ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଶ୍ରୀ ସାଇ କୃପା ସଂସ୍ଥାନ ପକ୍ଷରୁ କେସିଙ୍ଗା ସ୍ପିନିଙ୍ଗ ମିଲ ନିକଟରେ ନବ ନିର୍ମିତ ଶ୍ରୀ ସାଇ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଆରମ୍ଭ ହୋଇଛି। ଏହି ପ୍ରତିଷ୍ଠା ମହୋତ୍ସବ ମାର୍ଚ୍ଚ ୫ ରୁ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ପ୍ରାରମ୍ଭରେ କେସିଙ୍ଗା ତେଲନଦୀ ଠାରୁ ଶ୍ରୀ ସାଇ ମନ୍ଦିର ପର୍ଯ୍ୟନ୍ତ ଏକ ଭବ୍ୟ କଳସ ଶୋଭା ଯାତ୍ରା ହୋଇଥିଲା। ମହିଳାମାନେ ତେଲନଦୀ ୩୯୦ଟି କଳସରେ ପବିତ୍ର ଜଳ ଆଣି ସ୍ଥାପନ କରିଥିଲେ। ଏହି ଶୋଭାଯାତ୍ରାରେ ସାଇବାବାଙ୍କ ପ୍ରତିମାକୁ ସୁସଜ୍ଜିତ କରି ଘୁମୁରା ଓ ଢୋଲ, ନିସାନ ସହ ସହର ମଧ୍ୟଦେଇ ଆସ୍ଥାନକୁ ଅଣା ଯାଇଥିଲା। କେସିଙ୍ଗା ସହରରେ ପ୍ରଥମ ଥର ପାଇଁ ସାଇ ମନ୍ଦିର ପ୍ରତିଷ୍ଠା ହୋଇ ଥିବାରୁ ବାବାଙ୍କ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଶ୍ରୀ ସାଇ କୃପା ସଂସ୍ଥାନର ସମସ୍ତ ପରିବାରଙ୍କ ସହଯୋଗରେ ଚାଲିଛି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏଥିରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯୋଗ ଦେଉଥିବା ଦେଖିବାକୁ ମିଳିଛି।