ନର୍ଲା ଚାରିଛକରେ ସୁଖିଲା କାଠ ଖଣ୍ଡ ପଡି ଦୁଇ ଆହତ ପ୍ରସଙ୍ଗ: ଦୁଇ ଆହତ ପରେ ଚେତିଲା ପ୍ରଶାସନ

ଗୋଟିଏ ସୁଖିଲା ଗଛ କଟାହେଲା, ଆଉ ଦୁଇଟି କେବେ କଟାହେବ?

ଓଡିଆ ବାର୍ତ୍ତା ପ୍ରଭାବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକରେ ଦଣ୍ଡାୟମାନ ସୁଖିଲା ଆମ୍ବଗଛର କାଠ ଗଣ୍ଡି ପଡି ସୋମବାର ଦୁଇ ଆହତ ହେବାପରେ ପ୍ରଶାସନକୁ ଚେତା ପଶିଛି । ଆଜି ଅଗ୍ନିଶମ ବିଭାଗ ସହାୟତାରେ ଚାରିଛକ ସ୍ଥିତ ପାଣ୍ଡା ପାନ ଦୋକାନ ସମ୍ମୁଖରେ ରହିଥିବା ସୁଖିଲା ଆମ୍ବଗଛଟିକୁ କଟାଯାଇଥିବା ଦେଖିବାକୁ ମିଳିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ସୋମବାର ଦିନ ୧.୩୦ ସମୟରେ ପାଣ୍ଡା ପାନ ଦୋକାନ ସାମନାରେ ବହୁ ଦିନରୁ ଶୁଖି ଯାଇଥିବା ଏକ ବିରାଟକାୟ ଆମ୍ବ ଗଛର ଗଣ୍ଡି ହଠାତ୍ ଛିଣ୍ଡି ପଡିବାରୁ ଚାରିଛକ ସ୍ଥିତ ଛାୟାଧ୍ୱନୀ ଫଟୋ ଷ୍ଟୁଡିଓ ମାଲିକ ନଗେନ୍ଦ୍ର ପଧାନ ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଶାନ୍ତିନଗର ପଡାର ୭୫ ବର୍ଷିୟା ବୃଦ୍ଧା ଗୁରୁତର ଆହତ ହୋଇ ଚିକିତ୍ସିତ ହୋଇଥିଲେ । ଶ୍ରୀ ପଧାନ ସୁଖିଲା ଆମ୍ବଗଛ ପାଶ୍ୱର୍ସ୍ଥ ପାଣ୍ଡା ଦୋକାନରେ ଚା ପିଉଥିବା ବେଳେ ବୃଦ୍ଦା ଜଣକ ଦେହ ଅସୁସ୍ଥତା କାରଣରୁ ଗଛ ତଳ ହୋଟେଲ ପାଖରେ ବସିଥିଲେ । ବର୍ଷା ନାହିଁ କି ପବନ ନାହିଁ ହଠାତ୍ ଉକ୍ତ ସୁଖିଲା ଗଛର ବଡ ଡାଳ ଖଣ୍ଡେ ଛିଣ୍ଡି ପଡିଥିଲା । ଶ୍ରୀ ପଧାନଙ୍କ ଦେହ ଓ ମୁଣ୍ଡରେ ଓ ବୃଦ୍ଧା ଜଣକଙ୍କ ବାମ ଜାନୁରେ ଆଘାତ ଲାଗିଥିଲା । ସେମାନେ ନର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଏବେ ଟିକେ ସୁସ୍ଥ ଥିବା ଜଣାପଡିଛି । ଏହି ଖବର ଏକ ସଚେତନ ଗଣମାଧ୍ୟମ ଭାବରେ ପ୍ରଥମେ ‘ଓଡ଼ିଆ ବାର୍ତ୍ତା’ରେ ପ୍ରକାଶ ପାଇଥିଲା । ପୂର୍ବରୁ ଅନେକ ଥର ଓଡ଼ିଆ ବାର୍ତ୍ତା ଏହି ବିପଦପୂର୍ଣ୍ଣ ସୁଖିଲା ଗଛ ଉପରେ ଖବର ପ୍ରସାରଣ କରି ଆସିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ଦୁଇବର୍ଷ ତଳୁ ନର୍ଲା ଚାରିଛକରେ ତିନିଗୋଟି ଗଛ, ସର୍ଗିଗୁଡା ରେଳବାଇ ଗେଟ ଫାଟକ ନିକଟସ୍ଥ ବଡମିଲର ଟ୍ରାନ୍ସଫର୍ମର ସାମ୍ନାରେ ଗୋଟିଏ । ଏଭଳି ନର୍ଲା ଡାକ୍ତରଖାନାରୁ ସର୍ଗିଗୁଡା ରେଳବାଇ ଫାଟକ ମଧ୍ୟରେ ମୁଖ୍ୟ ରାଜ୍ୟ ରାଜପଥ କଡରେ ୪ ଗୋଟି ବିପଦ ସଂକୁଳ ସୁଖିଲା ଗଛ ରହିଛି । ଅଞ୍ଚଳବାସୀ ଜନସାଧାରଣ ବାରମ୍ବର ନର୍ଲା ତହସିଲଦାର, ନର୍ଲା ବିଡିଓଙ୍କୁ କହି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । କେବଳ ଚାରିଛକ ସ୍ଥିତ ଗୋଟିଏ ଆମ୍ବଗଛ ନର୍ଲା ଅଗ୍ନିଶମ ବିଭାଗ ତରଫରୁ କଟାଯାଇଥିବା ବେଳେ ଆଉ ତିନିଗୋଟି ସୁଖିଲା ବିପଦ ସଂକୁଳ ଗଛ ଏବେବି ଚାରିଛକ ଓ ଗେଟ ଫାଟକ ମଧ୍ୟରେ ରହିଛି । ସେ ସବୁ ସୁଖିଲା ଗଛ ଗୁଡିକୁ ମଧ୍ୟ ତୁରନ୍ତ ପ୍ରଶାସନ କାଟିବା ବ୍ୟବସ୍ଥା କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.