ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ଦ୍ୱିତୀୟ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପ୍ରଥମ ବୈଠକର ବିବରଣୀ ମୋହନ ବାବୁ ପଠନ କରିଥିଲେ। କେସିଙ୍ଗା ଏନଏସିର ୧୨ଟି ୱାର୍ଡ଼ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ବଚ୍ଛ ଭାରତ ମିଶନକୁ ଠିକ ଭାବେ ପରିଚାଳିତ କରିବା ସହିତ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରି ଉଚିତ ଭାବେ ବ୍ୟବହାର କରିବା, ଡୁମେରମୁଣ୍ଡା ଠାରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ସହରର ପ୍ରତ୍ୟେକ ଘରୁ ଗାଡ଼ିରେ ଆଳିଆ ଆବର୍ଜନା ନେବା ପାଇଁ ସ୍ୱତନ୍ତ୍ର ଗାଡିର ଠିକ ଭାବେ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଅଳିଆ ଆବର୍ଜନାରୁ ଖତ ପ୍ରସ୍ତୁତ କରି ସହରରେ ଏକ ଦୋକାନ ଖୋଲି ବିକ୍ରି କରିବା ଏବଂ ୧୨ଟି ୱାର୍ଡ଼ ପାଇଁ ୮ଜଣ ସ୍ବଚ୍ଛ ସାଥି ଓ ଦୁଇ ଜଣ ସୁପରଭାଇଜରଙ୍କୁ ଘରକୁ ଘର ବୁଲି ଲୋକଙ୍କୁ ସେନିଟାଇଜିଙ୍ଗ ଦେୟ ବିଷୟରେ ପ୍ରବର୍ତ୍ତାଇବାକୁ ନିଷ୍ପତ୍ତି ନିଆଯାଇଛି। ସହରର ୧୨ଟି ୱାର୍ଡ଼ରେ ରାସ୍ତା, ଡ୍ରେନ, ପୋଖରୀ ଗୁଡିକୁ ସଫାସୁତୁରା କରିବା ସହିତ ଆଲୋକି କାରଣ, ମହିଳା ଗୋଷ୍ଠୀ ମାନଙ୍କୁ ମୋବାଇଲ ଫୋନ, ଧୂପକାଠି ତିଆରି, ଗୋପାଲନ, ବିୟୁଟି ପାର୍ଲର, ୱେବଲଡିଂ ଏଣ୍ଡ ଫେବ୍ରିକେସନ, ଦୁଇ ଚକିଆ ଯାନ ମରାମତି, ଚାରି ଚକିଆ ଗାଡି ଚାଳନା, ଉଦ୍ୟାନ କୃଷି, କୁକୁଡ଼ା ପାଳନ, ଛେଳି ପାଳନ, ସିଲେଇ ଶିକ୍ଷା, ମହମବତୀ ତିଆରି, ଫୁଲ ଚାଷ, ଫ୍ରିଜ ଏବଂ କୁଳର ମରାମତି, ଫୁଲ ଚାଷ, ମହୁଚାଷ, ଛତୁ ଚାଷ, ମାଛ ଚାଷ ଆଦି ବିଷୟରେ ମହିଳା ଗୋଷ୍ଠୀ ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଜି କାର ବୈଠକରେ ନିଷ୍ପତ୍ତି ନିଆଯାଇ ଥିଲା। କେସିଙ୍ଗା ଏନଏସିର ସମସ୍ତ ୱାର୍ଡ଼କୁ ବର୍ଷା ଦିନରେ ସଫାସୁତୁରା ରଖିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଦ୍ଵିତୀୟ ବୈଠକରେ ଅଧ୍ୟକ୍ଷ ନୃପରାଜ ଯାଦବ, ଉପାଧ୍ୟକ୍ଷା ସରସ୍ୱତୀ ସାହା, ଯନ୍ତ୍ରି ଫଗୁ ମାରାଣ୍ଡି ଓ ସମସ୍ତ କାଉନସିଲର ଉପସ୍ଥିତ ଥିଲେ।