ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ଟିକିରି ଥାନା ଅଧିକାରିଣୀ ବନ୍ଦନା ନାୟକ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାରର କରୁଥିବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାୟଗଡ଼ା ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ସକାଳ ସମୟରେ ଟିକିରି ଫରେଷ୍ଟ ରେଞ୍ଜ ଅଧିନ ଶଙ୍କରଡ଼ା ବିଟ୍ ରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ଦାସଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର ହୋଇଥିଲା । ଘଟଣା ନେଇ ନବରଙ୍ଗପୁର ଜିଲ୍ଲା ଦହିମାଳ ଗାଁରେ ରହୁଥିବା ତାଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ସକାଳ ୯ଟାରେ ରାମଚନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ବୋଲି ସୂଚନା ଦିଆଯାଇଥିଲା । ଏହାପରେ ଦିନ ୧୧ଟାରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ କୁହାଯାଇଥିଲା । ପୁଣି ପରିବାର ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ମୃତଦେହକୁ ତରବରିଆ ଭାବେ ବ୍ୟବଛେଦ ପାଇଁ କାଶୀପୁର ମେଡ଼ିକାଲକୁ ପଠାଇ ଦିଆଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ପରିବାର ଲୋକେ ପ୍ରଶାସନର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ଏହାସହ ମୃତ ରାମଚନ୍ଦ୍ରଙ୍କ ସ୍ତ୍ରୀ ପୂର୍ବୀ ଦାସ ଓ ପୁଅ ମଳୟ ଦାସ ପିତାଙ୍କ ଆକସ୍ମିକ ମୃତ୍ୟୁ ତଥା ଅସଂଯତ ଅବସ୍ଥାରେ ପଡ଼଼ିଥିବା ମୃତଦେହର ଫଟୋ ଦେଖି ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବା ପରେ ଟିକିରି ଥାନା ଅଧିକାରିଣୀ ବନ୍ଦନା ନାୟକଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ । ହେଲେ ସେ ପ୍ରତିକ୍ରିୟା ଦେବା ବଦଳରେ ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ଯଦି ସବୁକିଛି ଠିକଠାକ୍ ଥିଲା ତେବେ ମ୍ୟାଡାମ କାହିଁକି ଚିହିଁକି ଉଠିଲେ ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ସମସ୍ତ ଗଣମାଧ୍ୟମ ପ୍ରତିନିଧି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହାସହ ଟିକିରି ଥାନା ଅଧିକାରିଣୀ ବନ୍ଦନା ନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାଶୀପୁର ଥାନା ଅଧିକାରୀଙ୍କ ଜରିଆରେ ରାୟଗଡ଼ା ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏସପି ତୁରନ୍ତ କୌଣସି ପଦକ୍ଷେପ ନ ନେଲେ ପୋଲିସ ସହ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେବେ ବୋଲି ସମସ୍ତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ।