରେ ବ୍ରତୀ ଅଛନ୍ତି। ଓଡ଼ିଆ ଉପନ୍ୟାସ ସାହିତ୍ୟକୁ କଳାହାଣ୍ଡିର ଦାନ ଅତୁଳନୀୟ ବୋଲି ଅତିଥି ଓ ଆଲୋଚକମାନେ ମତ ପ୍ରକାଶ କରିଥିଲେ ।

ଦ୍ଵିତୀୟ ଅଧିବେଶନରେ ଆୟୋଜିତ ହୋଇଥିଲା କବିତା ପାଠୋତ୍ସବ। ଏଥିରେ ଗାଳ୍ପିକ ନାରାୟଣ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ ଓ ସଦସ୍ୟା ଡ଼ ସୁନୀତି ମୁଣ୍ଡ ବିଶିଷ୍ଠ ଅତିଥି ଭାବରେ ଯୋଗଦେଇଥିଲେ। ଡ଼ଃ ତପନ କୁମାର ରଥ, ସ୍ନେହଲତା ଷଡ଼ଙ୍ଗୀ ଓ ସ୍ଵର୍ଣକାନ୍ତି ବୈକାର କବିତା ପାଠୋତ୍ସବର ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲାର ୧୩ ଗୋଟି ବ୍ଲକରୁ ୫୦ ଜଣ ନିମନ୍ତ୍ରିତ କବି ଓ କବୟତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। କବି ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା ଓ ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.