ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବହୁ ପ୍ରତୀକ୍ଷିତ ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଗତି ପ୍ରତିଭା ପୁରସ୍କାର ପ୍ରଦାନ ନିମନ୍ତେ ଆସନ୍ତା ଜୁନ ମାସ ୧୨ ତାରିଖରେ ପ୍ରଗତି କଲେଜ ପରିସର ମଧ୍ୟରେ ୨ୟ ପର୍ଯ୍ୟାୟ ପ୍ରଗତି ପ୍ରତିଭା ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ପରୀକ୍ଷାକୁ ଏକ ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଭାବରେ ବିବେଚନା କରାଯାଇଛି । ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ହେଉଛି ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତା,ପରିଶ୍ରମ ଏବଂ ଚରିତ୍ରର ଉତ୍କର୍ଷତା ହାସଲ କରିବାର ପ୍ରକୃଷ୍ଟ ମାନଦଣ୍ଡ । ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁଣାତ୍ମକ ଯୋଗ୍ୟତା ପ୍ରଦର୍ଶନ କରିବା ପାଇଁ ପ୍ରଗତି ଟ୍ରଷ୍ଟ ଏହି ପୁରସ୍କାର ପ୍ରସ୍ତୁତ କରିଛି । ଏହି ପରୀକ୍ଷା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ ।
ଉକ୍ତ ପରୀକ୍ଷା ନିମନ୍ତେ କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ପଞ୍ଜୀକରଣ କରି ନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ଦିନ ନାମ ପଞ୍ଜୀକରଣ କରି ଏହି ପରୀକ୍ଷା ଦେଇପାରିବେ । ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ଆଧାର କରି ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ଅର୍ଥରାଶି ସ୍ୱରୂପ ପୁରସ୍କାର ପ୍ରଦାନ କରାଯିବ । ପ୍ରଥମ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ଏବଂ ତୃତୀୟ କୃତି ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏହା ସହିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପଢିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏତଦ ବ୍ୟତୀତ ପ୍ରତିବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନରେ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବିନା ଶୁଳ୍କରେ +୨ ଶ୍ରେଣୀରେ ଅଧ୍ୟୟନ କରିବାର ସୁଯୋଗ ଦିଆଯାଉଛି ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ମତ ପ୍ରକାଶ କହିଛନ୍ତି ।