ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଥାନା ପଲମ ଫାଣ୍ଡି ଅନ୍ତର୍ଗତ ଖଇରମାଲ ଛକ ଠାରେ ଗୁରୁବାର ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ଓଆର୍ ୦୮ବି ୭୭୨୧ ନମ୍ବର ବିଶିଷ୍ଟ ଏକ ୨୦୭ ପିକ୍ଅପ୍ ଗାଡ଼ି ସହିତ ଓଡି ୦୩ ଡି ୧୯୫୬ ନମ୍ବର ବିଶିଷ୍ଟ ଏକ ପେସନ ପ୍ରୋ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମର ବୃନ୍ଦା ବାଗଙ୍କ ଏକମାତ୍ର ପୁଅ ଜଗତରାମ ବାଗ (୩୦) । ଅନ୍ୟ ଦୁଇ ଆହତ ହେଉଛନ୍ତି ଦାଣ୍ଡିଭଜା ଗ୍ରାମର ରବିନ୍ଦ୍ର ବାଗ(୨୩) ଓ ଅଲିମ୍ ଖାଁ (୨୨) ବୋଲି ଜଣାପଡିଛି । ଦୁର୍ଘଟଣା ସଂପର୍କରେ ପଲମ ଫାଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା କରିବା ପାଇଁ ଗୃହରକ୍ଷୀ ଦିପକ ସାହୁଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଭର୍ତ୍ତି କରାଯାଇଥିଲା । ତେବେ ଏଥିରେ ଡାକ୍ତର ଜଗତରାମ ବାଗଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣ ରବିନ୍ଦ୍ର ଓ ଆଲିମଙ୍କୁ କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କେସିଙ୍ଗା ଥାନାରେ ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ ହୋଇଛି । ପୁଲିସ ଦୁର୍ଘଟଣା ଗସ୍ତ ପିକ୍ଅପ୍ ଏବଂ ବାଇକ୍ କୁ ଜବତ କରିବା ସହ ପିକ୍ଅପ୍ ଗାଡ଼ି ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅପରପକ୍ଷରେ ପୁଲିସ ମୃତ ଯୁବକଙ୍କ ଶବ ଜବତ କରି କେସିଙ୍ଗା ସରକାରୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରକାଶ ଯେ, ମ.ରାମପୁର ପଟୁ ଦେଇ ଅମାଠ ଆଡ଼କୁ ୨୦୭ ପିକ୍ଅପ୍ ଗାଡ଼ି ଯିବା ସମୟରେ ପଛେ ପଛେ ବାଇକଟି ଯାଉଥିଲା । ତେବେ ଦିନ ପ୍ରାୟ ସାଢେ଼ ୧୧ଟା ସମୟରେ ଖଇରମାଲ ଛକକୁ ପିକ୍ଅପ୍ ଗାଡ଼ି ପହଞ୍ଚି ଖଇରମାଲ ଗାଁ ବସ୍ତି ଭିତରକୁ ପ୍ରବେଶ କରୁଥିବା ସମୟରେ ପଛରେ ୩ ଜଣ ବସି ଆସୁଥିବା ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଶିଶାଖାଲ ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ରେଗେଡା ଗ୍ରାମରୁ ବାଇକ୍ ଯୋଗେ ତିନି ଜଣ ବସି ଆସୁଥିଲେ । ତେବେ ପିକ୍ଅପ୍ ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ବାଇକ୍ ଚାଳକ ମୁଣ୍ଡରେ ଶକ୍ତ ଧକ୍କା ହେବା ସହ ଅତି ଗୁରୁତର ହୋଇଥିଲେ ଏବଂ ବାଇକ ପଛରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ପଲମ ଫାଣ୍ଡି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା ।