ତଦନ୍ତ ପାଇଁ ଦୀର୍ଘ ଦିନର ଦାବି ପରେ ପ୍ରଶାସନର ଚେତା ପଶିଲା
୫ ଜଣିଆ ଟିମ୍ କୁ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ବିଭିନ୍ନ ଅନୁଦାନ ମାଧ୍ୟମରେ ଆସିଥିବା କୋଟି କୋଟି ଟଙ୍କାର ଅନୁଦାନକୁ ଚଞ୍ଚକତା କରି ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକି ତାହାର ତଦନ୍ତ ପାଇଁ କେସିଙ୍ଗା ଅଞ୍ଚଳବାସୀଙ୍କ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା । ହେଲେ ପ୍ରଶାସନ ତରଫରୁ ତଦନ୍ତ ହେଉଥିଲା କି ନାହିଁ ସେ ବିଷୟରେ କେହି ବି ଜାଣିପାରୁ ନଥିଲେ । କେସିଙ୍ଗା ମହାବିଦ୍ୟାଳୟକୁ ଆସିଥିବା ୟୁଜିସି, ରୁଷା, ଆଇଡିପି ପ୍ରଭୃତି ଅନୁଦାନର କୋଟି କୋଟି ଟଙ୍କାକୁ ଚଞ୍ଚକତା କରି ହଡ଼ପ କରିଥିବା ଅଭିଯୋଗ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ଏହି ଅଭିଯୋଗର ସତ୍ୟାସତ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ଜନୈକ ବ୍ୟକ୍ତି ଶିକ୍ଷା ସଚିବ, କଳାହାଣ୍ଡି ଜିଲ୍ଲାପାଳ, କେସିଙ୍ଗା ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଭବାନୀପାଟଣା ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରଶାସନ ଲିଖିତ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତାହାର ତଦନ୍ତ କରିବା ପାଇଁ କେସିଙ୍ଗା ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ ଟିମ୍ ଗଠନ କରାଯାଇଥିଲା । ଯାହାକି ଉକ୍ତ ୫ ଜଣିଆ ଟିମ୍ ବୁଧବାର ଦିନ କେସିଙ୍ଗା ମହାବିଦ୍ୟାଳୟକୁ ଯାଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କରଙ୍କ ନେତୃତ୍ବରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଜୟଦେବ ସାହୁ, ସମୀକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ କେସିଙ୍ଗା ବ୍ଲକ ଓ ତହସିଲ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀ ସାମିଲ ହୋଇଥିବା ସୂଚନା ମିଳିଛି । ଉକ୍ତ ତଦନ୍ତକାରୀ ଟିମ୍ ବୁଧବାର ସକାଳ ସାଢେ଼ ୧୦ ଟା ସମୟରେ କେସିଙ୍ଗା କଲେଜକୁ ପହଞ୍ଚିବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ତଦନ୍ତକାରୀ ଟିମ୍ କଲେଜର ରୁଷା ବିଭାଗ ହଲ୍ ରେ ବସି ଆଇଡିପି ଅନୁଦାନର ତଦାରଖ ଦାୟିତ୍ଵରେ ରହିଥିବା ଅଧ୍ୟାପକ ସୁଶାନ୍ତ ପାଢ଼ୀ, ରୁଷା ଅନୁଦାନ ତଦାରଖ ଦାୟିତ୍ଵ ରେ ଥିବା ଅଧ୍ୟାପକ ସୁରଥ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତିରେ ଗତ ୧୯୯୫ ମସିହାରୁ କେସିଙ୍ଗା କଲେଜକୁ ଆସିଥିବା ବିଭିନ୍ନ ଅନୁଦାନର ଖର୍ଚ୍ଚ ଉପରେ ପଚରାଉଚରା କରିଛନ୍ତି । ତେବେ ଅଭିଯୋଗକାରୀ ବ୍ୟକ୍ତିଙ୍କ କହିବା ଅନୁଯାୟୀ ମାତ୍ର ଦୁଇ ତିନିଟି ନିର୍ଦ୍ଦିଷ୍ଟ ସଂସ୍ଥା ଦୀର୍ଘ ୨୦ ବର୍ଷ ହେଲା କେସିଙ୍ଗା ମହାବିଦ୍ୟାଳୟକୁ ବିଭିନ୍ନ ସାମଗ୍ରୀ ଯୋଗାଣ କରିଆସୁଛନ୍ତି । ଯାହାକି ଯୋଗାଣକାରୀ ସଂସ୍ଥାର ସଠିକ ତଥ୍ୟ ତଥା ଜିଏସଟି, ଟ୍ୟାକ୍ସ ଏବଂ ସଂସ୍ଥାର ବିଭିନ୍ନ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉ ବୋଲି ଅଭିଯୋଗ କରିଛନ୍ତି । ସବୁଠୁ କୈାତୁହଳର ବିଷୟ ଦୀର୍ଘ ୨୦ ବର୍ଷ ହେଲା କେସିଙ୍ଗା ମହାବିଦ୍ୟାଳୟର କେଉଁ କେଉଁ ସାମଗ୍ରୀ କେତେ ବେଳେ କ୍ରୟ ହୋଇଥାଏ ତାହା କେସିଙ୍ଗା ମହାବିଦ୍ୟାଳୟ ଅଧିକାଂଶ ଅଧ୍ୟାପକ କିମ୍ବା କର୍ମଚାରୀ ଜାଣି ପାରନ୍ତି ନାହିଁ । କିଛି ନିର୍ଦ୍ଧିଷ୍ଟ ଅଧ୍ୟାପକଙ୍କ ପାଇଁ କେସିଙ୍ଗା ମହାବିଦ୍ୟାଳୟ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ବୋଲି କେସିଙ୍ଗା ସହରରେ ଚର୍ଚ୍ଚା ହେଉଛି । ତେଣୁ କଲେଜର ଉନ୍ନତି ପାଇଁ ଆସିଥିବା ବିଭିନ୍ନ ଅନୁଦାନକୁ ସଠିକ୍ ଭାବେ ଖର୍ଚ୍ଚ କରାଯାଇଛି କି ନାହିଁ ତାହାର ନିରପେକ୍ଷ ତଦନ୍ତ କରିବାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । କଲେଜର ବିଭିନ୍ନ ଅନୁଦାନକୁ ଚଞ୍ଚକତା କରାଯାଇ ଖର୍ଚ୍ଚ କରାଯିବା ଅଭିଯୋଗ ଦୀର୍ଘ ଦିନ ଧରି ଲୋକଙ୍କ ଭିତରେ ଆଲୋଚନା ହେଉଥିଲା । ହେଲେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କରଙ୍କ ନେତୃତ୍ବରେ ତାହାର ତଦନ୍ତ ପ୍ରକ୍ରିୟା ବୁଧବାର ଠାରୁ ଆରମ୍ଭ ହୋଇଛି । ତେବେ ତଦନ୍ତ ସଠିକ ବାଟରେ ଯାଉଛି ନାଁ ବାଟବଣା ହେଉଛି ତାହା ଦେଖିବାକୁ ବାକି ରହିଲା ।