ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ସିର୍ଜାପାଲି ଓ ବେଳଖଣ୍ଡି ପଞ୍ଚାୟତ ଗସ୍ତକରି ଜନସାଧାରଣଙ୍କ ସହ ସାକ୍ଷାତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସେନାପତି ପ୍ରଥମେ ସିର୍ଜାପାଲି ହାଇସ୍କୁଲ ପରିଦର୍ଶନ କରିଥିଲେ। ବାଦୀପଡା ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣର ଛାତ କାମ ବନ୍ଦ ରହିଛି । ସେ ବିଷୟ ସହିତ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଗ୍ରାମବାସୀଙ୍କ ସହିତ ସେ ଆଲୋଚନା କରିଥିଲେ। ଏହି ଗାଁର ପ୍ରାଥମିକ ବିଦ୍ୟାଳୟ ଅନେକ ଦିନରୁ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି, ତାହାର ମରାମତି ପାଇଁ ଶିକ୍ଷା କମିଟିର ସଦସ୍ୟ ମାନେ ଅଧ୍ୟକ୍ଷଙ୍କ ନିକଟରେ ଦାବି କରିଥିଲେ।
ଏହି ଅବସରରେ ସିର୍ଜାପାଲି ଗାଁର ଦିବ୍ୟଜ୍ୟୋତି ମହିଳା ମଣ୍ଡଳ ଛତୁଆ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିଲେ ବ୍ଲକ ଅଧ୍ୟକ୍ଷ। ବାଦୀପଡା ଠାରେ ଏକ ନୂତନ ପୋଖରୀ ଏବଂ ଓଭରହେଡ ପାଣି ଟାଙ୍କି ନିର୍ମାଣ ପାଇଁ ଗ୍ରାମବାସୀମାନେ ବ୍ଲକ ଅଧ୍ୟକ୍ଷଙ୍କ ପାଖରେ ଦାବି କରିଛନ୍ତି। ସେହିପରି ଭାବେ ବେଳଖଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସେନାପତି। ଏହି ଚିକିତ୍ସାଳୟରେ ଅନେକ ଅବ୍ୟବସ୍ଥା ଲାଗି ରହୁଥିବାରୁ ଏହାର ସମାଧାନ ପାଇଁ ପ୍ରୟାସ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ଲୋକଙ୍କୁ ବୁଝାଇ ଥିଲେ।
ବେଳଖଣ୍ଡି ଡିଗ୍ରୀ କଲେଜ ଓ ଧାନ ମଣ୍ଡି ମଧ୍ୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବ୍ଲକ ଅଧ୍ୟକ୍ଷ। ଏହି ଅବସରରେ ଅନେକ ଲୋକ ବିଭିନ୍ନ ସମସ୍ୟା ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲ। ପାନୀୟ ଜଳ ସମସ୍ୟା ଦୂରିକରଣ ପାଇଁ ବାଦୀପଡାରେ ଓଭରହେଡ ପାଣିଟାଙ୍କି ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ। ପରିଶେଷରେ ବେଳଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।