ଆବାସ ଯୋଜନା ସାତସପନ, ଭଙ୍ଗା ଦଦରା ଘରେ ବିତୁଛି ମୁରା ଗଉଡଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତଥା କଚ୍ଚା ଘରେ ରହୁଥିବା ପରିବାରକୁ ସରକାରଙ୍କ ଦ୍ବାରା ପକ୍କାଘର ଯୋଗାଇ ଦେବାର ପ୍ରାବିଧାନ ରହିଛି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା ଆଦି ପ୍ରଣୀତ ହୋଇଛି। ତେବେ ପ୍ରଶାସନିକ କଳ ଓ ଜନ ପ୍ରତିନିଧିମାନଙ୍କ ଉଦାସୀନତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଥିବା ପରିଲକ୍ଷିତ ହେଉଛି। ଏମିତି ଏକ ଚିତ୍ର ଆସି ପହଞ୍ଚିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଗଣ୍ଡାମେର ପଞ୍ଚାୟତର ବାବେଗୁଡା ଗାଁ ଧନମଣ୍ଡି ପଡ଼ାରୁ । ଏହି ଗାଁର ମୁରା ଗଉଡ଼ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହିତ ଭଙ୍ଗା ଦଦରା ଘରେ ଅତି କଷ୍ଟରେ ଜୀବନ ନିର୍ବାହ କରୁଛନ୍ତି। ସେ ଅତି ଗରିବ ହୋଇଥିବାରୁ ଘରଟିଏ ମଧ୍ୟ ନିର୍ମାଣ କରିପାରୁ ନାହାଁନ୍ତି। ବର୍ତ୍ତମାନ ଏହି ଘରଟି ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଭୟର ବାତାବରଣ ମଧ୍ୟରେ ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି ପରିବାରବର୍ଗ। କେତେବେଳେ ଏହି ଘର ଭୁଷୁଡି ପଡିବ ତା’ର ଠିକ ଠିକଣା ନାହିଁ। ମୁରା ଗଉଡ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି କହିଛନ୍ତି। ତେବେ ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ବୋଲି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ଘର ଖଣ୍ଡେ ଯୋଗାଇଦେବାକୁ ସାଧରଣରେ ଦାବି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.