ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ସ୍ଥିତ ବୁଢ଼ାରଜା ହାଇସ୍କୁଲରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତ୍ରିନାଥ ଠାକୁର, ସମ୍ମାନିତ ଅତିଥି ଭାବେ ମୀନକେତନ ପ୍ରଧାନୀ, କେଶବ ନାଏକ, ଜଗବନ୍ଧୁ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଓ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ରୋପଣର ଆବଶ୍ୟକତା ଓ ମହାନତା ବିଷୟରେ ଅତିଥି ମାନେ ଆଲୋକପାତ କରିଥିଲେ। ଆଗାମୀ ବର୍ଷା ଦିନରେ ଦାଣ୍ଡ ବାଡ଼ି, ବଗିଚା, ପାହାଡ଼ ଓ ନଦୀ ତଟରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଚିତ୍ତରଞ୍ଜନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।