ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ, ନୂଆଦିଲ୍ଲୀ ଓଡ଼ିଶା ଶାଖା ତରଫରୁ ଏକ ଅନ୍ତର୍ଜାତୀୟ ନଭସଂଚାରୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଫକୀରମୋହନଙ୍କ ରଚିତ ‘ଅନନ୍ତ ମିଳନ’ କବିତାକୁ ସଙ୍ଗୀତରେ ସଜେଇ ଗାନ କରିବା ସହିତ ଫାଉଣ୍ଡେସନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ଫକୀରମୋହନ ଫାଉଣ୍ଡେସନର ମହାସଚିବ ଡ଼ଃ ରବୀନ୍ଦ୍ର କୁମାର ଦାସ । ମୁଖ୍ୟବକ୍ତା ଭାବେ ଆମେରିକା ସ୍ଥିତ କର୍ଣ୍ଣେଲ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ୟପ୍ରକାଶ ମହାନ୍ତି ଯୋଗ ଦେଇ ଫକୀରମୋହନଙ୍କ ‘ଛମାଣ ଆଠଗୁଣ୍ଠ’ ର ଓଡ଼ିଆ ଅନୁବାଦ ସମ୍ପର୍କରେ ଆଲୋକପାତ କରିଥିଲେ ।
ଫକୀରମୋହନ କିଭଳି ତତ୍କାଳୀନ ସମାଜର ବାସ୍ତବ ଚିତ୍ରକୁ ତାଙ୍କ ଶ୍ରେଷ୍ଠ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ରେ ପ୍ରତିଫଳିତ କରାଇବା ସହିତ ଉପ ଉପନିବେଶୀୟ ଶାସନର ଭିତିରି ଗୁମରକୁ ପ୍ରକାଶ୍ୟରେ ଲିପିବଦ୍ଧ କରିଥିଲେ ତାହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ଡ଼ଃ. ମନିକା ଦାସ ଫାଉଣ୍ଡେସନ ସହିତ ଯୁବପିଢିର ପ୍ରତ୍ୟକ୍ଷ ସଂପୃକ୍ତିକୁ ପ୍ରକାଶ କରିବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଫାଉଣ୍ଡେସନର ମହାନିର୍ଦ୍ଦେଶିକା ଡ଼ଃ. ହିରଣ୍ମୟୀ ମିଶ୍ର ପ୍ରଶ୍ନୋତ୍ତରୀ ପର୍ବର ସଂଚାଳନ କରିଥିଲେ । କାର୍ଯ୍ୟକ୍ରମର ନିଷ୍କର୍ଷ ବାଢ଼ିଥିଲେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟର ଇଂରାଜୀ ଆସୋସିଏଟ ପ୍ରଫେସର ଡ଼ଃ. ଦେବାଶିଷ ପତି। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ. ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଆଲୋଚନା ଚକ୍ରରେ ଆମେରିକା, ବନାରସ, ଏହ୍ଲାବାଦ, ବାଲେଶ୍ଵର, ଦିଲ୍ଲୀ, ବାହାରିନ୍, ସାନଫ୍ରାନସିସ୍କୋ ଆଦି ଅଞ୍ଚଳରୁ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ଫକୀରମୋହନ ଅନୁରାଗୀମାନେ ଯୋଗ ଦେଇଥିଲେ । ପ୍ରଫେସର ଦିପ୍ତିରଞ୍ଜନ ପଟ୍ଟନାୟକ, ଗବେଷକ ଦେବେନ୍ଦ୍ର ଦାଶ, ପ୍ରଫେସର ହିମାଂଶୁ ମହାପାତ୍ର, ପ୍ରଫେସର ସୁବାସ ଚନ୍ଦ୍ର ପାତ୍ର, ପ୍ରଫେସର ରବିନାରାୟଣ ଦାସ, ସାନ୍ତ୍ଵନା ହାଲଦାର ପ୍ରମୁଖ ଯୋଗ ଦେଇ ମୁଖ୍ୟ ବକ୍ତାଙ୍କ ବକ୍ତବ୍ୟର ଭୂୟସୀ ପ୍ରଶଂସା କରିଥିଲେ । କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କ ଉଦଯାପନୀ ସଙ୍ଗୀତ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।