ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସଦର ବ୍ଳକ ରଙ୍ଗୀଗୁଡା ଗାଁର ଚମାର ନିଆଲ ଓ ଯମୁନା ନିଆଲଙ୍କ ଝିଅ କ୍ଷୀରଦେଇ ନିଆଳ ଜନ୍ମରୁ ଦିବ୍ୟାଙ୍ଗ। ସେ ନିଜର ନିତ୍ୟକର୍ମ କରିପାରୁନଥିବାରୁ ପିତା କିମ୍ବା ମାତା ବୋହିକି ନେବାକୁ ପଡେ। ଏମାନେ ଗରିବ ହୋଇଥିବାରୁ ଆଖପାଖରେ ମିଳୁଥିବା କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ଘରେ ଦିବ୍ୟାଙ୍ଗ ଝିଅକୁ ଏକୁଟିଆ ଛାଡି ସେମାନେ କାମ କରିବାକୁ ଯିବା ମଧ୍ୟ ସମୟ ସମୟରେ ଅସମ୍ଭବ ହୋଇ ଉଠୁଥିଲା। ଏହିସବୁ ସମସ୍ୟାକୁ ଦେଖି ରଙ୍ଗୀଗୁଡା ଗାଁ ର ଆଶା କର୍ମୀ ଜାନକୀ ନିଆଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ। ଶ୍ରୀ ରଣା ଖବର ପାଇ ତାଙ୍କର ଘରକୁ ଯାଇ ସମସ୍ତ ଡକ୍ୟୁମେଣ୍ଟ ସଂଗ୍ରହ କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ସହ ଯୋଗାଯୋଗ କରି ଗୋଟିଏ ହୁଇଲ ଚେୟାର ଦେବାକୁ ନିବେଦନ କରିଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ଶ୍ରୀ ହୋତାଙ୍କ ନିର୍ଦ୍ଦେଶରେ ଏକ ହୁଇଲ ଚେୟାର କ୍ଷୀରଦେଇଙ୍କୁ ପ୍ରଦାନ କରାଯାଇଛି। ସମାଜସେବୀ ଯଶୋବନ୍ତ ରଣା ଓ ତାଙ୍କର ସାଥି ମିଶି କ୍ଷୀରଦେଇଙ୍କ ଘରକୁ ଯାଇ ଏହି ହୁଇଲ ଚେୟାର ପ୍ରଦାନ କରିଥିଲେ। ହୁଇଲ ଚେୟାର ପାଇଲା ପରେ ତାଙ୍କର ପିତା ଚମାର ନିଆଳ ସମାଜସେବୀ ଯଶୋବନ୍ତ ରଣା, ଗୋକୁଳ ସାହୁ, ଡ଼ିଏସଏସଓ ଅଫିସରେ କାର୍ଯ୍ୟରତ ଅରୁଣ ମହାପାତ୍ର ଙ୍କୁ ଧନ୍ୟବାଦ ଜଣେଇଛନ୍ତି।