ନର୍ଲା ବିଜେପିର ଗରୀବ କଲ୍ୟାଣ ପକ୍ଷ ପାଳନ ପାଇଁ ପ୍ରସ୍ତୁତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ମୋଦୀ ସରକାରଙ୍କର ଦ୍ୱିତୀୟ ପାଳିୟର ତୃତୀୟ ବର୍ଷ ପୁରଣ ହୋଇଛି । ଏହି ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କର ଅନେକ କଲ୍ୟାଣକାରୀ ଜନହିତକର ଯୋଜନା ସବୁ ପ୍ରଣୟନ ହୋଇ ଜନସାଧାରଣ ମଧ୍ୟ ଏଥିରୁ ଉପକୃତ ହୋଇଛନ୍ତି । କେନ୍ଦ୍ର ବିଜେପି ସରକାରଙ୍କର ଏହି ୮ ବର୍ଷ ଶାସନ କାଳ ସମୟରେ ଗରୀବ କଲ୍ୟାଣ ପାଇଁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗୁଡିକ ନିଆଯାଇଛି ସେଥିରେ ଉପକୃତ ହୋଇଥିବା ଉପଭୋକ୍ତା ମାନଙ୍କର ଘରକୁ ଘର ଯାଇ ବିଜେପି ସମ୍ପର୍କ ସ୍ଥାପନ କରିବ ଓ କେନ୍ଦ୍ର ସରକାରଙ୍କର ସଫଳତାର ଗାରିମା ଗାଥା ଗାଇବ ବୋଲି ଜଣାପଡିଛି । କେବଳ ଓଡିଶା ନୁହଁ ସାରା ଦେଶରେ ବିଜେପି ତରଫରୁ ଜନସମ୍ପର୍କ ଯାତ୍ରା କରାଯିବ ବୋଲି ନିଷ୍ପତି ନିଆଯାଇ ଦିନ ଧାର୍ଯ୍ୟ ହୋଇଛି । ଏହା ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି । ଏଣୁ ଚଳିତ ମଇ ୩୧ ରୁ ଜୁନ ୧୫ ମଧ୍ୟରେ ସେବା, ସୁଶାସନ ଓ ଗରୀବ କଲ୍ୟାଣ ପକ୍ଷ ପାଳନ କରିବ ବିଜେପି । ଏନେଇ ନର୍ଲା ଜିତୁଚାନ୍ଦ୍ ମାର୍କେଟ କମ୍ପ୍ଲେକ୍ସରେ କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ସାଂସଦଙ୍କ ନର୍ଲା ପ୍ରତିନିଧି ପୂର୍ବତନ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ନାଏକ, ବିଜେପି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ନର୍ଲା ମଣ୍ଡଳ ସଭାପତି ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବରିଷ୍ଠ ବିଜେପି ସଦସ୍ୟ ପଦ୍ମଲୋଚନ ମିଶ୍ର, କୁମରମଣି ଶବର ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ୩୧ ରେ ହେବାକୁ ରହିଥିବା ଏହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗରୀବ କଲ୍ୟାଣ ପକ୍ଷ ପାଳନ ପାଇଁ ରୁପରେଖ ପ୍ରସ୍ତୁତ କରିଥିଲେ । କାର୍ଯ୍ୟକ୍ରମ ପାଳନ ପାଇଁ ରାଜ୍ୟସ୍ତର ରୁ ରହିଥିବା ନିର୍ଦ୍ଦେଶ ବିନ୍ଦୁ ଗୁଡିକ ଉପରେ ମଧ୍ୟ ଆଲୋଚନା କରାଯାଇ କିଭଳି ସଫଳତାର ସହିତ ଏହି ପକ୍ଷ ପାଳନ କରାଯିବ ସେନେଇ ବରିଷ୍ଠ ସଦସ୍ୟ ମାନେ ମତ ରଖିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀକାନ୍ତ ହୋତା, ବିଷ୍ଣୁ ବଡ଼ପଣ୍ଡା, ସରୋଜ ବୁଦ୍ଧିଆ, ଖୁସିରାମ ସାହୁ, ସଞ୍ଜୟ ନାଏକ, ଲକ୍ଷ୍ମଣ ଦୀପ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତି ନିଆଯାଇଥିବା ଜିଲ୍ଲା ସଭାପତି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ବୈଠକ ଶେଷରେ ବିଜେପିର ବରିଷ୍ଠ ସଦସ୍ୟ ପଦ୍ମଲୋଚନ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.