ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାବିତ୍ରୀ ବ୍ରତ ହିନ୍ଦୁ ସଧବା ନାରୀ ମାନଙ୍କର ଏକ ମୁଖ୍ୟ ପୂଜା । ସ୍ୱାମୀର ମଙ୍ଗଳ ମନାସୀ ଏହି ପୂଜା କରିଥାନ୍ତି ସଧବା ହିନ୍ଦୁ ନାରୀମାନେ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳର ଚାରିଆଡେ ସାବିତ୍ରୀ ବ୍ରତ ପାଳନ ଅନୁଷ୍ଠିତ ହୋଇଯାଇଥିବା ବେଳେ ଗତ ଦୁଇବର୍ଷ ହୋଇଗଲା କୋଭିଡ କଟକଣା ଯୋଗୁଁ ସର୍ଗିଗୁଡା ପ୍ରହରୀ ମଣ୍ଡପ ଠାରେ ସାମୁହିକ ପୂଜା ଗୁଡିକ ବନ୍ଦ ହୋଇ ରହିଥିଲା । କେବଳ ପ୍ରହରୀ ମଣ୍ଡପ ବୋଲି ନୁହଁ । ସମସ୍ତ ଦେବାଳୟ ଗୁଡିକରେ ସାମୁହିକ ପୂଜା ଗୁଡିକ ବନ୍ଦ ରହିଥିଲା । ଗତ ଦୁଇବର୍ଷ ଏହି ସାବିତ୍ରୀ ବ୍ରତ କୁ ମହିଲା ମାନେ ନିଜ ନିଜ ଘରେ ନିଜ ସୁବିଧା ଅନୁଯାୟୀ ପୂଜା କରି ବ୍ରତ ଧାରଣ କରିଥିଲେ । ଚଳିତ ବର୍ଷ କୋଭିଡ କଟକଣା ପ୍ରଶମିତ ହୋଇଯିବା ପରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସର୍ଗିଗୁଡା ପ୍ରହରୀ ମଣ୍ଡପ ଠାରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସଧବା ନାରୀମାନେ । ନର୍ଲାର ଜଗନ୍ନାଥ ମନ୍ଦିର, ନର୍ଲା ଓ ନର୍ଲାରୋଡ ଶିବ ମନ୍ଦିର, ରୁପ୍ରା ଜଗନ୍ନାଥ ମନ୍ଦିର, ତୁଳାପଡାର ନବ ନିର୍ମିତ ଜଗନ୍ନାଥ ମନ୍ଦିର ପ୍ରଭୃତି ସ୍ଥାନରେ ସାବିତ୍ରୀ ବ୍ରତ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଆଜି ସକାଳୁ ବ୍ରତୀ ମାନେ ସର୍ଗିଗୁଡା ପ୍ରହରୀ ମଣ୍ଡପକୁ ଲିପାପୋଛା କରିବା ସହ ସୁନ୍ଦର ଭାବରେ ସଜାଇଥିଲେ ପୂଜା ସ୍ଥଳିକୁ । ଗାଁ ର ସମସ୍ତ ବ୍ରତୀ ମାନେ ସମବେତ ଭାବରେ ପୂଜା କରିଥିଲେ ମଣ୍ଡପରେ । ପଣ୍ଡିତ ରାମଚନ୍ଦ୍ର ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମର ସ୍ୱେଚ୍ଛାସେବୀ ଯୁବକ ମାନେ ନେତୃତ୍ୱ ନେଇ ପ୍ରହରୀ ମଣ୍ଡପ ଠାରେ ସାବିତ୍ରୀ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ ।