ବିପଦ ଶଙ୍କୁଳ ନର୍ଲା ଲେବଲକ୍ରସିଂ : ଓଭରବ୍ରିଜ ନିର୍ମାଣ ପାଇଁ ଦାବୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାରେ ରହିଛି ତିନି ଗୋଟି ବ୍ୟସ୍ତବହୁଳ ଲେବଲକ୍ରସିଂ ଫାଟକ । ଗୋଟିଏ ବଲାଙ୍ଗିର-ଭବାନୀପାଟଣା ଜାତୀୟ ରାଜପଥ ଉପରେ କେସିଙ୍ଗାର ଦ୍ୱାର ଦେଶରେ ରହିଥିବା ବେଳେ, ଅନ୍ୟଟି ରହିଛି ରୁପ୍ରାରୋଡରୁ କେସିଙ୍ଗା ଯିବା ପାଇଁ ରାସ୍ତା ଉପରେ ରୁପ୍ରାରୋଡର ଶେଷ ମୁଣ୍ଡରେ । ତୃତୀୟଟି ସର୍ଗିଗୁଡା (ନର୍ଲାରୋଡ) ନିକଟସ୍ଥ ଭୁବନେଶ୍ୱର ଭବାନୀପାଟଣା ରାଜ୍ୟ ରାଜପଥ ଉପରେ । ଏବେ ୫ ବର୍ଷ ଧରି ଭବାନୀପାଟଣାରୁ ଜୁନାଗଡ ପର୍ଯ୍ୟନ୍ତ ବିଶାଖାପାଟନମରୁ କଳାହାଣ୍ଡିର ଲାଞ୍ଜିଗଡରୋଡ ଜଙ୍ଗସନ ଦେଇ ନୂଆ ରେଳପଥ ଖୋଲିବା ପରେ ନର୍ଲା ବ୍ଲକର ଶାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋହୀରାପଦର ନିକଟରେ ଆଉ ଏକ ଲେବଲକ୍ରସିଂ ରହିଛି । ହେଲେ ଦିନକୁ ମାତ୍ର ଦୁଇଗୋଟି ଟ୍ରେନ୍ ବଡିଭୋର ଓ ସକାଳୁ ଏବଂ ସଂଧ୍ୟାରେ ଚାଲୁଥିବାରୁ ସେଇଠି ଟ୍ରାଫିକ୍ ସମସ୍ୟା ବିଲକୁଲ ବି ପ୍ରଭାବିତ ହେଉନାହିଁ । ହେଲେ ବିଶାଖାପାଟନମ- ଟିଟିଲାଗଡ ପର୍ଯ୍ୟନ୍ତ ଡବଲ ଲାଇନ ହୋଇଯିବା ପରେ ପ୍ରତି ୫ ରୁ ୧୦ ମିନିଟ ବ୍ୟବଧାନରେ ଯାତ୍ରୀବାହୀ (ଏକ୍ସପ୍ରେସ୍ ଓ ପାସେଞ୍ଜର) ଟ୍ରେନ ସମେତ ଶହଶହ ସଂଖ୍ୟାରେ ବିଶାଖାପାଟନମ- ରାୟପୁର ଓ ବିଶାଖାପାଟନମ- ସମ୍ବଲପୁର- ରାଉରକେଲାକୁ ମାଲଗାଡି ଗୁଡିକ ଯାତାୟତ କରୁଥିବାରୁ ବାରମ୍ବାର ଗେଟ ପଡୁଛି । ଫଳରେ ଶହଶହ ଭାରିଯାନ ସମେତ ଦୁଇ ଚକିଆ ଓ ଚାରି ଚକିଆ ଗାଡି ଗୁଡିକ ଗେଟ୍ ର ଦୁଇପଟେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି । ଅନ୍ୟପକ୍ଷେ ଭୁବନେଶ୍ୱର- ଭବାନୀପାଟଣା, ବଲାଙ୍ଗୀର -ଭବାନୀପାଟଣା, ଭୁବନେଶ୍ୱର- ଲାଞ୍ଜିଗଡ (ବେଦାନ୍ତ)କୁ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଚାଲୁଥିବାରୁ ସର୍ଗିଗୁଡା (ନର୍ଲାରୋଡ) ସ୍ଥିତ ଏହି ଲେବଲକ୍ରସିଂ ଗେଟ୍ ଠାରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । କେସିଙ୍ଗା ଓ ନର୍ଲା ଠାରେ ରହିଥିବା ଏହି ଲେବଲକ୍ରସିଂ ଗୁଡିକରେ ଦୀର୍ଘ ଦିନରୁ ଓଭରବ୍ରିଜ ନିର୍ମାଣ ହେବ ବୋଲି ଶୁଣା ଯାଉଥିଲେ ମଧ୍ୟ କେଜାଣି କାହିଁକି ରେଳବାଇ ବିଭାଗ ଏହି ଦୁଇଗୋଟି ସ୍ଥାନରେ ଆଜିଯାଏଁ ଓଭରବ୍ରିଜ୍ କରୁନି ତାହା ଚିନ୍ତାର ବିଷୟ ହୋଇଛି । ଅନ୍ୟପକ୍ଷେ ଏହି ଫାଟକର ଗେଟ ଗୁଡିକରେ ବନ୍ଦ ରହି ଗାଡି ମୋଟର ଭିଡ ରହିଥିବା ବେଳେ, ଅର୍ଜେଣ୍ଟ ରହିଥିବା ସାଇକେଲ ଏବଂ ବାଇକ ଆରୋହୀ ମାନେ ଗେଟ୍ ଜଗୁଆଳି ମାନଙ୍କ ବାରଣ କରିବା ସତ୍ୱେ ଜବରଦସ୍ତ ଗେଟ୍ ତଳପଟେ ଗଳି କି ଯାଉଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟିଥିବାର ନଜୀର ମଧ୍ୟ ରହିଛି । ଏହି ଉଦାହରଣ କେବଳ ନର୍ଲା କିମ୍ବା କେସିଙ୍ଗାରେ ବୋଲି ନୁହଁ ବିଗତ ଦିନରେ ଭୁବନେଶ୍ୱର (ମଞ୍ଚେଶ୍ୱର) ଷ୍ଟେସନ ନିକଟସ୍ଥ ଲେବଲକ୍ରସିଂ ଗେଟ୍ ଫାଟକ ନିକଟରେ ମଧ୍ୟ ସଂଘଟିତ ହୋଇଥିବାର ନଜୀର ରହିଛି । ଅନ୍ୟପକ୍ଷେ ଅଞ୍ଚଳବାସୀ ଓଭରବ୍ରିଜ ନିମନ୍ତେ ବାରମ୍ବାର ଲେଖିକି ଦେଲେ ମଧ୍ୟ ରେଳବାଇ ବିଭାଗ ଶୁଣୁ ନଥିବାରୁ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଏବିଷୟରେ ଗେଟ ଜଗୁଆଳି ରେଳବାଇ କର୍ମଚାରୀ ମାନଙ୍କ କହିବା କଥା ହେଲା ମାସକୁ ଦେଢଲକ୍ଷ ଗାଡି ଲେବଲକ୍ରସିଂ ଅତିକ୍ରମ କରୁଥିଲେ ହିଁ ରେଳବାଇ ବିଭାଗ ଓଭରବ୍ରିଜ୍ ନିର୍ମାଣ କରିବେ, ଆମେମାନେ ପ୍ରତି ୬ ମାସରେ ଥରେ ହିସାବ କରୁଛୁ ହେଲେ ଏଯାଏଁ ନିର୍ଦ୍ଧାରିତ ସଂଖ୍ୟାରେ ଗାଡି ମୋଟର ଅତିକ୍ରମ କରୁନାହିଁ ବୋଲି ମତବ୍ୟକ୍ତ କରୁଛନ୍ତି । ହେଲେ ସତ୍ୟ କଣ ରେଳବାଇ ବିଭାଗ ଉଚ୍ଚପଦସ୍ଥ ଅଧିକାରୀ ହିଁ ଜାଣିବେ । ଅନ୍ୟପକ୍ଷେ ବିଶାଖାପାଟନମରୁ ଟିଟିଲାଗଡ ଯାଏଁ ତୃତୀୟ ରେଳ ଲାଇନ କାମ ମଧ୍ୟ ସରିଗଲାଣିି । ଏହାପରେ ଯାହାହେବ ଆଉ ସେ ସମସ୍ୟା ଓ ପରିସ୍ଥିତି କଥା ନକହିବା ଭଲ । ନର୍ଲା ରେଳ ଲାଇନର ଆରପଟେ ତହସିଲ ଅଫିସ୍, କୃଷି ଅଫିସ, ଉଦ୍ୟାନ ବିଭାଗ ଅଫିସ୍, ନର୍ଲା ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ରେତ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ରହିଥିବା ବେଳେ ଜରୁକାଳୀନ ପରିସ୍ଥିତିରେ ଏହି ରେଳବାଇ ଲେବଲକ୍ରସିଂ ଗେଟ୍ ଫାଟକ ସବୁବେଳେ ବାଧା ସୃଷ୍ଟି କରୁଥିବାରୁ ନର୍ଲା ଲେବଲକ୍ରସିଂ ଉପରେ ତୁରନ୍ତ ଓଭରବ୍ରୀଜ ନିର୍ମାଣ କରାଯାଉ ବୋଲି ଜନସାଧାରଣ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.