ଘାଇଲା ବାରହ ଆକ୍ରମଣରେ ଯୁବତୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡା ଗ୍ରାମପଞ୍ଚାୟତ କାରକୋଲି ଗାଁରେ ଥିବା କାଜୁବାଦାମ ବଗିଚାକୁ ଯାଇଥିବାବେଳେ ଆମ୍ବଝରି ଗାଁର ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଆଜି ସକାଳୁ ଆମ୍ବଝରି ଗାଁର ଚାରିଜଣ ମହିଳା କାରକୋଲିଠାରେ ଥିବା ଜଣେ ଚାଷୀଙ୍କ କାଜୁବାଦାମ ବଗିଚାକୁ ଯାଇ ସେଠାରେ କାଜୁ ସଂଗ୍ରହ କରୁଥିଲେ । ତିନିଜଣ ଗଛ ଚଢିଥିବାବେଳେ ଆମ୍ବଝରି ଗାଁର ଫୁଲ ମାଝୀ(୧୮) ନାମକ ଯୁବତୀ ତଳେ ଥିଲେ । ଏହି ସମୟରେ ପଛପଟୁ ଆସି ଏକ ଘାଇଲା ବାରହା ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ବାରହା ଆକ୍ରମଣ ଦେଖି ଫୁଲଙ୍କ ସମେତ ତାଙ୍କ ସହିତ ଥିବା ଅନ୍ୟ ତିନିଜଣ ମହିଳା ଚିତ୍କାର କରିବା ଫଳରେ ବାରହାଟି ଜଙ୍ଗଲ ଆଡକୁ ପଳାଇଯାଇଥିଲା । ଏ ସଂପର୍କରେ ଖବର ପାଇ ଯୁବତୀଙ୍କ ପରିବାର ଲୋକେ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡରୋଡ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିବାବେଳେ ସେଠାରେ ଡାକ୍ତର ଅକ୍ଷୟ କୁମାର ଗୋଚ୍ଛାୟତ, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଲଳିତ ପଧାନ ପ୍ରମୁଖ ତାଙ୍କୁ ଚିକିତ୍ସା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସିକେରକୁପା ଫରେଷ୍ଟର ଭାଗିରଥୀ ନାଏକ, ଖିକ୍ସାଭଟା ଫରେଷ୍ଟ ଗାର୍ଡ ଶାନ୍ତିଲତା ପାଢୀ ପ୍ରମୁଖ ପହଞ୍ଚିବା ସହିତ ଗୁରୁତର ଫୁଲଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.